ଧାମରା ବନ୍ଦର ଫାଟକ ସମ୍ମୁଖରେ ଗାଡ଼ି ରଖିବାକୁ ନେଇ ଉତ୍ତେଜନା

ଧାମରା: ଧାମରା ବନ୍ଦର ଫାଟକ ସମ୍ମୁଖ ନୋ ପାର୍କିଂ ଜାଗ‌ାରେ ଗାଡ଼ି ରଖିବାକୁ ନେଇ ବନ୍ଦର ନିରାପତ୍ତା କର୍ମଚାରୀ ଏବଂ ଠିକାଦାର ମୁହାଁମୁହିଁ ହୋଇଛନ୍ତି। ଯାହାକୁ ବିରୋଧ କରି ଠିକାଦାର ଓ ଦୋସିଙ୍ଗାବାସୀ ବନ୍ଦର ଫାଟକ ଆଗରେ ଧାରଣା ଦେଇଛନ୍ତି।

ଖବରରୁ ପ୍ରକାଶ ଯେ ଆଜି ଧାମରା ବନ୍ଦର ୧ ନଂ. ଗେଟ୍‌ ସମ୍ମୁଖରେ କାର୍ଯ୍ୟରତ ଜଣେ ସ୍ଥାନୀୟ ଠିକାଦାର ନିଜର ୪ ଚକିଆ ଗାଡ଼ିକୁ ରଖିଥିଲେ। ଫଳ‌ରେ ବନ୍ଦର ନିରାପତ୍ତା ଦାୟିତ୍ବରେ ଥିବା କର୍ମଚାରୀ ସଂପୃକ୍ତ ଠିକାଦାରଙ୍କ ଗାଡ଼ିରେ ତାଲା ପକାଇ ଦେଇଥିଲେ। ଯାହାକୁ ନେଇ ନିରାପତ୍ତା କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକ ପହଞ୍ଚି ଠିକାଦାରଙ୍କ ସହ ବନ୍ଦର ଫାଟକ ଆଗରେ ଧାରଣା ଦେଇଥିଲେ ଏବଂ ବନ୍ଦର ନିରାପତ୍ତା ଅଧିକାରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଅଡ଼ିବସିଥିଲେ।

ଏଇଭିତରେ ତାଲା ପକାଇଥିବା କର୍ମଚାରୀ ଜଣକ ସେଠାରୁ କେଉଁଆଡ଼େ ପଳାଇଥିଲେ। ପରେ ଧାମରା ବନ୍ଦରର ଭିପି ଜଗତ ପରିଜା ଆସି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ। ସମସ୍ୟାର ସମାଧାନ ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ଏକ ବୈଠକ ବସିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ବନ୍ଦର କର୍ତ୍ତୃପକ୍ଷ ନୋ ପାର୍କିଂ ଜାଗାରେ ଠିକାଦାରଙ୍କ ଗାଡ଼ି ଥିବାରୁ ନିରାପତ୍ତା ଦାୟିତ୍ବରେ ଥିବା କର୍ମଚାରୀ ଗାଡ଼ିରେ ଚାବି ପକାଇଥିଲେ ବୋଲି କହୁଥିବା ବେଳେ ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ସମୟରେ ଜାଣିଶୁଣି ଗାଡ଼ିରେ ତାଲା ପକାଇ ଶ୍ରମିକ ଓ ଠିକାରଦାରମା‌ନଙ୍କୁ ହଇରାଣ କରନ୍ତି ଏବଂ ଫାଇନ୍‌ ନିଅନ୍ତି ବୋଲି ଭାରତୀୟ ମଜଦୁର ସଂଘର ସାଙ୍ଗଠନିକ ସଂପାଦକ ଚନ୍ଦ୍ରଶେଖର ଜେନା କହିଛନ୍ତି।

ସମ୍ବନ୍ଧିତ ଖବର