ଅନିଲ ଅଗ୍ରୱାଲଙ୍କ କ୍ଷୋଭ: କୋଇଲା ମିଳୁ ନାହିଁ

ଭୁବନେଶ୍ବର : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିଥିବା ଘରୋଇ କମ୍ପାନିକୁ ଆବଶ୍ୟକତା ଅନୁଯାୟୀ କୋଇଲା ମିଳୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ। ଓଡ଼ିଶାର କୋଇଲା ରାଜ୍ୟ ବାହାରକୁ ଯାଉଥିଲା ବେଳେ ଓଡ଼ିଶାର ଶିଳ୍ପ ପାଇଁ ମିଳୁ ନ ଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଘରୋଇ କମ୍ପାନି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଓଡ଼ିଶାର ୫ ଲକ୍ଷ ଜଡ଼ିତ। ସରକାରୀ ସଂସ୍ଥାକୁ ‌ଶତ ପ୍ରତିଶତ କୋଇଲା ମିଳୁଥିଲା ବେଳେ ଘରୋଇ କମ୍ପାନିକୁ ମାତ୍ର ୨୫ ପ୍ରତିଶତ ମିଳୁଛି। ଅବଶିଷ୍ଟ କୋଇଲା ଯୋଗାଡ଼ କରିବାକୁ ବହୁ କଷ୍ଟ କରିବାକୁ ପଡ଼ୁଛି। ଏ ଦିଗରେ ସରକାର ଗୁରୁତ୍ବର ସହ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଅଗ୍ରୱାଲ। ଏଥିରେ ସରକାରୀ ନିୟମକାନୁନ୍, କଟକଣା ଆଳକୁ ଛାଡ଼ି ସମାଧାନର ବାଟ ତୁରନ୍ତ ଖୋଜାଯାଉ। ଓଡ଼ିଆ ଲୋକମାନେ ମଧ୍ୟ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ପ୍ରସଙ୍ଗ କରି ସ୍ବର ଉତ୍ତୋଳନ କରିବାକୁ ‌ଶ୍ରୀ ଅଗ୍ରୱାଲ ଆହ୍ବାନ ଦେଇଛନ୍ତି।

‘ମେକ୍‌ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ଆସିଥିବା ଅବସରରେ ବେଦାନ୍ତ ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ, କଳାହାଣ୍ଡିକୁ ନେଇ ସାରା ଦେଶ ଓ ବାହାରେ ଅପବାଦ ରହିଥିଲା। କଳାହାଣ୍ଡିର ବିକଳ ଚିତ୍ର ସବୁବେଳେ ବାହାରେ ପ୍ରଦର୍ଶିତ ହେଉଛି। ତେଣୁ କଳା‌ହାଣ୍ଡିରେ କିଛି ଶିଳ୍ପ ପ୍ରତିଷ୍ଠା ପାଇଁ ୧୯୯୪ ମସିହା‌େର ବିଜୁ ପଟ୍ଟନାୟକ ମୋତେ ନିମନ୍ତ୍ରଣ କରିଥିଲେ। ସେହି ବର୍ଷ କଳାହାଣ୍ଡି ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଥିଲି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିଲି। ଲାଞ୍ଜିଗଡ଼ରେ ଶିଳ୍ପ ପ୍ରତିଷ୍ଠା ପରେ ଗତ ୧୫ ବର୍ଷ ହେଲା ‌କଳାହାଣ୍ଡିର ବିକାଶରେ ବେଦାନ୍ତ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ୧୫ ଲକ୍ଷ ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିଥିଲା ବେଳେ ରାସ୍ତା, ରେଳ ଯୋଗାଯୋଗ ସବୁଥିରେ ଉନ୍ନତି ଆସିଛି। ଲାଞ୍ଜିଗଡ଼ ପ୍ରକଳ୍ପରୁ ବେଦାନ୍ତ ଆଦୌ ଲାଭ ନେଇ ନାହିଁ, ବରଂ ୩ ହଜାରରୁ ୪ ହଜାର କୋଟି ଟଙ୍କା କ୍ଷତି ସହିଛି। କିନ୍ତୁ ଏକ ଅବହେଳିତ ଅଞ୍ଚଳର ବିକାଶରେ ସାମିଲ୍ ହୋଇଥିବାରୁ ଆତ୍ମସନ୍ତୋଷ ମିଳିଛି ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ପୁଞ୍ଜିନିବେଶକାରୀଙ୍କୁ ଆହ୍ବାନ ଦେଇ ସେ ଆହୁରି କହିଛନ୍ତି, ପୁଞ୍ଜିନିବେଶ ପାଇଁ କଳାହାଣ୍ଡି ପ୍ରକୃଷ୍ଟ ସ୍ଥାନ। ଏଠାରେ ପାଣି, ଜମି, ବିଜୁଳି ପର୍ଯ୍ୟାପ୍ତ ମିଳିପାରୁଛି। ଅଧିକରୁ ଅଧିକ ଶିଳ୍ପପତି କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ସେହିପରି ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ାରେ ପ୍ରତିଷ୍ଠା କରାଯାଇଥିବା ଆଲୁମିନିୟମ୍‌ ପାର୍କ ଏସିଆ ମହାଦେଶର ଏକ ଶ୍ରେଷ୍ଠ କମ୍ପ୍ଲେକ୍ସ ବୋଲି ସେ କହିଥିଲେ।

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ନେଇ ଶ୍ରୀ ଅଗ୍ରୱାଲ ଏବେ ବି ଆଶାବାଦୀ ଥିବା କହିଥିଲେ। ‌ତାଙ୍କ କହିବା ଅନୁଯାୟୀ ପୁରୀରେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ସମସ୍ତେ ଆଗ୍ରହୀ ଅଛନ୍ତି। ସରକାର ଓ ସ୍ଥାନୀୟ ଲୋକ ବି ବିଶ୍ବବିଦ୍ୟାଳୟ ଚାହୁଁଛନ୍ତି। କିଛି ବିରୋଧାଭାସ ଆସିଛି। ସୁପ୍ରିମକୋର୍ଟରେ ମାମଲା ଚାଲିଛି। କିନ୍ତୁ ସବୁ ଆଇନଗତ ବିବାଦ ତୁଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ଯଦିଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ‌େନଇ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ସହ ବେଦାନ୍ତର ଆଲୋଚନା ହୋଇଛି, ତେବେ ପୁରୀକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଥିଲେ। ବେଦାନ୍ତ ଜମି ଲୋଭରେ ପୁରୀରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଚାହୁଁଛି ବୋଲି ହେଉଥି‌ବା ଅଭିଯୋଗ ଉପରେ ସେ କହିଥିଲେ, ବେଦାନ୍ତକୁ କ’ଣ ଜମି ଅଭାବ ଅଛି ଯେ ପୁରୀରେ ଜମି ଲୋଭ ରଖିବ ?

ସମ୍ବନ୍ଧିତ ଖବର