ସଂସଦରେ ବିଜେଡି ସହିତ କୌଣସି ଗୁପ୍ତ ବୁଝାମଣା ନାହିଁ : ପ୍ରକାଶ ଜାଭଡେକର

ସଂସଦରେ ବିଲ୍‌ଗୁଡ଼ିକୁ ସମର୍ଥନ କରିବାରେ ବିଜେଡି ସହିତ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ। ଏହି ଅଭିଯୋଗ କେବଳ କପୋଳକଳ୍ପିତ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ କହିଛନ୍ତି। ସଂସଦ ବିଭିନ୍ନ କାର୍ଯ୍ୟ ଓ ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଶ୍ରୀ ଜାଭଡ଼େକରଙ୍କ ସହ ସମ୍ବାଦର ନୂଆଦିଲ୍ଲୀ ପ୍ରତିନିଧି ନଇମ ଅଖତାରଙ୍କ ବିଶେଷ ସାକ୍ଷାତକାର।

ପ୍ରଶ୍ନ- ଚଳିତ ବଜେଟ୍‌ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଗୃହୀତ ହୋଇଛି। ବିଜେଡି ଅନେକ ବିଲ୍‌କୁ ସମର୍ଥନ କରିବା ପଛରେ ବିଜେପି ସହିତ କିଛି ଗୁପ୍ତ ବୁଝାମଣା ରହିଥିବା ଅଭିଯୋଗ ହେଉଛି। ଏ ପ୍ରସଙ୍ଗରେ କ’ଣ କହିବେ?
ଉତ୍ତର- କୌଣସି ଗୁପ୍ତ ବୁଝାମଣା ନାହିଁ । ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଆମେ ବିଜେଡିର ମୁଖ୍ୟ ବିରୋଧୀ ଦଳ ରୂପେ ନିର୍ବାଚନ ଲଢ଼ିଥିଲୁ। ନିର୍ବାଚନ ପରିଣାମ ଯାହା ଆସିଲା ତାହା ଅଛପା ନାହିଁ। ଆମ ଦଳକୁ ଲୋକସଭାରେ ବହୁତ ଭଲ ସଫଳତା ମିଳିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଆମର ଆଶାନୁରୂପ ପ୍ରଦର୍ଶନ ରହିଲା ନାହିଁ। ସଂସଦରେ ସରକାରଙ୍କ ଦ୍ବାରା ବିଲ୍ ଆଗତ କରାଯିବା ତଥା ଗୃହୀତ ହେବା ସବୁବେଳେ ସଂସଦରେ ଦଳମାନଙ୍କ ଦ୍ବାରା ପ୍ରସଙ୍ଗଭିତ୍ତିକ ସମର୍ଥନ ରହିଥାଏ। ଅନେକ ବିଲ୍‌କୁ କଂ‌େଗ୍ରସ ମଧ୍ୟ ସମର୍ଥନ କରୁଛି। ତା’ ବୋଲି କ’ଣ କଂଗ୍ରେସ ସହିତ ବିଜେପିର ଗୁପ୍ତ ବୁଝାମଣା ହୋଇଛି ବୋଲି ଧରିନିଆଯିବ କି? ଏହା ସଂସଦୀୟ ଗଣତନ୍ତ୍ରର ଦାୟିତ୍ବ । ବିଭିନ୍ନ ଦଳ ସେମାନଙ୍କ ମତ ଦେଇଥାନ୍ତି। ଗୁପ୍ତ ବୁଝାମଣା ଅଭିଯୋଗ କପୋଳକଳ୍ପିତ।

ପ୍ରଶ୍ନ- ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ କେତେ ସୁଦୃଢ଼ ହେବ?
ଉତ୍ତର- ଆମର ସମସ୍ତ ରାଜ୍ୟମାନଙ୍କ ସହିତ ଭଲ ସମ୍ପର୍କ ରହିଛି। କାରଣ ଆମେ ଲୋକତନ୍ତ୍ରରେ ଏବଂ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ କରୁ। ଜିଏସ୍‌ଟି ଭଳି ପ୍ରସଙ୍ଗ ଉଦାହରଣ ସାଜିଛି। ଜିଏସ୍‌ଟି ପରିଷଦରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏକ ରାୟରେ ନିୟମ, ଦର, ଆଇନ ଭଳି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥାନ୍ତି। ଜିଏସ୍‌ଟି ପରିଷଦରେ କେବେ ମଧ୍ୟ ଭୋଟିଂ ହୋଇନାହିଁ। ଏହା ଗଠନମୂଳକ ସହଯୋଗ।

ପ୍ରଶ୍ନ- ପୋଲାଭରମ୍ ପ୍ରକଳ୍ପରେ ଆନ୍ଧ୍ରପ୍ରଦେଶକୁ ୨୦୧୧ର କାର୍ଯ୍ୟ ବନ୍ଦ ଆଦେଶାନାମାକୁ ସ୍ଥଗିତ ରଖାଯାଇ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ ଅନୁମତି ଦିଆଯାଇଛି। ଓଡ଼ିଶାର ଆପତ୍ତି ସତ୍ତ୍ବେ ଏଭଳି ଅନୁମତି ନେଇ କ’ଣ କହିବେ?
ଉତ୍ତର- ପରିବେଶ ସୁରକ୍ଷା ସହିତ ବିକାଶକୁ ମଧ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଆନ୍ଧ୍ରପ୍ରଦେଶକୁ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ପାଇଁ ଯେଉଁ ଅନୁମତି ଦିଆଯାଇଛି ସେଥିରେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଜଳମଗ୍ନ ହେବାର ଯେଉଁ ସମ୍ଭାବନା ବ୍ୟକ୍ତ କରାଯାଇଛି, ସେଠାରେ ଜଳ ଯେଭଳି ପ୍ରବେଶ କରିବ ନାହିଁ ସେତିକି ହିଁ ଅନୁମତି ଦିଆଯାଇଛି। ଜଳମଗ୍ନ ସମସ୍ୟା ଉପୁଜିଲେ ଆଗକୁ ବିଚାରବିମର୍ଶ କରାଯିବ ଓ ବିଚାରବିମର୍ଶ ମଧ୍ୟ ଜାରି ରହିଛି।

ପ୍ରଶ୍ନ-ଚଳିତ ବାଘଗଣନା ରିପୋର୍ଟରେ ଦେଶରେ ତ ବାଘ ସଂଖ୍ୟା ବଢ଼ିଲା। କିନ୍ତୁ ଓଡ଼ିଶାରେ ବାଘ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ଆପଣ କ’ଣ ସବୁ ପଦକ୍ଷେପ ନେବେ?
ଉତ୍ତର- ଦେଶରେ ବାଘ ସୁରକ୍ଷା ଓ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି । ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ ଯେଉଁଠାରେ ବାଘ ସଂଖ୍ୟା ବୃଦ୍ଧି ହୋଇନାହିଁ ସେସବୁ ଅଞ୍ଚଳରେ ଆମର ପ୍ରାଥମିକତା ରହିବ ଏବଂ ସେନେଇ ଗୁରୁତ୍ବ ଦିଆଯିବ। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।

ପ୍ରଶ୍ନ- ବାଘ ଗଣନା ରିପୋର୍ଟର ସତ୍ୟତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଏନେଇ କ’ଣ କହିବେ?
ଉତ୍ତର- ସନ୍ଦେହ ବ୍ୟକ୍ତ କରାଯିବା ଉଚିତ୍‌ ନୁହେଁ। ଆନ୍ତରାଷ୍ଟ୍ରୀୟ ପଦ୍ଧତିରେ ଅନ୍ତର୍ଗତ ବାଘ ଗଣନା ହେଉଛି। ଆମର ପଦ୍ଧତି ସର୍ବୋତ୍ତମ। ଭାରତ ବାଘଙ୍କ ପାଇଁ ସର୍ବବୃହତ୍‌ ଓ ସର୍ବାଧିକ ବାସସ୍ଥଳୀରେ ପରିଣତ ହୋଇଥିବା ଏହି ଗଣନାରୁ ସ୍ପଷ୍ଟ ରୂପେ ଜଣାପଡ଼ିଛି।

ପ୍ରଶ୍ନ- ଫନି ବାତ୍ୟା ଯୋଗୁଁ ବ୍ୟାପକ ମାତ୍ରାରେ ଓଡ଼ିଶାରେ ସବୁଜିମା ନଷ୍ଟ ହୋଇଛି। ବୃକ୍ଷରୋପଣ କାର୍ଯ୍ୟ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାରେ ଯୋଜନା ଅଛି କି?
ଉତ୍ତର- ରାଜ୍ୟ ସରକାରଙ୍କ ଦ୍ବାରା ନିଶ୍ଚିତ ରୂପେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉଥିବ। ପ୍ରସ୍ତାବ ମିଳିଲେ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ମନ୍ତ୍ରାଳୟ ଦ୍ବାରା ସୋସିଆଲ ଫରେଷ୍ଟ୍ରି, ଆଗ୍ରୋ ଫରେଷ୍ଟ୍ରି ଓ ବୃକ୍ଷରୋପଣ କାର୍ଯ୍ୟ ପାଇଁ ରାଜ୍ୟମାନଙ୍କୁ ଉତ୍ସାହିତ କରାଯାଉଛି।

ପ୍ରଶ୍ନ- ଅନେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନ୍ୟୁଜ୍ ପ୍ରିଣ୍ଟ ପେପର୍‌ ଆମଦାନି ଉପରେ ଲାଗୁ କରାଯାଇଥିବା ୧୦ ପ୍ରତିଶତ ସୀମା ଶୁଳ୍କ ହଟାଇବା ପାଇଁ ଦାବି କରାଯାଉଛି। ଏନେଇ କ’ଣ ନିଷ୍ପତ୍ତି ନେବେ?
ଉତ୍ତର- ଏ ନେଇ ସମ୍ବାଦପତ୍ର ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ବିଚାରବିମର୍ଶ କରାଯାଇଛି। ଷ୍ଟେକ୍ ହୋଲ୍ଡରମାନଙ୍କ ସହିତ ମଧ୍ୟ ବୈଠକ କରାଯାଇଛି। ବଜେଟ୍ ଅଧିବେଶନ ପରେ ଆଉଥରେ ସେମାନଙ୍କ ସହିତ ପୁଣି ଥରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର