ଷଣ୍ଢକୁ ମାରିବା ନେଇ ଉତ୍ତେଜନା: ଏକ ପ୍ଲାଟୁନ ଫୋର୍ସ ମୁତୟନ, ୩ ଅଟକ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ପଂଚାୟତ ନୂଆସାହି ଗ୍ରାମରେ ଏକ ଷଣ୍ଢକୁ ହତ୍ୟା କରି ତାର ମାଂସ ଓ ଚମଡା ବିକ୍ରି କରିବା ଘଟଣାକୁ ନେଇ ଆଜି ସକାଳୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଷଣ୍ଢର ମାଲିକ ସୁଦର୍ଶନ ମାଝୀଙ୍କ ଅଭିଯୋଗ କ୍ରମେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖୁ ପଚରା ଉଚୁରା ଜାରି ରଖିଛି। ତେବେ ଗ୍ରାମରେ ଥିବା ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆଶଙ୍କରେ ଗାଁରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ସନ୍ଧ୍ୟାରେ ବୈଶିଙ୍ଗା ଥାନା ପରିସରରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ଉପସ୍ଥିତିରେ ଗ୍ରାମର ସରପଞ୍ଚ, ଭଦ୍ରବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ଉଭୟ ପକ୍ଷର ଲୋକଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ପକ୍ଷ ଆଗକୁ କିଛି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବା ନେଇ ଲୋକଙ୍କୁ ଆଶ୍ୱାସନା ଦିଆଯାଇଥିଲା। ଏହାପରେ ସ୍ଥିତି ଶାନ୍ତ ପଡ଼ିଛି।

ସମ୍ବନ୍ଧିତ ଖବର