ଭୁବନେଶ୍ୱର : ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରିବାରେ ଅବହେଳା ନିର୍ବାହୀ ଯନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ୪ବର୍ଷ ତଳର ଏକ ମାମଲାର ବିଚାର କରି ସୂଚନା କମିସନ ଏହି ଘଟଣାରେ ଯନ୍ତ୍ରୀଙ୍କୁ ୨୫ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଛନ୍ତି।

Advertisment

୨୦୧୬ ମସିହାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ରେ ଡ୍ରେନେଜ୍ କେନାଲର ନିର୍ମାଣ ଓ ନବୀକରଣର ବାବଦରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇରେ ସୂଚନା ମାଗିଥିଲେ। ତେବେ ସୂଚନା ଅଧିକାରୀ ଏହାକୁ ଖାତିର କରି ନ ଥିବା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ପ୍ରଥମ ଅପିଲେଟ୍‌ ଅଥରିଟି ସଂପୃକ୍ତ ସୂଚନାଧିକାରୀଙ୍କୁ ସୂଚନା ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଥିଲେ ହେଁ ସେ ଶୁଣି ନ ଥିଲେ। ପରବର୍ତୀ ସମୟରେ ମାମଲାର ଶୁଣାଣି ସୂଚନା କମିସନଙ୍କ ନିକଟରେ ହୋଇଥିଲା। ସୂଚନା ପ୍ରଦାନରେ ଅବହେଳା କରିଥିବା ଅଭିଯୋଗରେ ପୁରୀ ଜିଲ୍ଲା ଉପଖଣ୍ଡ ଡ୍ରେନେଜ୍ ଡିଭିଜନ୍‌ର ପୂର୍ବତନ ସୂଚନା ଅଧିକାରୀ ତଥା ବର୍ତମାନର ଜଗତସିଂହପୁର ଜିଲ୍ଲାର ଡ୍ରେନେଜ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ମିଶ୍ରଙ୍କୁ ୨୫ହଜାର ଟଙ୍କା ଜରିମାନା ପ୍ରଦାନ କରିବା ଲାଗି କମିସନ ନିର୍ଦେଶ ଦେଇଛନ୍ତି। ୧ମାସ ଭିତରେ ଜରିମାନା ଅର୍ଥ ପ୍ରଦାନ କରିବା ଲାଗି କୁହାଯାଇଛି।