ଭିମ୍‌ସାରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଜରୁରୀ ଔଷଧ ନମିଳିବାରୁ ମୃତ୍ୟୁ !

ବୁର୍ଲା : ବୁର୍ଲା ଭିମ୍‌ସାରରେ ଜରୁରୀ ଔଷଧ ନମିଳିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭିମ୍‌ସାରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ ବୁର୍ଲା ୧/ଆର୍‌ କଲୋନିର ଗଣେଶ କୋକ୍‌ ନିଜ ଘରେ ଥିବା ବେଳେ ହଠାତ୍ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଭିମ୍‌ସାରକୁ ଆଣିଥିଲେ। ସେଠାରେ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଡାକ୍ତର ଦୁଇଟି ଔଷଧ ଲେଖିଥିଲେ। ତେବେ, ଭିମ୍‌ସାରରେ ତାହା ଉପଲବ୍ଧ ନଥିଲା କି ବାହାରେ ଔଷଧ ଦୋକାନରେ ମଧ୍ୟ ସେହି ଔଷଧ ମିଳିନଥିଲା। ଗତକାଲି ଦିନବେଳା ଗଣେଶଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗଣେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ତ‌େବେ, ଭିମ୍‌ସାରରେ ଜରୁରୀ ଔଷଧ ନମିଳିବାରୁ ରୋଗୀର ମୃତ୍ୟୁ ହୋଇଥିବା ମୃତ ଗଣେଶଙ୍କ ଭାଇ ଲିଙ୍ଗରାଜ କୋକ୍ ଅଭିଯୋଗ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ, ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର