କେସିଙ୍ଗା ଏନ୍‌ଏସିର ଅଭିନବ ପ୍ରୟାସ : ନିର୍ବାହୀ ଅଧିକାରୀ ଓ କର୍ମଚାରୀ ସଫାକଲେ ରାସ୍ତା

କେସିଙ୍ଗା :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ପକ୍ଷରୁ ଆମ ସହର ଆମ ଦାୟିତ୍ବ ନେଇ ଶନିବାର ସକାଳୁ ଏକ ଅଭିନବ ପ୍ରୟାସ କରାଯାଇଛି। କେସିଙ୍ଗା- ଟିଟିଲାଗଡ଼କୁ ସଂଯୋଗ କରୁଥିବା ତେଲ ନଦୀ ବ୍ରିଜ ରାସ୍ତାକୁ ଖୋଦ୍‌ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ତାଙ୍କ କର୍ମଚାରୀଙ୍କ ସହ ସଫା କରିଥିଲେ। ଏମିତିକି ଏହା ଲୋକଦେଖାଣିଆ ନ ଥିଲା। ରାସ୍ତାରେ ପଡ଼ିଥିବା ସମସ୍ତ ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଏକ ବ୍ୟାଗ୍‌ରେ ସଂଗ୍ରହ କରି ଟ୍ରାକ୍ଟରରେ ବୋଝେଇ କରୁଥିବା ଦେଖାଯାଇଥିଲା।

ତେଲ ନଦୀ ପୋଲକୁ ଏହି ରାସ୍ତା ଲାଗିଥିବାରୁ ପ୍ରତିଦିନ ବହୁ ଲୋକ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ ପାଇଁ ଯାଇଥାଆନ୍ତି। ଏହାକୁ ଛାଡ଼ି ଏହା ଧୀରେ ଧୀରେ ଦର୍ଶନୀୟ ସ୍ଥାନ ହେଉଥିବାରୁ ବୁଲିବା ପାଇଁ ବହୁତ ଲୋକ ଯାଇଥାନ୍ତି। ଏଣୁ ଲୋକେ ସଚେତନତା ଅଭାବରୁ ନିଜର ଖାଇବା ସାମଗ୍ରୀ, ବୋତଲ, ପ୍ଲାଷ୍ଟିକ ଆଦି ଫିଙ୍ଗିଦେଇଥାନ୍ତି। ଏଣୁ ଆଜି ଏନ୍‌ଏସି ପକ୍ଷରୁ ଏହି ରାସ୍ତାକୁ ପ୍ରଥମେ ସଫା କରିବାର ଯୋଜନା ରଖାଯାଇଥିଲା। ଆଗାକୁ ଦୈନିକ ବଜାର ଓ ଅନ୍ୟାନ୍ୟ ମୁଖ୍ୟସ୍ଥଳୀ ସଫା କରାଯିବ ଓ ଲୋକଙ୍କୁ ବି ସହରର ପରିଷ୍କାର ପରିଚ୍ଛନ୍ନତା ପାଇଁ ସାମିଲ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନୁ ମୂର୍ତ୍ତି, ମୋହନ ସାହୁ, ଶତ୍ରୁଘ୍ନ ନାଏକ, ଗଦାଧର ସିଂହଦେଓ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର