ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା : ପୁଲିସ- ପଡ଼ାବାସୀ ଧସ୍ତାଧସ୍ତି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ଖଇରା ଗ୍ରାମର ପଦମପୁର ପଡ଼ାରେ ବୁଧବାର ଜବରଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ କେନ୍ଦ୍ର କରି ପଡ଼ାବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାରେ ବିଜୁ ଏକ୍ସପ୍ରେସ-ୱେ ନିର୍ମାଣ ପାଇଁ ବୁଧବାର ସରକାରୀ ଜମିରେ ରହୁଥିବା ଲୋକଙ୍କୁ ବୋଡ଼େନ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ପଦମପୁର ପଡ଼ାରେ ମଧ୍ୟ ସରକାରୀ ଜମିରେ ବହୁବର୍ଷରୁ ରହୁଥିବା ପ୍ରାୟ ୧୦ଟି ପରିବାରକୁ ଘର ଛାଡ଼ିବାକୁ ନୋଟିସ ଦିଆଯାଇଥିଲା। ହେଲେ ସେମାନେ ଘର ଛାଡ଼ି ନଥିଲେ। ବୁଧବାର ବ୍ଲକ୍‌ ପ୍ରଶାସନ ଓ ପୁଲିସ ପଦମପୁର ପଡ଼ାରେ ପହଞ୍ଚି ଉଚ୍ଛେଦ କାମ ଆରମ୍ଭ କରିଥିଲେ। ପଡ଼ାବାସୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ପୁଲିସ ଓ ପଡ଼ାବାସୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି କମଳ ତାଣ୍ଡି ଓ କର୍ମକତ୍ତାମାନେ ପହଞ୍ଚିଥିଲେ। ଉଚ୍ଛେଦ ବ୍ୟକ୍ତିମାନଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ଥଇଥାନ କରିବା ସହ ସେମାନଙ୍କୁ ସରକାରୀ ଜମି ଦେଇ ଆବାସ ଯୋଜନାରେ ଘର ଦେବାକୁ ଦାବି କରିଥିଲେ।

ଏ ସଂପର୍କରେ ଥାନା ଅଧିକାରୀ ଶୋଭାକର ସେଠୀ କହିଛନ୍ତି ଯେ, ବ୍ଲକ୍‌ ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ ଦେବା ପରେ ମଧ୍ୟ ସେମାନେ ଜାଗା ଖାଲି କରିନଥିଲେ। ବୁଧବାର ପୁଲିସ ଫୋର୍ସ ଲଗାଇ ଜେସିବି ଦ୍ବାରା ଜବରଦଖଲ କରିଥିବା ୯ଟି ଘରକୁ ଭଙ୍ଗାଯାଇଛି। ଅନ୍ୟପକ୍ଷରେ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି ଯେ, ପୁଲିସ ଅତ୍ୟାଚାର ବିରୋଧରେ ମଞ୍ଚର ସିନାପାଲି ବ୍ଲକ ସଭାପତି ପଦ୍ମନାଭ ଜଗତ ଓ କର୍ମକର୍ତା ସ୍ଵର ଉତ୍ତୋଳନ କରିବାରୁ ସେମାନଙ୍କୁ ଲାଠି-ଗୋଇଠା ମାରିବା ସହ ଗିରଫ କରାଯାଇଛି। ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ଯଦି ସରକାର ଏହି ଲୋକମାନଙ୍କୁ କ୍ଷତିପୂରଣ ନଦିଅନ୍ତି ତାହେଲେ ମଞ୍ଚ ଏହାର ପ୍ରତିବାଦରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର