ସୋତି ଗ୍ରାମରେ ନିର୍ବାଚନ ପ୍ରଚାରକୁ ନେଇ ଉତ୍ତେଜନା: ୩ ମାମଲା ରୁଜୁ, ଥାନାରୁ ଜାମିନରେ ଗଲେ ୬

ପାଣିକୋଇଲି : ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତର ସୋତି ଗ୍ରାମରେ ଗତ ୨ ତାରିଖରେ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣାରେ ପୁଲିସ ଉଭୟ ପକ୍ଷରୁ ୩ଟି ମାମଲା ରୁଜୁ କରିଛି। ଏଥିରେ ସଂପୃକ୍ତ ୬ ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକରେ ଛାଡ଼ିଥିବା ସୂଚନା ମିଳିଛି।

ଅଭିଯୋଗ ମୁତାବକ ଗତ ୧ ତାରିଖରେ ଜିଲ୍ଲା ମହିଳା ବିଜେଡି ନେତ୍ରୀ କହୁଥିବା ସଂଘମିତ୍ରା ଜେନା ତାଙ୍କ ସହଯୋଗୀଙ୍କୁ ଧରି ଗୋଳେଇପୁର ପଞ୍ଚାୟତ‌‌ରେ ସମର୍ଥିତ ପ୍ରାର୍ଥୀଙ୍କ ସହ ପ୍ରଚାର କରିଥିଲେ। ପରଦିନ ନିଜକୁ ସରକାରୀ କର୍ମଚାରୀ କହି ଫୋନ ନମ୍ବର ମାଗିବା ସହ ଫୋନରେ ଟଙ୍କା ଆସିବ କହି ବୁଲୁଥିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଲୋକମାନେ ବିଭିନ୍ନ ପ୍ରଶ୍ନ କରିଥିଲେ। ସର୍ଭେ ନାମରେ ଲାଞ୍ଚ ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ଉଭୟ ପକ୍ଷ ପାଣିକୋଇଲି ଥାନାର ଦ୍ବାରସ୍ଥ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା। ଏହାର ତଦନ୍ତ କରି ୩ଟି ମାମଲା ରୁଜୁ କରାଯାଇଛି।

ସମିତିସଭ୍ୟା ଭାନୁମତି କରଣଙ୍କ ଅଭିଯୋଗ ମୁତାବକ ୩୨/୨୨ ନମ୍ବରରେ ନେତ୍ରୀ ସଂଘମିତ୍ରା ଜେନା, ମଞ୍ଜୁଲତା ପଣ୍ତା, କାର୍ତ୍ତିକ ବାରିକ ଓ ସତ୍ୟାନନ୍ଦ ଦାସଙ୍କ ନାମରେ ମାମଲା ରୁଜୁ କରାଯାଇଛି। ପୁଲକ ରଂଜନ ମଲ୍ଲିକ ଓ ଖଗେଶ୍ବର ମାଝୀଙ୍କ ଅଭିଯୋଗ କ୍ରମେ ୩୩/୨୧ ଓ ୩୪/୨୧ରେ ମାମଲା ରୁଜୁ କରାଯିବା ସହ ଉଭୟ ପକ୍ଷରୁ ୬ ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ନୋଟିସ ଦେଇ ଛଡ଼ାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଏ ଘଟଣାକୁ ନେଇ ପଞ୍ଚାୟତରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗୋଳେଇପୁରରେ ଶାସକ ଦଳ ସହ ଗୋଳେଇପୁର ସଂଗ୍ରାମ ସମିତି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାରୁ ସିଧାସଳଖ ଲଢ଼େଇ ହେଉଛି।

ସମ୍ବନ୍ଧିତ ଖବର