ଟ୍ରକ୍-ମାରୁତି ମୁହାଁମୁହିଁ: ନିର୍ବାହୀ ଯନ୍ତ୍ରୀ, ଡ୍ରାଇଭର ମୃତ

ପାଣିକୋଇଲି/ଯାଜପୁରସଦର : ପାଣିକୋଇଲି-ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଡାଇଭର୍ସନ କରାଯାଇ ଗୋଟିଏ ରାସ୍ତାରେ ଗାଡ଼ି ଚଳାଚଳ କରୁଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦବିନ୍ଧା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ତାଙ୍କର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସହକାରୀ ଯନ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଥିବା ରଶ୍ମିରଞ୍ଜନ ସେନାପତି ଓ ତାଙ୍କର ଜଣେ ସହଯୋଗୀ ତଥା ଉକ୍ତ ବିଭାଗର ରାଇରଙ୍ଗପୁର ସହକାରୀ ଯନ୍ତ୍ରୀ ନିମାପଡ଼ା ଅଞ୍ଚଳର ସୁଜେନ୍ଦୁ କୁମାର ଦାସ ଏକ କାର୍‌ରେ ଭୁବନେଶ୍ବରରୁ ବାରିପଦା ଯାଉଥିଲେ। ସକାଳ ୯ଟା ବେଳେ ମୁକୁନ୍ଦବିନ୍ଧା ଠାରେ ତାଙ୍କ ୱାଗନର୍‌ କାର( ଓଡି-୩୩ଏମ-୯୭୦୯) ଓ ଏକ ଟ୍ରକ୍‌(ଓଆର-୦୯ପି-୪୫୭୨) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ରାଜପଥ ସମ୍ପ୍ରସାରଣ କାମ ଚାଲୁଥିବାରୁ ରାସ୍ତାର ଗୋଟିଏ ପଟେ ଗାଡ଼ି ଚଳାଚଳ କରୁଛି। ତେଣୁ ଭୁବନେଶ୍ବରରୁ ଆସୁଥିବା ଶ୍ରୀ ସେନାପତିଙ୍କ କାର୍‌ଟି ରାସ୍ତାର ବାମପଟେ ଥିବାବେଳେ କେନ୍ଦୁଝରରୁ ପାରାଦୀପ ଯାଉଥିବା ଲୁହାପଥର ବୋଝେଇ ଟ୍ରକ୍‌ଟି ଡାହାଣ ପଟକୁ ମାଡ଼ିଯାଇ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ କାର୍‌ ପଛରେ ବସିଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେନାପତିଙ୍କର ମୃତ୍ୟୁ ଘଟିଥିଲା। ପରେ କାର୍‌ ଚାଳକ ନିମାପଡ଼ା ପାଇକ ସାହି ଅଞ୍ଚଳର ଜୟରାମ ସାମନ୍ତସିଂହାରଙ୍କର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଥିଲା। ଦୁର୍ଘଟଣା ପରେ କିଛି ସମୟ ପ‌ାଇଁ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର