କେନ୍ଦ୍ର ଓ ରାଜ୍ୟ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି: ପିସିସି ସଭାପତି

ପ୍ରଦେଶ କଂଗ୍ରେସର ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟ ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ କମିଟି ବୈଠକ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ବି.ଆର୍‌ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଅନୁସୂଚିତ ଜାତି ବିଭାଗର ଲୋକମାନଙ୍କର ଉନ୍ନତି ନିମନ୍ତେ କିଛି ବି କରିନାହାନ୍ତି। ଏବେ ଦଳିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତି ଅତିଥି ଭାବେ ଯୋଗଦେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଦଳିତ ବର୍ଗର ଉନ୍ନତି ବିନା ଦେଶର ପ୍ରଗତି ଅସମ୍ଭବ। ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା କହିଥିଲେ କେନ୍ଦ୍ର ବିଜେପି ସରକାର ଦଳିତମାନଙ୍କର ସଂରକ୍ଷଣ ବ୍ୟବସ୍ଥାକୁ ସଂକୁଚିତ କରିବା ଓ ଶିକ୍ଷା କ୍ଷେତ୍ରରେ ଦଳିତ ଛାତ୍ରଛାତ୍ରୀଙ୍କୁ ଦିନକୁ ୧ ଟଙ୍କା ୮୫ ପଇସା ଦେଇ ଉପହାସ କରିଚାଲିଛନ୍ତି। ୟୁପିଏ ସରକାର ସମୟରେ ଦଳିମାନଙ୍କ ବିକାଶ ନିମନ୍ତେ ପ୍ରଣୟନ ହୋଇଥିବା ଯୋଜନାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ ସରକାର ଛାତ୍ରବୃତ୍ତି ଦେଇ ପାରୁନଥିବା ବେଳେ ଦଳିତ ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ବା କେନ୍ଦ୍ର ସରକାର ଯଦି ବିହୀତ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିମାଇ ସରକାର, କଂଗ୍ରେସ ନେତା ହଳଧର ସେଠୀ, ନରୋତ୍ତମ ନାୟକ, ତାପସ ସେଠୀ, ମାନସ ମଲ୍ଲିକ, ଜୟନ୍ତ ଭୋଇ, ଗଜେନ୍ଦ୍ର ତନ୍ତୀ, ମାଣିକ ପ୍ରଭା, ଶିବଶଙ୍କର ବେହେରା, ଅଭିଷେକ ଦଳ ବେହେରା, ସନ୍ତୋଷ କୁମ୍ଭାର, ରଞ୍ଜନ ବେହେରା, ପ୍ରଫୁଲ୍ଲ ଦିଗଲ, ସର୍ବେଶ୍ବର ସେଠୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର