ସରକାରୀ କରୋନା ଟେଷ୍ଟିଂରୁ ଘରୋଇ ହସ୍ପିଟାଲ ବାଦ୍

ଜିଲ୍ଲାସ୍ତରରେ ଆରଟି-ପିସିଆର ଲ୍ୟାବ୍‌ କାର୍ଯ୍ୟକ୍ଷମ ପରେ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି
ଅତିରିକ୍ତ ନମୁନାକୁ ଆରଏମ୍‌ଆରସି, ଏସ୍‌ସିବିରେ କରାଯିବ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ଟେଷ୍ଟିଂ ପାଇଁ ଘରୋଇ ଲ୍ୟାବ୍‌ ଉପରେ ନିର୍ଭରଶୀଳତାକୁ କମାଇଛନ୍ତି। ଟେଷ୍ଟିଂ ପାଇଁ ସରକାରଙ୍କ ସହିତ ଘରୋଇ ଲ୍ୟାବ୍‌ର ଥିବା ଚୁକ୍ତିର ଆଉ ନବୀକରଣ କରାଯାଇ ନାହିଁ। ରାଜ୍ୟର ସବୁ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ହେବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ଲ୍ୟାବ୍‌ର କ୍ଷମତା ବାଦ୍ ଅତିରିକ୍ତ ନମୁନାକୁ ଆରଏମ୍‌ଆରସି କିମ୍ବା ଏସ୍‌ସିବିରେ ହିଁ ପରୀକ୍ଷା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ରୋଗୀଙ୍କ ପାଇଁ ରାପିଡ୍‌ ଆଣ୍ଟିଜେନ୍ ସମେତ ଆରଟି-ପିସିଆର ପରୀକ୍ଷା କରାଯାଉଥିଲା। ମାତ୍ର ଆରଟି-ପିସିଆର ଏକ ଉନ୍ନତମାନର ପରୀକ୍ଷା ହୋଇଥିବାରୁ ଏହାର ଆବଶ୍ୟକତା ବଢ଼ି ଯାଇଥିଲା। ଯେହେତୁ ଏ ସମୟରେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଆରଟି-ପିସିଆର ଲ୍ୟାବ୍ ନ ଥିଲା ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ଯେଉଁ କେତୋଟି ଘରୋଇ ଲ୍ୟାବ୍‌କୁ ପରୀକ୍ଷା ପାଇଁ ଅନୁମତି ମିଳିଥିଲା ତହିଁରୁ କିଛି ଲ୍ୟାବ୍‌କୁ ରାଜ୍ୟ ସରକାର ପରୀକ୍ଷା ପାଇଁ ଅନୁବନ୍ଧିତ କରିଥିଲେ। ପରୀକ୍ଷା ବାବଦ ଅର୍ଥ ରାଜ୍ୟ ସରକାର ବହନ କରୁଥିଲେ। ମାତ୍ର କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାରେ ଆରଟି-ପିସିସଆର ଲ୍ୟାବ୍‌ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ପ୍ରାୟ ସବୁ ଜିଲ୍ଲାରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଛି।

PitchBook

ନିକଟରେ ରାଜ୍ୟ ସରକାର ମଧ୍ୟ ସବୁ ଜିଲ୍ଲାକୁ ଟେଷ୍ଟିଂର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାସ୍ତରରେ ଆରଟି-ପିସିଆର ଲ୍ୟାବ୍‌ କାର୍ଯ୍ୟକ୍ଷମ ହେବା ପରେ ଘରୋଇ ଲ୍ୟାବ୍‌ ଉପରୁ ସରକାରଙ୍କ ନିର୍ଭରଶୀଳତା ହ୍ରାସ ପାଇଛି। ଗତମାସ ୧୫ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସହିତ ଘରୋଇ ଲ୍ୟାବ୍‌ ସହିତ ଚୁକ୍ତି ରହିଥିଲା ଓ ଏହାର ନବୀକରଣ ହୋଇନାହିଁ। ଅନୁବନ୍ଧିତ ଘରୋଇ ଲ୍ୟାବ୍ ଭିତରେ ଭୁବନେଶ୍ବରର ୪ ଓ ବରଗଡ଼ର ଗୋଟିଏ ଲ୍ୟାବ୍ ରହିଥିଲା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁ କେତୋଟି ଘରୋଇ ଲ୍ୟାବ୍‌ ସହିତ ରାଜ୍ୟ ସରକାର ଆରଟି-ପିସିଆର ପରୀକ୍ଷା ପାଇଁ ଚୁକ୍ତି କରିଥିଲେ ସେସବୁର ଆଉ ନବୀକରଣ ହୋଇନାହିଁ। ତେଣୁ ସରକାରୀ ହସ୍ପିଟାଲରେ ଯେଉଁ ନମୁନା ସଂଗ୍ରହ କରାଯାଉଛି ତାହା ଏସବୁ ଘରୋଇ ଲ୍ୟାବ୍‌କୁ ପଠାଯାଉ ନାହିଁ। ଜିଲ୍ଲାସ୍ତରରେ ଲ୍ୟାବ୍‌ମାନଙ୍କୁ ନମୁନା ପରୀକ୍ଷାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ବାଦ୍ ଅତିରିକ୍ତ ପରୀକ୍ଷା ଆରଏମ୍‌ଆରସି ଓ ଏସ୍‌ସିବିରେ କରାଯିବ। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି ଏହାସତ୍ତ୍ବେ ରାଜ୍ୟ ସରକାର ଦୈନିକ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ଜାରି ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, କୋଭିଡ-୧୯ ପ୍ରଥମେ ଚୀନ୍ ଓ ୟୁରୋପରେ ବ୍ୟାପିବା ପରେ ଭାରତକୁ ଆସିଥିଲା। ଏବେ ଯଦିଓ ଦେଶରେ ସଂକ୍ରମଣ କମ୍ ରହିଛି ତଥାପି କରୋନା ସଂପୂର୍ଣ୍ଣଭାବେ ଯାଇନାହିଁ। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୭୬, ସମ୍ବଲପୁର ୧୮, କଟକ ୧୪, ମୟୂରଭଞ୍ଜ ୧୨, ବାଲେଶ୍ବର‌ ୯ ଓ ଷ୍ଟେଟ୍‌ ପୁଲରୁ ୧୮ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏହାସହ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୬୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୩୭୯ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଆଉ ୨୫୪ କୋଭିଡ ରୋଗୀ ସୁସ୍ଥ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪୬୫କୁ ଖସି ଆସିଛି।

ସମ୍ବନ୍ଧିତ ଖବର