ଯୋଡ଼ା: ଯୋଡା ସହରରେ ରାମ ନବମୀ ଝଣ୍ତାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଫଳରେ ଉତ୍ତେଜନା ଲାଗି ରହିଛି। ଗତକାଲି ରାତିରେ ପୁଣି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁଇଗୋଷ୍ଠୀ ଢ଼େଲାପଥର ମାଡ଼ କରିଥିଲେ। ସେପଟେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
ସଂଘର୍ଷ ହେତୁ ସହରରେ ୧୪୪ ଧାରା ଲାଗୁ କରାଯାଇଛି। ମାତ୍ର ଗତକାଲି ସଂଧ୍ୟାରେ ଏହାକୁ ସାମୟିକ କୋହଳ କରାଯାଇଥିଲା। ମାତ୍ର ରାତିରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇବାରୁ ଲାଗୁ ହୋଇଥିବା ୧୪୪ ଧାରାକୁ ଆସନ୍ତା ଶୁକ୍ରବାର ପୂର୍ବାହ୍ନ ୧୦ ଟା ଯାଏ ବଢ଼ାଇ ଦିଆଯାଇଛି। ଆଜି ମଧ୍ୟ ସ୍କୁଲ, କଲେଜ ବନ୍ଦ ରହିଛି। ଇଣ୍ଟରନେଟ ସେବା ବନ୍ଦ ଯୋଗୁଁ ଖଣି ଅଂଚଳରେ ଖଣିଜ ପରିବହନରେ ବ୍ୟାଘାତ ସୃଷ୍ଟି ହେବା ସହ ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ସେକ୍ଟର, ଘରୋଇ କାର୍ଯ୍ୟାଳୟ ତଥା ବାଣିଜ୍ୟିକ ସଂସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡିଛି। ଏଥିରେ ରାଜ୍ୟ ସରକାର ବ୍ୟାପକ ରାଜସ୍ବ ହାନି ହେଉଛି।
ସହରରେ ଶାନ୍ତି ବଜାୟ ରଖିବା ପାଇଁ ଆଜି ମଧ୍ୟ ଶାନ୍ତି କମିଟି ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ସଂପ୍ରଦାୟର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୁଜବ ଉପରେ ବିଶ୍ବାସ ନକରି ପ୍ରଶାସନ ଓ ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ନିଶାଦ୍ରବ୍ୟ ସେବନ କରି ଏହି ଘଟଣାକୁ ଯେଉଁ କିଛି ଅସାମାଜିକ ବ୍ୟକ୍ତି ବିଶୃଙ୍ଖଳିତ ପରିସ୍ଥିତ ସୃଷ୍ଟି କରିଛନ୍ତି ସେମାନଙ୍କ ଉପରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି।
ଯୋଡ଼ା ପୌର ସଭାଗୃହଠାରେ ଅନୁଷ୍ଠିତ ସଦ୍ଭାବନା କମିଟି ବୈଠକରେ ଉଭୟ ସମ୍ପ୍ରଦାୟର ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସହିତ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡବିଲ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦାମ ଚରଣ ସାହୁ, ଡିଏସପି ଜେମସ ଟନ୍ନୋ, ବଡବିଲ ଏସଡିପିଓ ହିଂମାଶୁ ଭୂଷଣ ବେହେରା, ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ, ବଡ଼ବିଲ ତହସିଲଦାର ଆଲୋକ ପଟେଲ, ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସହରରେ ଶାନ୍ତି ଭାଇଚାରା ଫେରାଇ ଆଣିବା ପାଇଁ ଆଲୋଚନା କରାଯାଇଥିଲା। ଏନେଇ ଉଭୟ ସମ୍ପ୍ରଦାୟର ପ୍ରତିନିଧିଙ୍କଠାରୁ ମତାମତ ନିଆଯାଇଥିଲା। ଉଭୟ ସମ୍ପ୍ରଦାୟର ପ୍ରତିନିଧି ସହରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ଯେଭଳି ଭାବେ ନିଷ୍ପତ୍ତି ନିଆଯିବ ତାହାକୁ ସେମାନେ ମାନିବେ ବୋଲି କହିଥିଲେ।
ଜିଲ୍ଲାରେ ଇଣ୍ଟରନେଟ ସେବାକୁ ପ୍ରଶାସନିକ ସ୍ତରରେ ବନ୍ଦ ରଖାଯାଇଛି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆଜି ମଧ୍ୟରାତ୍ରରୁ ସେବାକୁ ସକ୍ରିୟ କରିବା ପାଇଁ ପ୍ରସ୍ତାବ ଦେବେ ବୋଲି ଉପସ୍ଥିତ ବୈଠକରେ ଏସପି ପ୍ରକାଶ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହନୁମାନ ଝଣ୍ତା ଯୋଡା ମାର୍କେଟ ସ୍ଥିତ ଶିବ ମନ୍ଦିରରେ ଲଗାଇବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଭୟ ସମ୍ପ୍ରଦାୟର ସହମତି ପରେ ହନୁମାନ ଝଣ୍ତା ଆସନ୍ତକାଲି ସକାଳ ୯.୩୦ ରୁ ୧୦ ଟା ମଧ୍ୟରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ବିନା ସ୍ଲୋଗାନ ଓ ଘଣ୍ଟାରେ ନିର୍ଦ୍ଧାରିତ ରାସ୍ତାରେ ଯିବା ପାଇଁ ନିଷ୍ପତ୍ତି ହୋଇଛି।
ଏଥିରେ ଉଭୟ ସମ୍ପ୍ରଦାୟର ୪ ଜଣ ଲେଖାଏଁ ସଦସ୍ୟ ରହିବେ ଏବଂ ଖୋଦ୍ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବେ। ଆଜି ସନ୍ଧ୍ୟାରେ ରାମ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଯେଉଁସବୁ ପୂଜାପାର୍ବଣ ପାଳନ କରାଯିବ ତାହା ସଦଭାବନା କମିଟିର ନିଷ୍ପତ୍ତି ଅନୁଯାୟୀ ପାଳନ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି। ଶେଷରେ ଉଭୟ ସମ୍ପ୍ରଦାୟର ପ୍ରତିନିଧି ଭାଇଚାରାର ସଂପର୍କକୁ ବଜାଇରଖିବା ପାଇଁ ପରସ୍ପର ମଧ୍ୟରେ ହାତ ମିଳାଇଥିଲେ। ଯୋଡ଼ାରେ କେମିତି ଶାନ୍ତି ଫେରିଆସିବ ଏବଂ ଦୁଇ ସଂପ୍ରଦାୟ ମଧ୍ୟରେ ଭାଇଚାରାଭାବ ଫେରିଆସିବ ତାହାକୁ ନେଇ କେନ୍ଦୁଝରରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/7-12.jpg)