ଅନୁଗୁଳ: ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଏବେ ପୁଣି ଚଳଚଞ୍ଚଳ ହୋଇଛି ବିଭିନ୍ନ ରାଜନୈତିକ ଶିବିର। ମେଣ୍ଟ ଚର୍ଚ୍ଚା ଭିତରେ ଅନୁଗୁଳ ଜିଲ୍ଲାର ରାଜନୈତିକ ପରିବେଶ ଏକଦମ୍‌ ଥଣ୍ଡା ପଡ଼ି ଯାଇଥିଲାବେଳେ ତାରିଖ ଘୋଷଣା ପରେ ନେତା ଗାଁ ମୁହାଁ ହୋଇଛନ୍ତି। ଏପଟେ ନିର୍ବାଚନ ତାରିଖ ଏଥର ପଛୁଆ ପଡ଼ିବାରୁ ‌ନେତାଙ୍କୁ ଖର୍ଚ୍ଚ ଚିନ୍ତା ବି ଘାରିଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୫ ତାରିଖରେ ଅନୁଗୁଳ ଜିଲ୍ଲାରେ ଭୋଟ୍‌ଗ୍ରହଣ ହେବ। ଗତ ୨୦୧୯ରେ ଏପ୍ରିଲ ଶେ‌ଷ ସପ୍ତାହରେ ଭୋଟ୍‌ଦାନ ହୋଇଥିଲାବେଳେ ଏଥର ପାଖାପାଖି ମାସେ ପଛୁଆ ମତଦାନ ହେବ। ଭୋଟ୍‌ ପାଇଁ ହାତରେ ଆଉ ପ୍ରାୟ ଦୁଇ ମାସ ସମୟ ରହିଥିଲାବେଳେ ନେତମାନେ ଗାଁମୁହାଁ ହୋଇଛନ୍ତି। ତେବେ ମେଣ୍ଟ ଦ୍ବନ୍ଦ୍ବ ହଟି ନଥିବାରୁ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା କିଛି ଚୂଡ଼ାନ୍ତ ହୋଇପାରୁନି। ଏପଟେ କଂଗ୍ରେସର ପ୍ରାର୍ଥୀ ତାଲିକା ଏକପ୍ରକାର ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପରେ ଏହା ଅଟକି ଯାଇଛି। କୌଣସି ଶିବିରରେ ପ୍ରାର୍ଥୀ ନେଇ ସ୍ପଷ୍ଟଚିତ୍ର ଆସି ନଥିଲେ ମଧ୍ୟ ଆଶାୟୀମାନେ ଛୋଟକାଟିଆ ସଭା କରି ନିଜ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟରେ ରହିଛନ୍ତି।

Advertisment

ବିଜେଡିକୁ ଆଶାୟୀ ଅଡ଼ୁଆ
ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତିକୁ ବିଜେପିର ଅପେକ୍ଷା
ନେତାଙ୍କ ଘରବାହୁଡ଼ା ଆଶାରେ କଂଗ୍ରେସ

ଏଥର ବିଜେଡିରେ ଆଶାୟୀ ଅଧିକ ଥିବାରୁ ଦଳରେ ପ୍ରାର୍ଥୀ ଚୟନ ସହଜ ହେବନି। ଜିଲ୍ଲାରେ ଥିବା ୫ ଜଣ ବିଧାୟକଙ୍କ ଭିତରୁ ଆଠମଲ୍ଲିକୁ ଛାଡ଼ିଦେଲେ ଅନ୍ୟସବୁ ବିଧାୟକ ଦଳୀୟ ଫୋରମ୍‌ରେ ସଂଗଠନ କାମ କରୁଛନ୍ତି। ଆଠମଲ୍ଲିକରେ ବିଧାୟକ ରମେଶ ସାଏଙ୍କ ବଦଳରେ ନଳିନୀ ପ୍ରଧାନଙ୍କୁ ଦଳ ସଂଗଠନ ଦାୟିତ୍ବ ଦେଇଥିଲାବେଳେ ତାଙ୍କ ଟିକେଟ ଏକପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି। ସେହିପରି ତାଳଚେର ବିଧାନସଭା କ୍ଷେତ୍ରରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନ ଥିବାରୁ ତାଙ୍କ ଟିକେଟ୍‌ ବି ଏକପ୍ରକାର ଚୂଡ଼ାନ୍ତ। ଅନ୍ୟ ୩ ବିଧାୟକଙ୍କୁ ଦଳ ସଂଗଠନ ଦାୟିତ୍ବ ଦେଇଥିଲେ ମଧ୍ୟ ମାଳମାଳ ଆଶାୟୀ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କାହାକୁ ଦଳ ଟିକେଟ ଦେବ ସେଥିନେଇ ଖୋଲାଖୋଲି କିଛି ସୂଚନା ମିଳିନଥିବାରୁ ସବୁ ଆଶାୟୀମାନେ କ୍ଷେତ୍ରରେ ବୁଲି ଲୋକସଂପର୍କ ବଢ଼ାଉଛନ୍ତି।

ବିଜେପିରେ ବି ପ୍ରାର୍ଥୀ ତାଲିକା ନେଇ ଅଡ଼ୁଆ ଛିଣ୍ଡୁନି। ଅନୁଗୁଳ, ଆଠମଲ୍ଲିକ ଓ ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀ ନେଇ କୌଣସି ସମସ୍ୟା ନ ଥିବା କୁହାଯାଉଛି। ଏହି ଆସନରେ ଯଥାକ୍ରମେ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା ଓ ସଂଜୀବ ସାହୁଙ୍କୁ ଇତି ମଧ୍ୟରେ ଇସାରା ମିଳିସାରିଥିବାରୁ ସେମାନେ ବୁଲିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଦ୍ବନ୍ଦ୍ବ ରହିଛି ତାଳଚେର ଓ ପାଳଲହଡ଼ାରେ। ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ଦଳ ରହିଛି। ଏପରିକି ଏହି ଦୁଇ ଆସନ ଭିତରୁ କୌଣସି ସ୍ଥାନରେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦଳା ଠାକୁର ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ବାଦ୍‌ ଦୁଇଟି ଯାକ ଆସନରେ ବିଜେପିର ଏକାଧିକ ଆଶାୟୀ ଥିବାବେଳେ ସମସ୍ତେ ନିଜ ନିଜ ବାଟରେ ସଂଗଠନ କାମ କରୁଛନ୍ତି। ପ୍ରାର୍ଥୀ ଚୟନ ନେଇ କଂଗ୍ରେସରେ ବିଶେଷ ଦ୍ବନ୍ଦ୍ବ ନଥିଲେ ମଧ୍ୟ ବିଜେଡି ଓ ବିଜେପି ସମ୍ଭାବ୍ୟ ମେଣ୍ଟ ନେଇ ଦଳ ଏବେ ଚିନ୍ତାରେ ପଡ଼ିଛି। ମେଣ୍ଟ ହେଲେ ବହୁ ଅସନ୍ତୁଷ୍ଟ ନେତା କଂଗ୍ରେସକୁ ଫେରିବାର ସମ୍ଭାବନା ଥିବାରୁ ଦଳ ଭାବିଚିନ୍ତି ପଦକ୍ଷେପ ନେଉଛି। ‌ଏହା ‌ସତ୍ତ୍ବେ ଅନୁଗୁଳ, ଆଠମଲ୍ଲିକ ଓ ଛେଣ୍ଡିପଦା ଆସନରେ ଦଳ ଏକପ୍ରକାର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ କରିଥିବା କୁହାଯାଉଛି। ତାଳଚେର ଓ ପାଳଲହଡ଼ାକୁ ନେଇ କିଛି ସମସ୍ୟା ରହିଛି। କଂଗ୍ରେସ ନିର୍ବାଚନୀ ବୈଠକରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।