‘ସ୍ବୟଂ’ ପୋର୍ଟାଲରୁ ଓଡ଼ିଆ ଭାଷା ବାଦ୍, କେନ୍ଦ୍ରର ବୈମାତୃକ ମନୋଭାବର ନମୁନା : ରବି ବେହେରା

ଭୁବନେଶ୍ୱର : କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା, ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅଣଦେଖା କରି ଆସିଛନ୍ତି। ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ହେଉ କିମ୍ବା ଧାନର କୁଇଣ୍ଟାଲ ପିଛା ଏମ୍ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି ହେଉ, ଓଡ଼ିଶା ସବୁବେଳେ ଅବହେଳାର ଶିକାର ହୋଇଆସିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ଏବଂ ବୈଷୟିକ ଶିକ୍ଷା ପରିଷଦ ଦ୍ବାରା ନିୟନ୍ତ୍ରିତ ବୃହତ୍ ଅନ୍‌ଲାଇନ୍‌ ଶିକ୍ଷା ପୋର୍ଟାଲ ‘ସ୍ବୟଂ’ରୁ ଓଡ଼ିଆ ଭାଷାକୁ ବାଦ୍ ଦିଆଯିବା ଏହାର ସଦ୍ୟତମ ଉଦାହରଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି।

ଗୁଜରାଟୀ, ମରାଠୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲୟାଲାମ୍‌ ଭଳି ଆଞ୍ଚଳିକ ଭାଷାରେ ଏହି ପ୍ଲାଟ୍‌ଫର୍ମରେ ଶିକ୍ଷାଦାନ କରାଯାଉଥିବା ବେଳେ ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ଭାଷାକୁ ବାଦ୍ ଦେବାର ଉଦ୍ଦେଶ୍ୟ କ’ଣ? ଏହା ଓଡ଼ିଆ ଭାଷା ପ୍ରତି ଶିକ୍ଷା ମନ୍ତ୍ରଣାଳୟର ବିଦ୍ବେଷ ଓ ଭେଦଭାବ ନୀତିର ପରିଚାୟକ ନୁହେଁ କି ବୋଲି ଶ୍ରୀ ରବି ବେହେରା ପ୍ରଶ୍ନ କରିଛନ୍ତି। ଶ୍ରୀ ବେହେରାଙ୍କ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଲିଖିତ ଏକ ଚିଠିରେ ଉକ୍ତ ଅନ୍‌ଲାଇନ୍‌ ଶିକ୍ଷା ପୋର୍ଟାଲରେ ଓଡ଼ିଆ ଭାଷାକୁ ଯଥାଶୀଘ୍ର ସାମିଲ କରିବା ପାଇଁ ଦାବି କରାଯାଇଛି। ଏହି ପତ୍ରର ଏକକିତା ନକଲ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରି ଓଡ଼ିଶାର ସ୍ବାଭିମାନ ଏବଂ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏ ସମ୍ପର୍କରେ ଦେଶର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର