ଭିଜିଲାନ୍ସ ପଞ୍ଝାରେ କୁବେର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

୮ ସ୍ଥାନରେ ଚଢ଼ଉ, ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର/ଉଦଳା-୧  : ଆଲିସାନ ଘରେ ରହୁଥିଲେ। ସଉକ୍‌ ବି କିଛି କମ୍‌ ନଥିଲା। ରୁପା ଗ୍ଲାସରେ ପାଣି ପିଉଥିଲେ। ଦିନ ଅନୁସାରେ ଦାମୀ ଘଣ୍ଟା ପିନ୍ଧୁଥିଲେ। ପୁଳା ପୁଳା ସୁନା ଗହଣା, ଦାମୀ ଘଣ୍ଟା, ଦାମୀ ଗାଡ଼ି କେଉଁଥିରେ କିଛି କମ୍‌ ନଥିଲା। ପ୍ଲଟ ଉପରେ ପ୍ଲଟ, ଫ୍ଲାଟ। କୌଣସି ରାଜକୀୟ ଚାଲିଚଳଣି ଠାରୁ କିଛି କମ୍‌ ନଥିଲା। ଅବସରକୁ ଆଉ ୬ମାସ ବାକି ଥିବା ବେଳେ ଆୟ ବହିର୍ଭୂ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା ଉଦଳା ଆର୍‌ଡବ୍ଲୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଚଢ଼ଉ ବେ‌ଳେ ଏଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ଭିଜିଲାନ୍ସର ୮ଟି ଟିମ୍‌ ମୟୂରଭଂଜ, ଭୁବନେଶ୍ବର,‌ କେନ୍ଦ୍ରାପଡ଼ା, କଟକ ଆଦି ୮ଟି ସ୍ଥାନରେ ଚଢ଼ଉ କରି ନଗଦ ୨୬ଲକ୍ଷ ଟଙ୍କା, କେଜିଏ ସୁନା, ୧୨ଟି ପ୍ଲଟ, ଗୋଟିଏ ତିନିମହଲା ଘର, ଫ୍ଲାଟ ଆଦି ୫କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।

୨୬ ଲକ୍ଷ ଟଙ୍କା, କେଜିଏ ସୁନା, ୧୨ ପ୍ଲଟ ଏବଂ ଫ୍ଲାଟ
ବାପା ଇଞ୍ଜିନିୟର, ପୁଅ ଠିକାଦାର
୬ମାସପରେ ଅବସର ନେଇଥାଆନ୍ତେ

ସୂଚନା ମୁତାବକ, ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ସୋମବାର ଦିନ ଅଚାନକ ଭିଜିଲାନ୍ସର ୮ଟି ଟିମ୍‌ ସମାନ୍ତରାଳ ଭାବେ ଶ୍ରୀ ପଣ୍ଡାଙ୍କ ଉଦଳାସ୍ଥିତ ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟର ସମେତ ୮ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ୱର ଆଇଗିଣିଆ ସ୍ଥିତ ୫ହଜାର ବର୍ଗଫୁଟ୍‌ରେ ଥିବା ୨କୋଟିରୁ ଊର୍ଧ୍ବ ଟଙ୍କାର ଖାରବେଳ କମ୍ପ୍ଲେକ୍ସ, ପାତ୍ରପଡ଼ାରେ ଟାୱାର ବ୍ଲୁ ହ୍ବିଲ ଆପାର୍ଟମେଣ୍ଟ, ଖଣ୍ଡଗିରିରେ ସପିଂ କମ୍ପ୍ଲେକ୍ସ, ଏସ୍‌ପିଏସ୍‌ କନଷ୍ଟ୍ରକ୍ସନ, ୧୨ଟି ପ୍ଲଟରୁ ଭୁବନେଶ୍ବର ପ୍ରମୁଖ ସ୍ଥାନରେ ୫ଟି ପ୍ଲଟ, କେନ୍ଦ୍ରାପଡ଼ାରେ ୫ଟି ଏବଂ କଟକରେ ଦୁଇଟି ପ୍ଲଟକୁ ଠାବ କରାଯାଇଛି। ସେହିପରି ନୂଆପଲ୍ଲୀ ଏନ୍ ୬ରେ ତ୍ରିବେଣୀ ଅଟୋଟେକ ସହ କେନ୍ଦ୍ରାପଡ଼ା ଦାନପୁରରେ ଥିବା ଘର, ଓସ୍ତପୁରରେ ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ଉ ସମୟରେ ନୂଆପଲ୍ଲୀରେ ଥିବା ସମୁଦିଙ୍କ ଘରୁ ନଗଦ ୨୫ଲକ୍ଷ ଟଙ୍କା, ୩୦ରୁ ଅଧିକ ଦାମୀ ଘଣ୍ଟା ଜବତ ହୋଇଛି। ଏହାଛଡ଼ା ଏକାଧିକ ରୁପା ଗ୍ଲାସ, କୋଟିଏରୁ ଊର୍ଧ୍ବ ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ, ୪ଟି ଚାରିଚକିଆ, ୩ଟି ବାଇକ୍‌ ଆଦି ଜବତ ହୋଇଛି। ଉକ୍ତ ଘରେ ତାଙ୍କ ପୁଅ ଓ ବୋହୂ ରହୁଥିଲେ। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଡିଏସପି, ୫ ଇନସ୍ପେକ୍ଟର, ଜଣେ ଏସଆଇ ଓ ୧୧ ଏଏସଆଇ ସାମିଲ ହୋଇ ଚଢ଼ଉ କରିଥିଲେ।

ଅପରପକ୍ଷରେ ଶ୍ରୀ ପଣ୍ଡାଙ୍କ ପୁଅ ଜଣେ ବଡ଼ ଠିକାଦାର। ତେଣୁ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କର ଆହୁରି ଅଧିକ ଆୟବହିର୍ଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯଉଛି। ତାଙ୍କ ସମ୍ପର୍କରେ ଥିବା ଠିକାଦାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଭିଜିଲାନ୍ସ ଯୋଜନା କରିଛି।

ଅନ୍ୟପଟେ ଶ୍ରୀ ପଣ୍ଡାଙ୍କ ସମୁଦି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୋର ଚାରି ଚାରିଟି ସଂସ୍ଥା ଅଛି। ମୁଁ କୋଟି କୋଟି ଟଙ୍କା ଟିକସ ଦେଉଛି। ଆମ ଘରୁ ଯେଉଁ ୨୫ଲକ୍ଷ ଟଙ୍କା ଜବତ ହୋଇଛି ତାହା ମୋ ବନ୍ଧୁଙ୍କର। ତାଙ୍କର ଏକ ଜମି ବିକ୍ରି ବାବଦକୁ ଅଗ୍ରୀମ ଟଙ୍କା ଆମ ଘରେ ଥିଲା। ସେ ଦିଲ୍ଲୀରେ ରହୁଥିବାରୁ ଯେଉଁ ବ୍ୟକ୍ତି ଜମି କିଣିବେ ସେ ମୋତେ ଟଙ୍କା ଦେଇଥିଲେ। ଏହାର ସମସ୍ତ କାଗଜ ମୁଁ ଭିଜିଲାନ୍ସକୁ ଦେଖାଇଛି। ଟଙ୍କା ନେଇ‌ କୌଣସି ଅନିୟମିତତା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର