ସରକାରୀ ଜମିରେ ମଦ ଦୋକାନକୁ ନେଇ ଉତ୍ତେଜନା

ଆନନ୍ଦପୁର : ସାରା ରାଜ୍ୟରେ ସରକାରଙ୍କ ପକ୍ଷରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ଲଟେରି ମାଧ୍ୟମରେ ଆବଣ୍ଟନ ହୋଇଛି। ‌ତେବେ ମଦ ଦୋକାନ ଖୋଲିବାକୁ ନେଇ ଆନନ୍ଦପୁର ପୌରାଞ୍ଚଳରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ‌ଲିଜ୍‌ଧାରୀମାନେ ସରକାରୀ ଜମିକୁ ଅକ୍ତିଆର କରି ମଦ ଦୋକାନ ଖୋଲିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଏହାକୁ କେନ୍ଦ୍ରକରି ଶୈଲଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି।

ଆନନ୍ଦପୁର ପୌରାଞ୍ଚଳର ଆନନ୍ଦପୁର, ଶାଳପଡ଼ା ଓ ଶୈଲଙ୍ଗରେ ତିନିଜଣ ଲିଜ୍‌ଧାରୀଙ୍କୁ ମଦ ଦୋକାନ ଖୋଲିବା‌ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏସବୁ ସ୍ଥାନରେ ମଦ ଦୋକାନ ଖୋଲାଯିବାକୁ ନେଇ ବିବାଦ ଦେଖାଦେଇଛି। ମଦ ଦୋକାନ ଖୋଲିବା ଆଳରେ ସରକାରୀ ଜମି ଜବରଦଖଲ ଉଦ୍ୟମ କରାଯାଉଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଶୈଲଙ୍ଗରେ ଜାତୀୟ ରାଜପଥ କଡ଼ରେ ଥିବା ଗୋଚର ଜମିରେ ଏକ କଣ୍ଟେନର ପକାଯାଇ ମଦ ଦୋକାନ ଖୋଲିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ସ୍ଥାନୀୟ ଜନସାଧାରଣ ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ଅବକାରୀ କମିସନରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ‌ସୋମବାର ପୂର୍ବାହ୍ନରେ ହଠାତ୍ ଏକ କଣ୍ଟେନର ଆଣି ଉକ୍ତ ସ୍ଥାନରେ ପକାଯିବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ।

ଖବର ପାଇ ଘସିପୁରା ତହସିଲଦାର ବାବୁଲ ପେରେଇ, ଆର୍‌ଆଇ ଶରଣ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଉଠାଇ ନେବାକୁ ତାଗିଦ୍ କରିଥିଲେ। ଉକ୍ତ ସ୍ଥାନରେ ମଦ ଦୋକାନ ନ କରିବାକୁ ତହସିଲ ପକ୍ଷରୁ ଅବକାରୀ ବିଭାଗକୁ ଅବଗତ କରାଯାଇଛି। ତୁରନ୍ତ ଏଠାରୁ ମଦ ଦୋକାନ ନ ହଟିଲେ ସ୍ଥାନୀୟ ଲୋକକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର