ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବୋଡେ଼ନ ଗ୍ରାମର ନକୁଳ ବେମାଲ (୪୧ ବର୍ଷ) ଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ନକୁଳଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ମଙ୍ଗଳବାର ଅପରାହ୍ନ ସାଢ଼େ ୧ଟାରେ ସ୍ଥାନୀୟ କେନାଲ ରାସ୍ତାରେ ନକୁଳ ଯାଉଥିଲେ। ଏହି ସମୟରେ ଉକ୍ତ ଗ୍ରାମର ଗିରିଧାରୀ ବାରିକ, ସୋମବାରୁ ଭଂଏସାଲ, ଦଶରଥ ଶବର ହତ୍ୟା କରି ନିକଟସ୍ଥ ଦାବରିପଦର ଗାଁର ସାଗରରେ ଫିଙ୍ଗି ଦେଇଛନ୍ତି ବୋଲି ମୃତକଙ୍କ ବଡ଼ଭାଇ ତୁଳାରାମ ବେମାଲ ଥାନାରେ ଏତଲା ଦେଇଛନ୍ତି।
ପରିବାର ଲୋକ ଆହୁରି ଅଭିଯୋଗ କରିଛନ୍ତି ଯେ ଲକ୍ଷ୍ମୀ ସାଗରରେ ନକୁଳ ବୁଡ଼ି ଯାଇଥିବା ଖବର ଗିରିଧାରୀ ବାରିକ ଦେଇଥିଲେ। ତାଙ୍କୁ ସୋମବାରୁ ଓ ଦଶରଥ ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରି ଥାନାକୁ ସୂଚନା ଦେଇଥିଲେ। ପୁଲିସ ସ୍ଥାନୀୟ ଅଗ୍ନିଶମ ବିଭାଗର ସହାୟତାରେ ରାତିସାର ଖୋଜାଖୋଜି କରିଥିଲା। କିନ୍ତୁ ବିଳମ୍ବତି ରାତି ପର୍ଯ୍ୟନ୍ତ କିଛି ସୁରାକ ନମିଳିବାରୁ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ରାତିସାରା ଗାଁଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବୁଧବାର ସକାଳୁ ସାଗରରୁ ମୃତଦେହ ଉଦ୍ଧାର ହେବା ପରେ ଶବ ରଖି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ।
ଖବର ପାଇ ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାର ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇ ଥିଲା। ଘଟଣା ପରଠାରୁ ସୋମବାରୁ, ଦଶରଥ ଓ ଗିରିଧାରୀ ଫେରାର ଅଛନ୍ତି। ପୁଲିସ କିଛି ଲୋକଙ୍କୁ ଅଟକ ରଖି କେସ୍ ନଂ ୧୩୮/ଧାରା ୩୦୨,୩୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଆଇଓ ଟୁନା ସେଠୀ କହିଛନ୍ତି।