ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁରରେ ବଳ କଷାକଷି ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଧାମନଗରର ପରାଜୟର ଗ୍ଳାନିକୁ ଦୂର କରି ପଦ୍ମପୁରରେ ଜୋର୍‌ଦାର ସଫଳତା ପାଇଁ ବିଜେଡି ବଡ଼ ପ୍ରସ୍ତୁତି କରୁଛି। ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ଦିନେ ଦୁଇ ଦିନ ଭିତରେ ଏହାର ସ୍ପଷ୍ଟ ଚିତ୍ର ମିଳିବ। ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ଯାଏ, କେଉଁଥିରେ ଯେମିତି ସାମାନ୍ୟ ତ୍ରୁଟି ନରହେ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ସମ୍ପୂର୍ଣ୍ଣ ଭାବେ ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ନିର୍ବାଚନର ପୂରା ଦାୟିତ୍ବ ଏକପ୍ରକାର ଟେକିଦିଆଯାଇଛି। ପଶ୍ଚିମ ଓଡ଼ିଶାର ମନ୍ତ୍ରୀମାନଙ୍କୁ ବ୍ଲକ୍ ୱାରି ଦାୟିତ୍ବ ବଣ୍ଟାଯାଇଥିଲା ବେଳେ ବିଧାୟକ ଓ ପଶ୍ଚିମ ଓଡ଼ିଶାର ଆଗଧାଡ଼ିର ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ବ ବି ଦିଆସରିଛି।

Advertisment

ଧାମନଗର ଭୁଲ୍‌ ଯେପରି ପଦ୍ମପୁରରେ ନ ହୁଏ, ତାହା ଉପରେ ନଜର ରଖି ସତର୍କତାର ସହ ସବୁ ପଦକ୍ଷେପ ନିଆଯାଉଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁରରେ ପ୍ରଚାର ମଙ୍ଗ ଧରିବେ। ଶ୍ରୀ ଆଚାର୍ଯ୍ୟଙ୍କ ସହ ବିଧାୟକ ସୁଶାନ୍ତ ସିଂହଙ୍କୁ ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର, ନବ ଦାସଙ୍କୁ ପାଇକମାଳ ଓ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଝାରବନ୍ଧ ବ୍ଲକ୍ ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀକୁ ଜୋନ୍‌ରେ ବିଭକ୍ତ କରାଯାଇ ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ନିରଞ୍ଜନ ବିଶି, ବିଧାୟକ ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ରୀତା ସାହୁ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଜୋନ୍ ଦାୟିତ୍ୱରେ ରହିବେ।

ବିଜେପି ମଧ୍ୟ ଉପନିର୍ବାଚନ ପରିଚାଳନା ଦାୟିତ୍ବ ସ୍ଥାନୀୟ ନେତାଙ୍କୁ ଛାଡ଼ି ଦେଇଛି। ପଶ୍ଚିମ ଓଡ଼ିଶାର ତିନି ଜଣ ଅଭିଜ୍ଞ ଓ ବରିଷ୍ଠ ନେତା ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିବେ। ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିବେ। ଧାମନଗରରେ ନିର୍ବାଚନ ପରିଚାଳନା ଦାୟିତ୍ବ ନେଇଥିବା ବରିଷ୍ଠ ନେତାମାନେ ସେମାନଙ୍କୁ ସହଯୋଗ କରିବେ। କିଏ କେଉଁ ବ୍ଲକ୍ ଦାୟିତ୍ବରେ ରହିବେ, ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବ। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପୁନର୍ବାର ବିଜେପିର ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। କଂଗ୍ରେସ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଠୋସ୍ ଯୋଜନା ପ୍ରସ୍ତୁତ ହୋଇ ନଥିଲେ ବି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା କିଶୋର ପଟେଲ ଏହି କମିଟିର ନେତୃତ୍ବ ନେଉଛନ୍ତି।