ଠାକୁରଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ

୨୦ରେ ନବୀନ ନିବାସ ଯାଏ ପଦଯାତ୍ରା କରିବେ ସେବାୟତ

ବାରିପଦା: ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଠାକୁରଙ୍କ ହଜାର ହଜାର ଏକର  ଭୂସଂପତ୍ତି ରହିଛି। ଯାହାକୁ ଭିନ୍ନଭିନ୍ନ ବ୍ୟକ୍ତିବିଶେଷ ଜବରଦଖଲ କରି ରଖିଛନ୍ତି। ଏପରି ସମୟରେ ଗତ ୧୮ ତାରିଖ ଦିନ ୪ଟି ବ୍ଲକ୍‌ର ୨୧ଟି ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ହେଲେ ହଠାତ୍ ଜିଲ୍ଲାପାଳ ଉଚ୍ଛେଦ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ଜବରଦଖଲକାରୀଙ୍କୁ ସ୍ଥାନ ଛାଡ଼ିବା ପାଇଁ ୭ଦିନର ମହଲତ ଦେଇଥିଲେ। ଏହାକୁ ନେଇ ମଠ ମନ୍ଦିର ସେବାୟତ ସଂଘର ରାଜ୍ୟ ସଭାପତି ତଥା ବାରିପଦା ହରିବଳଦେବଜିଉ ମନ୍ଦିରର ପୂଜାପଣ୍ଡା କା‌ମେଶ୍ବର ତ୍ରିପାଠୀଙ୍କ ନେତୃତ୍ବରେ ସେବାୟତମାନେ ଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଜଣାଇଥିଲେ। ଗତକାଲି ମହଲତ ଶେଷ ହୋଇଥିବା ବେଳେ ଜବରଦଖଲକାରୀ ଏହାରି ଭିତରେ କୋର୍ଟରୁ ରହିତାଦେଶ ପାଇଥିବା ଜଣାପଡ଼ିଛି। ଫଳରେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଏକପ୍ରକାର ଫେଲ୍ ମାରିଛି।

ଏପରି ସମୟରେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ବାରିପଦା ହରିବଳଦେବଜିଉ ମନ୍ଦିରର ସେବାୟତମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେମାନେ ଆଜି ମନ୍ଦିର ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି। ମନ୍ଦିରର ପୂଜାପଣ୍ଡା ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ପ୍ରଶାସନ ଜାଣିଶୁଣି ଜବରଦଖଲକାରୀଙ୍କ ପ୍ରତି ଅନୁକମ୍ପା ଦେଖାଉଛି। ବାରମ୍ବାର ଠାକୁରଙ୍କ ଜମିରୁ ଜବରଦଖଲ ହଟାଇବା ପାଇଁ ପ୍ରଶାସନ ନୋଟିସ୍ ଦେଉଛି ସିନା ଉଚ୍ଛେଦ କରୁନି। ଠାକୁରଙ୍କ ଜମିରେ ୩ ମହଲା ପୁଲିସ କ୍ବାର୍ଟର୍ସ, ଷ୍ଟେଟ୍‌ବ୍ୟାଙ୍କର ମୁଖ୍ୟ ଶାଖା, ସିନେମା ହଲ୍‌, ସପିଂମଲ, ବସ୍‌ଷ୍ଟାଣ୍ଡ ଆଦି ନିର୍ମାଣ ହୋଇଛି। ଆହୁରି ବ୍ୟବସାୟିକ ପ୍ରତିଷ୍ଠାନ ବି ଠାକୁରଙ୍କ ଜମିରେ ରହିଛି। କିଛି ବିଧାୟକ ଠାକୁରଙ୍କ ଜମି ଅକ୍ତିଆର କରି କୋଠା ନିର୍ମାଣ କରିଛନ୍ତି। ଏବେ ବି ଜଣେ ବିଧାୟକଙ୍କ କୋଠା ନିର୍ମାଣ ଚାଲିଛି।

ସେପଟେ ଅଚଳାଚଳ ସମ୍ପତ୍ତି ଥାଇ ବି ଠାକୁର ଉପବାସ ରହୁଛନ୍ତି। ସେବାୟତମାନେ ପାଉଣା ପାଉ ନାହାନ୍ତି। ଫଳରେ ଅଧିକାଂଶ ସେବାୟତ ସେମାନଙ୍କ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରି ପରିବାର ପୋଷୁଛନ୍ତି। ଯଦି ଠାକୁରଙ୍କ ଜମି ଜବରଦଖଲମୁକ୍ତ କରା ନ ଯାଏ, ତେବେ ଆସନ୍ତା ଜୁନ୍‌ ୨୦ ତାରିଖରୁ ବାରିପଦାରୁ ନବୀନ ନିବାସ ଯାଏ ସେବାୟତମାନେ ପଦଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମହାପାତ୍ର (ରଥ ମହାପାତ୍ର), ମହାସୁଆର ରାଧେଶ୍ୟାମ ମହାପାତ୍ର ଓ ଦୈତାରୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି ଗତ ୧୯୬୮ ମସିହା ଟ୍ରିବ୍ୟୁନାଲ୍‌ଙ୍କ ରାୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ମନ୍ଦିର ଏବଂ ୧୦ଟି ମଠର ୪୪ ହଜାର ଏକରରୁ ଅଧିକ ଭୂସଂପତ୍ତି ରହିଛି। ୧୯୯୫ ମସିହାରେ ତତ୍କାଳୀନ ବାରିପଦା ଉପଜିଲ୍ଲାପାଳ ଚିଠି ମାଧ୍ୟରେ ଠାକୁରଙ୍କ ଜମି ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ସେହିଭଳି ୨୦୧୫ ମସିହାରେ ବିପି ପଣ୍ଡା କମିସନ୍‌ ଏବଂ ୨୦୨୧ରେ ଏସ୍‌ ଜେନା କମିସନ୍‌ ଠାକୁରଙ୍କ ଜମି ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାର ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର