ଯାଜପୁର/କେନ୍ଦୁଝର : ଯାଜପୁର ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଶନିବାର ଦିନ ବିଜେଡି ପକ୍ଷରୁ ୧୮ ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ପୌରାଧ୍ୟକ୍ଷା ପଦବି ପାଇଁ ପ୍ରାର୍ଥୀ ଚୟନ ହୋଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମହିଳା ସଂଗଠକ ରଞ୍ଜୁଲତା ହୋତାଙ୍କୁ ଯାଜପୁର ପୌରାଧ୍ୟକ୍ଷା ପ୍ରାର୍ଥୀ ଘୋଷଣା କରଯାଇଛି। ରଞ୍ଜୁଲତା ବର୍ତ୍ତମାନ ଜାଗୃତି ମହିଳା ସଂଘର ସଭାନେତ୍ରୀ ଥିବା ବେଳେ ସ୍ବପ୍ନେଶ୍ବର ଏସ୍ଏଜ୍ଜିର ସଂପାଦିକା ଅଛନ୍ତି। ବର୍ତ୍ତମାନ ସେ ଯାଜପୁରର ଆହାର କେନ୍ଦ୍ର ପରିଚାଳନା ମଧ୍ୟ କରୁଛନ୍ତି। ସେହିପରି ଏଠାରେ ଯାଜପୁର ନଗର କଂଗ୍ରେସର ସଭାପତି ନାରାୟଣ ସାମନ୍ତଙ୍କ ବୋହୂ ପ୍ରିୟଦର୍ଶିନୀ ସାମନ୍ତ କଂଗ୍ରେସ ପୌରାଧ୍ୟକ୍ଷା ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଛି। ଏଠାରେ ବିଜେପି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇପାରିନି।
ଅପରପକ୍ଷରେ ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ କଂଗ୍ରେସରୁ ମଞ୍ଜୁ ଲଛମନ ବାନାରା ଓ ବିଜେଡିରୁ ସଙ୍ଗୀତା ପିଙ୍ଗୁଆଙ୍କ ନାମ ସ୍ଥିର ହୋଇଥିବା ଉଭୟ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି। ତେବେ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନି। ସେହିପରି ବିଜେପି ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀଭାବେ କାହାରି ନାମ ସ୍ଥିର ହୋଇନାହିଁ। ଅଧ୍ୟକ୍ଷା ପଦ ପାଇଁ ବିଜେଡି ଓ କଂଗ୍ରେସ ପକ୍ଷରୁ ଯେଉଁ ଦୁଇଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି ସେମାନେ କଳିଙ୍ଗନଗର ବିସ୍ଥାପନ ବିରୋଧୀ ଓ ସପକ୍ଷବାଦୀ ଗୋଷ୍ଠୀର। ବିଜେଡି ଦଳରୁ ଗୋବରଘାଟି ବିସ୍ଥାପନ ସପକ୍ଷବାଦୀ ନେତା ବିରେନ ଜାମୁଦାଙ୍କ ଭଉଣୀ ସଙ୍ଗୀତା ପିଙ୍ଗୁଆ ଏବା କଂଗ୍ରେରୁ ବିସ୍ଥାପନ ବିରୋଧୀ ନେତା ରବୀନ୍ଦ୍ର ଜାରିକାଙ୍କ ଭଣଜାବୋହୂ ମଞ୍ଜୁ ଲଛମନ ବାନାରା ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ମଞ୍ଜୁ ଲଛମନ ବାନରା ଭୁବନେଶ୍ବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବେଳେ ସଙ୍ଗୀତା ପିଙ୍ଗୁଆ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସ୍ନାତକ।
କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ ପଦବି ପାଇଁ ବିଜେପି ପ୍ରତିଷ୍ଠିତ ବ୍ୟବସାୟୀ ଜିତେନ୍ଦ୍ର କୁମାର ସାହୁଙ୍କ ପତ୍ନୀ ସମାଜସେବୀ ନିକୁ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପୂର୍ବତନ କାଉନ୍ସିଲର କୃଷ୍ଣଚନ୍ଦ୍ର ରାଉତଙ୍କ ପତ୍ନୀ ଅର୍ଚ୍ଚନା ରାଉତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେଡି ପକ୍ଷରୁ ଆନନ୍ଦପୁରରେ ରଜନୀରାଣୀ ଖଟୁଆ, ଯୋଡ଼ାରୁ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଓ ବଡ଼ବିଲରେ ଲକ୍ଷ୍ମଣ ଆପଟ୍ଟ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଛି। ତେବେ ଚମ୍ପୁଆ ଏନ୍ଏସି ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା ଏଯାଏଁ ହୋଇନି। କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ ପଦବି ପାଇଁ ବିଜେପି ଟିକଟ ପାଇଥିବା ନିକୁ ସାହୁ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବାକୁ ସ୍ଥିର କରିଥିବା ବେଳେ ୭ ତାରିଖରେ ଅର୍ଚ୍ଚନା ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ନିକୁ କେନ୍ଦୁଝର ସହରର ଝିଅ ଏବଂ ବୋହୂ। ତାଙ୍କ ସ୍ବାମୀ ଜିତେନ୍ଦ୍ର ସାହୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ନିକୁ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିର୍ମଳା କନଭେଣ୍ଟ ସ୍କୁଲ୍ରେ ପାଠପଢ଼ିବା ପରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମଥର ପାଇଁ ରାଜନୀତିରେ ସେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଜନସେବା ପାଇଁ ରାଜନୀତି ଏକ ଉତ୍ତମ ମାଧ୍ୟମ ବୋଲି ନିକୁ ପ୍ରକାଶ କରିଛନ୍ତି।
ସେହିପରି ଅର୍ଚ୍ଚନା ରାଉତଙ୍କ ବାପଘର ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଝାଟିଆସାହିରେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍ଏ। ସେ ଜଣେ ରାଜନୈତିକ ପରିବାରର ବୋହୂ। ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର କେନ୍ଦୁଝରଗଡ଼ ପୌରପାଳିକାର ଚାରିଥର କାଉନ୍ସିଲର। ଦେଡ଼ଶୁର କ୍ଷୀରୋଦ କୁମାର ରାଉତ ଥରେ କାଉନ୍ସିଲର ଏବଂ ଯାଆ ବୈଜୟନ୍ତୀ ରାଉତ ପୂର୍ବତ ପୌର ଉପାଧ୍ୟକ୍ଷା ଥିଲେ। ଉଭୟ ପରିବାରର ଲୋକସଂପର୍କ ବହୁତ ଭଲ ଥିବାରୁ ଲଢ଼େଇ ମଧ୍ୟ ଜୋରଦାର ହେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/cartoon-1.jpg)