ଗଣଶିକ୍ଷା ସଚିବ ଓ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କର

କଟକ: ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ୨୦୧୯, ଅଗଷ୍ଟ ୨୦ର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯, ଅଗଷ୍ଟ ୨୦ର ନିର୍ଦ୍ଦେଶ ୧୫ ଦିନ ଭିତରେ କାର୍ଯ୍ୟକାରୀ କରାଯିବ। ଏଥିରେ ଅବହେଳା ହେଲେ ପ୍ରତିପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ସ୍ବତଃସ୍ଫୂର୍ତ୍ତ ଭାବେ ଆରମ୍ଭ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ବରଂଜନ ପ୍ରଧାନ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଓପେପା ଅଧୀନରେ କାର୍ଯ୍ୟ କରୁଥିବା ଆବେଦନକାରୀ କର୍ମଚାରୀଙ୍କ ଦରମା/ପ୍ରାପ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ହାରରେ ସ୍ଥିର ରଖିବା ସଂପର୍କିତ ସରକାରଙ୍କ ୨୦୧୯, ଅଗଷ୍ଟ୧ର ବିଜ୍ଞପ୍ତି ଉପରେ ହାଇକୋର୍ଟ ୨୦୧୯, ଅଗଷ୍ଟ ୨୦ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏଥିସହିତ ଏହି ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ହାଇକୋର୍ଟଙ୍କ ଅଗଷ୍ଟ ୨୦ର ନିର୍ଦ୍ଦେଶ ପାଳନ‌ କରିବାରେ ଅବହେଳା କରାଯାଇଥିଲା ବୋଲି ଦର୍ଶାଇ ଆବେଦନକାରୀ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୬ରେ ‌ଓପେପା ସୋସାଇଟି ଆକ୍ଟ ଅନୁସାରେ ଗଠନ କରାଯାଇଥିଲା। ୨୦୧୩, ଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା ପରିଷଦ ବୈଠକ ନିଷ୍ପତ୍ତି ଅନୁସାରେ ଏବେ ଓପେପାର ଅଧିକାରୀ ଓ କର୍ମଚାରୀ ଦରମା ପାଉଛନ୍ତି। ଏହି ନିଷ୍ପତ୍ତି ଓପେପା ନିର୍ବାହୀ କମିଟି ୨୦୧୪, ମାର୍ଚ୍ଚ ୩ରେ ଅନୁମୋଦନ କରିଥିଲା। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଦରମା ହାରରେ ଓପେପା ନିର୍ବାହୀ କମିଟି ଦ୍ବାରା ସୃଷ୍ଟି ହୋଇଥିବା ପଦବିରେ ନିଯୁକ୍ତି ପାଇଥିବା କର୍ମଚାରୀ ଓ ଅଧିକାରୀ ପ୍ରାପ୍ୟ ପାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ସତ୍ବେ ଓପେପା ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ କମ୍ ଦରମା ପ୍ରଦାନ କରାଯାଉଥିଲା। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ଗତବର୍ଷ ଅଗଷ୍ଟ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୨୦୧୯, ମାର୍ଚ୍ଚ ୩୧ରେ ଓପେପା କର୍ମଚାରୀ ଯେଉଁ ଦରମା ପାଉଥିଲେ ବର୍ତ୍ତମାନ ସେହି ହାରରେ ସେମାନଙ୍କ ଦରମା ସ୍ଥିର ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରି ବିଜ୍ଞପ୍ତି ଆଇନ ଉଲ୍ଲଂଘନ କରି ପ୍ରକାଶ କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର