ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ‘ସ୍ବୟଂ’ ଅନ୍ଲାଇନ୍ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ୍ ପଡ଼ିବା ଘଟଣାକୁ ନେଇ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ସହ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତଙ୍କ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ବର୍ତ୍ତମାନ ସମୟରେ ପିଲାମାନେ ଅନଲାଇନ୍ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟ୍ୱାର୍କ ସୁଦୃଢ଼ୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି ଏବଂ ସ୍ବୟଂ ଅନଲାଇନ୍ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା। ଏଥିରେ ବିଜ୍ଞାନ, ବୈଷୟିକ ଶିକ୍ଷା, ଫାର୍ମାସୀ, ସାମାଜିକ ବିଜ୍ଞାନ, ଆଇନ ଓ ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ବିଷୟ ଆଇଆଇଟି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ବାରା ପ୍ରସ୍ତୁତ ହେଉଛି। ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ, ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ସମେତ ୧୦ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ପାଇଁ ଘୋଷଣା କରିଥିଲେ। ଏଆଇସିଟିଇ ପକ୍ଷରୁ ପାଠ୍ୟପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ଏବେ ସାମ୍ନାକୁ ଆସିଛି। ପୂର୍ବରୁ ଓଡ଼ିଆ ଭାଷାରେ ପାଠ୍ୟ ବିଷୟ ଉପଲବ୍ଧ ନେଇ ଘୋଷଣା ହୋଇଥିବା ବେଳେ ଅଧାରୁ ଏହାର ପରିବର୍ତ୍ତନ କରିବା ଠିକ ନୁହେଁ। ହିନ୍ଦୀ, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲଗୁ, କନ୍ନଡ଼, ମାଲାୟାଲାମ ପରି ଭାଷାରେ ପିଲାମାନେ ପଢ଼ିବାର ସୁଯୋଗ ପାଉଥିବା ବେଳେ ଓଡ଼ିଆ ପିଲାଙ୍କୁ ଏଥିରୁ ବଞ୍ଚିତ କରାଯିବା ଗ୍ରହଣୀୟ ନୁହେଁ। ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ ଏବାବଦରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ସହ ଓଡ଼ିଆ ପିଲାଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଏ ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Tusharkanti-Behera.jpg)