କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ନେଇ ଉତ୍ତେଜନା, ଏସଡିପିଓଙ୍କ ହସ୍ତକ୍ଷେପ ପରେ ଶେଷକୃତ୍ୟ ସମ୍ପନ୍ନ

ସୁନ୍ଦରଗଡ଼: ଏକ ଅଭାବନୀୟ ଘଟଣାକ୍ରମେ, ୧୪ ତାରିଖ ରାତିରେ ଏନଟିପିସି କୋଭିଡ ହସ୍ପିଟାଲରେ ବାଲିଶଙ୍କରା ଅଞ୍ଚଳର ଜଣେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାରକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ଲୋକେ ଶ୍ମଶାନକୁ ଆସି ମୃତଦେହ ଗାଁକୁ ନେଇଯିବାକୁ ଅଡ଼ି ବସିଥିଲେ। ପରେ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ହସ୍ତକ୍ଷେପ ପରେ ଶବସତ୍କାର କରାଯାଇଥିବା ଖବର ମିଳିଛି। ଗୁରୁବାର ସକାଳେ କୋଭିଡ ହସ୍ପିଟାଲର ସମନ୍ବିତ ଅଧିକାରୀ ଅଭିନବ କର ଆମ୍ବୁଲାନ୍ସ ଯୋଗେ ମୃତ ଦେହକୁ ନେଇ ମଶାଣିକୁ ପହଞ୍ଚିଥିଲେ। ଉପଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ସତ୍କାର ପାଇଁ ଉପସ୍ଥିତ ଚାରି ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ ପଣ୍ଡା, ଶିଶିର ବେହେରା, ମନୋଜ ତ୍ରିପାଠୀ, କମଲେଶ ନଥାନି କୋଭିଡ ମାର୍ଗଦର୍ଶିକା ଅନୁସାରେ, ପିପିଇ କିଟ ପିନ୍ଧି ଶବ ନେବାକୁ ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପରେ ମୃତକଙ୍କ ପରିବାର ଓ ଗାଁ ଲୋକେ ବିରୋଧ କରି ଶବକୁ ଗାଁକୁ ନେବୁ ବୋଲି ଜିଦ୍ ଧରିଥିଲେ। କୋଭିଡ ସମନ୍ଵିତ ଅଧିକାରୀ ଯେତେ ବୁଝାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଫଳରେ ଶବ ସତ୍କାର ବହୁ ସମୟ ଧରି ଅଟକି ଯାଇଥିଲା। ପରେ ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ। କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ ଭିନ୍ନ ମାର୍ଗଦର୍ଶିକା ଥିବା ଓ ଏହାକୁ ଅନୁପାଳନ ନକରି ଶବ ସଂସ୍ପର୍ଶରେ ଆସିଥିବା ଲୋକେ ସଂକ୍ରମଣରେ ପଡ଼ି ସମସ୍ୟା ଭୋଗିବେ ବୋଲି କହିଥିଲେ। ଏହା ପରେ ସେମାନେ ରାଜି ହୋଇଥିଲେ। ଦୁଇ ଦିନ ତଳେ ସମାନ ଘଟଣାରେ ପୁଣି ଜଣେ କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବକୁ ଗାଁକୁ ନେଇଯିବାକୁ ପରିବାର ଲୋକେ ଜିଦ୍ ଧରିଥିଲେ। ମଧ୍ୟରାତ୍ରରେ ତାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରାତି ୨ଟାରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମଶାଣିକୁ ଯାଇ ଲୋକଙ୍କ ବୁଝାସୁଝା କରିବା ଓ ମୃତକଙ୍କ ପୁଅକୁ ମୁଖାଗ୍ନି ଦେବା ପାଇଁ ସୁଯୋଗ ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ କରୋନାର ଭୟାବହତା ଓ ପରିବାର ଲୋକଙ୍କ ବିରୋଧ ମଧ୍ୟରେ ଚାରି ବନ୍ଧୁ ଧୈର୍ଯ୍ୟର ସହ ଏ ମହନୀୟ ସେବା ଜାରି ରଖିଥିବାରୁ ସାଧାରଣରେ ପ୍ରଶଂସନୀୟ ହୋଇଛନ୍ତି।

ସମ୍ବନ୍ଧିତ ଖବର