୫ ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ଟିକସ ଛାଡ଼, କୋଭିଡ୍‌ ସଂପର୍କିତ ମନ୍ତ୍ରୀସ୍ତରୀୟ କ୍ରୟ କମିଟିର ନିଷ୍ପତ୍ତିକୁ ମଞ୍ଜୁରି

ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇଁ ଏଫଆର୍‌ବିଏମ୍‌ ଆଇନରେ ସଂଶୋଧନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁ‌ଷ୍ଠିତ କ୍ୟାବିନେଟ୍ ବୈଠକରେ ଆର୍ଥିକ କ୍ଷେତ୍ର ପାଇଁ କେତେଗୁଡ଼ିଏ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ସେଥିରେ ୫ ହଜାର ଟଙ୍କାରୁ କମ୍‌ ବ‌କେୟା ଟିକସ ଛାଡ଼, ବିତ୍ତୀୟ ନିଅଣ୍ଟକୁ ଜିଏସ୍‌ଡିପିର ୨ ପ୍ରତିଶତ ବୃଦ୍ଧି କରିବା ପାଇଁ ଏଫ୍‌ଆର୍‌ବିଏମ୍‌ ଆଇନରେ ସଂଶୋଧନ ଏବଂ କୋଭିଡ୍‌-୧୯ ପରିଚାଳନା ପାଇଁ ଗଠିତ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

ସୂଚନା ଅନୁଯାୟୀ ପେଟ୍ରୋଲ, ଡିଜେଲ୍‌, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ୍‌, ଅଶୋଧିତ ତେଲ ଏବଂ ମଦ ଭଳି ୬ଟି ସାମଗ୍ରୀ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଆଦାୟ ନହୋଇ ପଡ଼ି ରହିଥିବା ୫ ହଜାର ଟଙ୍କାରୁ କମ୍‌ ଲେଖାଏଁ ଟିକସ ରାଶିକୁ ଛାଡ଼ କରି ଦିଆଯିବ। ଓଡ଼ିଶା ବିକ୍ରି କର ଅଧିନିୟମ, ଓଡ଼ିଶା ଅତିରିକ୍ତ ବିକ୍ରି କର ଅଧିନିୟମ, କେନ୍ଦ୍ରୀୟ ବିକ୍ରିକର ଅଧିନିୟମ, ଓଡ଼ିଶା ମୂଲ୍ୟଯୁକ୍ତ କର ଅଧିନିୟମ ଏବଂ ଓଡ଼ିଶା ପ୍ରମୋଦ କର ଅଧିନୟମ ଅଧୀନରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ଟିକସ ଏବଂ ଅନାଦେୟ ଟିକସ ବାବଦରେ ୩୪,୩୩୨ଟି ମାମଲା ରହିଛି। ଏହି ସମସ୍ତ ମାମଲାରେ ମୋଟ ୪ କୋଟି ୬୭ ଲକ୍ଷ ୧୨ ହଜାର ୪୦୯ ଟଙ୍କା ବକେୟା ରହିଛି।

ଏହି ମାମଲା ଫଇସଲା ପାଇଁ ଯେତେ ଲୋକ ଶକ୍ତି ଓ ସମୟ ଆବଶ୍ୟକ ତାହା ତୁଳନାରେ ବକେୟା ଟିକସ ରାଶି ନଗଣ୍ୟ ରହିଛି। ତେଣୁ ଯଦି ଏହି ଲୋକଶକ୍ତିକୁ କେବଳ ବଡ଼ ପରିମାଣର ଅନାଦେୟ ଓ ବକେୟା ଟିକସ ମାମଲା ଗୁଡ଼ିକର ଫଇସଲା ପାଇଁ ବିନିଯୋଗ କରାଯିବ ତା’ହେଲେ ରାଜ୍ୟ ସରକାର ବିପୁଳ ପରିମାଣର ଅନାଦେୟ ବା ବକେୟା ଟିକସ ଆଦାୟ କରିପାରିବେ। କୋଭିଡ୍‌-୧୯ ପ୍ରଭାବକୁ ବିବେଚନା କରାଯାଇ ଉପରୋକ୍ତ କର ଅଧିନିୟମ ଅଧୀନରେ ୨୦୧୭ ଜୁନ୍ ୩୦ ପର୍ଯ୍ୟନ୍ତ ଆକଳିତ ହୋଇଥିବା ୪ କୋଟି ୬୭ ଲକ୍ଷ ଟଙ୍କା ହିସାବରୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଓଡ଼ିଶା ସରକାରଙ୍କ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନ-୨୦୦୫ରେ ସଂଶୋଧନ ପାଇଁ ଆଗତ ଏକ ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଭାରତ ସରକାରଙ୍କ ସମ୍ମତି ଆଧାରରେ ଏହା କରାଯାଇଛି। ଏହାଦ୍ବାରା କୋଭିଡ୍‌-୧୯ ପରିଚାଳନା, ଜନସାଧାରଣଙ୍କୁ ଗୁଣାତ୍ମକ ସେବା ପ୍ରଦାନ, ଦ୍ରବ୍ୟ ଓ ସେବା କର ପ୍ରଚଳନ ଦ୍ବାରା ରାଜସ୍ବ ହ୍ରାସ (ଦ୍ରବ୍ୟ ଓ ସେବାକର କ୍ଷତିପୂରଣ ହ୍ରାସ) ବାବଦକୁ ଭରଣା ଓ ରାଜ୍ୟ ସରକାରଙ୍କ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକରେ ପୁଞ୍ଜି ବ୍ୟୟ ପାଇଁ ଆବଶ୍ୟକ ଅଧିକ ସମ୍ବଳ ଉପଲବ୍ଧ ହୋଇପାରିବ। ଏହି ଆଇନ ସଂଶୋଧନ ଦ୍ବାରା ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜିଏସ୍‌ଡିପିର ଅତିରିକ୍ତ ୨ ପ୍ରତିଶତ ବିତ୍ତୀୟ ନିଅଣ୍ଟ କରିପାରିବେ। ଏଥିରେ ୧ ପ୍ରତିଶତ ବିତ୍ତୀୟ ନିଅଣ୍ଟ ନିଃସର୍ତ୍ତ ମୂଳକ ଋଣ ହୋଇଥିବା‌ବେଳେ ଅବଶିଷ୍ଟ ୧ ପ୍ରତିଶତ ବିତ୍ତୀୟ ନିଅଣ୍ଟ ୪ଟି କ୍ଷେତ୍ରର ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ। ସେଗୁଡ଼ିକ ହେଲା ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ୍‌ କାର୍ଡ ପଦ୍ଧତି ପ୍ରଚଳନ, ବ୍ୟବସାୟ ସରଳୀକରଣ ପାଇଁ ସଂସ୍କାରମୂଳକ ପଦକ୍ଷେପ, ପୌର ନିକାୟ ସଂସ୍ଥା ଅଥବା ଲୋକ ଉପଯୋଗୀ ସେବାରେ ସଂସ୍କାର ଏବଂ ଶକ୍ତି କ୍ଷେତ୍ରରେ ସଂସ୍କାର। ପ୍ରତ୍ୟେକ କ୍ଷେତ୍ରର ପ୍ରଦର୍ଶନ ପାଇଁ ୦.୨୫ ପ୍ରତିଶତ ଅଧିକ ବିତ୍ତୀୟ ନିଅଣ୍ଟ ବୃଦ୍ଧି ଅନୁମତି ମିଳିବ।

ଏଥିସହିତ ୨୦୨୦-୨୧ ଆଥିର୍କ ବର୍ଷର ଅବ୍ୟବହୃତ ବିତ୍ତୀୟ ନିଅଣ୍ଟକୁ ପରବର୍ତ୍ତୀ ବର୍ଷକୁ ଯିବା, ଦ୍ରବ୍ୟ ଏବଂ ସେବାକର କ୍ଷତିପୂରଣ ହ୍ରାସ ବାବଦକୁ ଏକ ସ୍ବତନ୍ତ୍ର ବ୍ୟବସ୍ଥାରେ ଋଣ ଆହରଣ ଏବଂ କେନ୍ଦ୍ର ସରକାରଙ୍କ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କର ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ପାଇଁ ୨୦୨୦-୨୧ରେ ୫୦ ବର୍ଷ ଅବଧିର ସୁଧମୁକ୍ତ ଋଣ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି। ଏଥିସହିତ କୋଭିଡ୍‌-୧୯ର ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକ ନିଷ୍ପତ୍ତି ନେବାକୁ ଏବଂ ସମସ୍ତ ଜରୁରିକାଳୀନ କ୍ରୟର ଯଥାର୍ଥତା ଯାଞ୍ଚ ପରେ ଅନୁମୋଦନ କରିବାକୁ ଅର୍ଥ ଏବଂ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ପୂର୍ବରୁ ଗଠନ କରାଯାଇଛି। ତେବେ ଗତବର୍ଷ ଡିସେମ୍ବର ୧୬ ତାରିଖରେ ଉପରୋକ୍ତ କମିଟି ନେଇଥିବା ନିଷ୍ପତ୍ତିକୁ ଆଜି କ୍ୟାବିନେଟ ମଞ୍ଜୁରି ଦେଇଛି।

ସମ୍ବନ୍ଧିତ ଖବର