କୋରେଇ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ରେଳ ବିଭାଗ

ଭୁବନେଶ୍ବର/ନୂଆଦିଲ୍ଲୀ: ଯାଜପୁର ଜିଲ୍ଲା କୋରେଇରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡ଼ିଥିବା ଯାତ୍ରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବ‌ାର କିମ୍ବା ନିକଟତମ ସଂପର୍କୀୟଙ୍କୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିବା ‌ବେଳେ ରେଳ ବିଭାଗ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏଥିସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କହିଛି ରେଳ ବିଭାଗ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ତାଙ୍କର ଗଭୀର ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଲା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ତଦାରଖ କରିବାକୁ କହିଛନ୍ତି।

ଆଜି ସକାଳେ  ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଷ୍ଟେସନ ଦେଇ ଯାଉଥିବା  ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା । ଏହାଫଳରେ ପ୍ଲାଟଫର୍ମରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା  ୪ ଜଣ ଯାତ୍ରୀଙ୍କର ମୃତ୍ଯୁ ହୋଇଥିବା ଜଣାଯାଇଛି।ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏମାନେ ସମସ୍ତେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବ‌ାକୁ  ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ।

ସମ୍ବନ୍ଧିତ ଖବର