୬.୭୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ, ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ 

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ଇଲେକ୍‌ଟ୍ରିକାଲ୍‌) ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି। ଯାଞ୍ଚ ସରିବା ପରେ ନିର୍ବାହୀ ଯନ୍ତ୍ରୀ ସେଠୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୭କୋଟି ୮୩ଲକ୍ଷ ୭ହଜାର ୪୯୮ ଟଙ୍କାର ସ୍ଥାବର ଅବସ୍ଥାବର ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି। ତନ୍ମଧ୍ୟରୁ ୬କୋଟି ୭୯ଲକ୍ଷ ୬୨ହଜାର ୭୪୮ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୩/୨୨ରେ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହା ସହିତ ତାଙ୍କର ପତ୍ନୀ ଓ ବଡ଼ପୁଅ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ଗତ ୯ତାରିଖ ସକାଳେ ୫ଟି ସ୍ଥାନରେ ଚଢ଼ଉ କରିଛି। ବ୍ରହ୍ମପୁର ଗଜପତିନଗର ୧୧ମ ଲାଇନ୍‌ରେ ଥିବା ୫ମହଲା କୋଠା, ଭୁବନେଶ୍ବର ଏମ୍‌ସ ନଗର ତୃତୀୟ ଲାଇନ୍‌ରେ ଥିବା ୪ମହଲା ଘର, ଗଜପତିନଗର ଅଷ୍ଟମ ଲାଇନ୍‌ରେ ଥିବା ୪ମହଲା ଘର, ଛତ୍ରପୁର ଥାନା ପୁତବଗଡ଼ ସ୍ଥିତ ପୈତୃକ ଘର ଓ ଆମ୍ବପୁଆ ସ୍ଥିତ ଅଫିସ୍‌ରେ ଚଢ଼ଉ କରାଯାଇଛି। ଜଣେ ଏଏସ୍‌ପି, ୪ଜଣ ଡିଏସ୍‌ପି, ୧୦ଜଣ ଇନ୍‌‌ସ୍ପେକ୍ଟର୍‌ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୫ଟି ଟିମ୍‌ ଚଢ଼ଉ କରିଥିଲା।  ସମ୍ପତ୍ତି ତାଲିକା ମଧ୍ୟରେ ୩ଟି କୋଠା, ଭୁବନେଶ୍ବର, ଜଟଣି ଓ ବ୍ରହ୍ମପୁରରେ ୧୭ଟି ପ୍ଲଟ୍‌, ୨ଟି ଏସ୍‌ୟୁଭି(ସ୍ପୋଟର୍ସ ୟୁଟିଲିଟି ଭେଇକିଲ୍‌), ୩ଟି ଦୁଇ ଚକିଆ ଗାଡ଼ି, ୫୮ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ସୁନା ଗହଣା ରହିଛି। ସେହିପରି ୧୯ଲକ୍ଷ ୮୮ହଜାର ଟଙ୍କା ନଗଦ ମିଳିଥିଲା। ଯାଞ୍ଚ ସରିବା ପରେ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ନାମରେ ମୋଟ ୬କୋଟି ୭୯ଲକ୍ଷ ୬୨ହଜାର ୭୪୮ଟଙ୍କାର  ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଯାହାକି ତାଙ୍କର ଆୟ ଠାରୁ ୩୫୮ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର