ଅପର ଜୋଙ୍କ ପାଣି ବିବାଦକୁ ନେଇ ଉତ୍ତେଜନା

ଉପରମୁଣ୍ଡର ଦୁଇ ଚାଷୀ ନେତାଙ୍କୁ ଉଠାଇନେଲା ପୁଲିସ
୬ ପୁଲିସ କର୍ମଚାରୀଙ୍କୁ ମନ୍ଦିର ଭିତରେ ଅଟକ ରଖିଲେ ଚାଷୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ପତୋରା‌ ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ମାସେ ହେଲା ରବି ଚାଷ ପାଣି ଆବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଭଇଁଷମୁଣ୍ଡି ଗାଁଠାରୁ ପତୋରା ପର୍ଯ୍ୟନ୍ତ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରି ୯ଟି ହେଡ଼ ଆଉଟଲେଟ୍‌କୁ ଓଲ୍‌ଡିଂ କରି ସିଲ୍ କରିଥିଲା। ପାଣି ପଞ୍ଚାୟତ ୧ରୁ ୫ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ଧାରା ଜାରି କରି ତଳମୁଣ୍ଡକୁ ପାଣି ଛଡ଼ାଯାଇଥିଲା। ଗୁରୁବାର ଉପରମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ଆଶଙ୍କା କରି ପୁଲିସ ସାରାବଙ୍ଗ ଗାଁର ଦୁଇ ଚାଷୀନେତାଙ୍କୁ ଘରୁ ଉଠାଇ ନେଇଥିଲା। ଏହାକୁ ନେଇ ଉପରମୁଣ୍ଡ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁବାର ସକାଳେ ସଦର ଥାନା ଏସ୍‌ଆଇ ବିନୟ କେରକେଟାଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସରାବଙ୍ଗ ଗାଁରେ ପାଟ୍ରୋଲିଂ କରୁଥିବା ସମୟରେ ହଜାର ହଜାର ଉତ୍ତ୍ୟକ୍ତ ଚାଷୀ ସେମାନଙ୍କୁ ଘେରି ଯାଇଥିଲେ। ପରେ ୬ ଜଣ ପୁଲିସ କର୍ମଚାରୀଙ୍କୁ ଜଗନ୍ନାଥ ମନ୍ଦିରରେ ଅଟକ ରଖିଥିଲେ।

ଖବର ପାଇ ନୂଆପଡ଼ା ଏସପିଙ୍କ ନିର୍ଦେଶରେ ଏଏସପି ସୁନୀଲ ଆଚାର୍ଯ୍ୟ,ଏସଡିପି ପ୍ରଶାନ୍ତ ପଟ୍ଟନାୟକ, ୩ ପ୍ଲାଟୁନ ଫୋର୍ସ ସାରାବଙ୍ଗ ଜଗନ୍ନ‌ାଥ ମନ୍ଦିରଠାରେ ଚାଷୀଙ୍କ ଧାରଣାସ୍ଥଳକୁ ଯାଇଥିଲେ। ସେଠାରେ ଚାଷୀମାନଙ୍କ ସହ ପୁଲିସ କର୍ମଚାରୀମାନେ ଆଲୋଚନା କରିଥିଲେ। ଚାଷୀ ନେତାମାନଙ୍କୁ ପଚରାଉଚୁରା ପାଇଁ ନିଆଯାଇଛି ବୋଲି ପୁଲିସ କହିବାରୁ ଉତ୍ତେଜନା ବଢ଼ିଥିଲା। ଚାଷୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଚାଷୀନେତା ପ୍ରକାଶ ଦୀକ୍ଷିତ ଓ କମଲେଶ ଦୀକ୍ଷିତଙ୍କୁ ପୁଲିସ ନଛାଡ଼ିବା ପର୍ଯ୍ୟନ୍ତ ଚାଷୀମାନେ ମଧ୍ୟ ପୁଲିସ କର୍ମଚାରୀଙ୍କୁ ଛାଡ଼ିବେ ନାହିଁ ‌ବୋଲି ଜିଦ୍‌ ଧରିଥିଲେ। ଦିନ ୧ଟା ସମୟରେ ଦୁଇଜଣ ଚାଷୀ ନେତାଙ୍କୁ ପୁଲିସ ଛାଡ଼ିବା ପରେ ଚାଷୀମାନେ ଅଟକ ଥିବା ପୁଲିସ କର୍ମଚାରୀଙ୍କୁ ୩ଘଣ୍ଟା ପରେ ଛାଡ଼ିଥିଲେ। ଏହି ଘଟଣା ପରେ ହଜାର ହଜାର ଚାଷୀ ଅପର ଜ‌ୋଙ୍କ ମୁଖ୍ୟ କେନାଲଠାରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଯେ ଜଳଭଣ୍ଡାରରେ ୩୫୪ ମିଟର ପର୍ଯ୍ୟନ୍ତ ପାଣି ରଖାଯିବା ସହ ଉପରମୁଣ୍ଡକୁ ରବି ଚାଷ ପାଇଁ ପ୍ରତି ବର୍ଷ ପାଣି ଦିଆଯାଉ। ରୋଟେସନ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ଉପରେ ଜିଲ୍ଲା ପ୍ରଶାସନ ଧାରଣାସ୍ଥଳକୁ ଆସି ଲଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିବେ ବୋଲି କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଡ୍ୟାମରୁ ପାଣି ବନ୍ଦ କରିଛି। ୧ରୁ ୫ ନମ୍ବର ପାଣି ପଞ୍ଚାୟତ ଯାଏ ୧୪୪ ଧାରା ଜାରି ରହିଛି।

ସମ୍ବନ୍ଧିତ ଖବର