ବିଜେଡି ହାତରେ ରହିବ ବ୍ରହ୍ମପୁର ଲୋକସଭା ଆସନ, ୩ ବିଧାନସଭା ଆସନରେ କଡ଼ା ମୁକାବିଲା, ବିଜେଡିକୁ ମିଳିପାରେ ୨, ବିଜେପି-କଂଗ୍ରେସକୁ ୧-୧

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ ବ୍ରହ୍ମପୁର ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡିର ବିଜୟ ବାନା। କାରଣ ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ବିଜେଡିର ଅଭିଜ୍ଞ ଚନ୍ଦ୍ରଶେଖର ସାହୁ ବିଜେଡି ପାଇଁ ବିଜୟର ସ୍ୱାଦ ଆଣିପାରେ ବୋଲି ସର୍ଭେ ରିପୋର୍ଟ କହୁଛି।

ସେହିପରି ୧୯ ଯୁଦ୍ଧର ଫଳଫଳ ପୂର୍ବରୁ ଆସିଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ ଏବଂ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨ଟି, ଉଭୟ ବିଜେପି ଓ କଂଗ୍ରେସ ଖାତାକୁ ଗୋଟିଏ ଲେଖାଏଁ ଆସନ ଯାଇପାରେ ବୋଲି ସମ୍ଭାବନା ରହିଛି।  ଆଉ ୩ଟି ବିଧାନସଭା ଆସନରେ କଡ଼ା ମୁକାବିଲା ହୋଇପାରେ ବୋଲି ରିପୋର୍ଟ କହୁଛି।

ଛତ୍ରପୁରରେ କଡା ଟକ୍କର ହୋଇପାରେ

ଏହି ରିପୋର୍ଟ ମୁତାବକ ଛତ୍ରପୁର ବିଧାନସଭା ଆସନରେ ଏଥର ୩ ଦଳ ମଧ୍ୟରେ କ୍ଲୋଜ ଫାଇଟ୍‌ ଦେଖିବାକୁ ମିଳିପାରେ। ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟୀ ହୋଇଥିବାବେଳେ ଏଥର ତିନି ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ସମ୍ଭାବନା କରାଯାଉଛି।

ଗୋପାଳପୁରରେ ବିଜେଡି ପାଇଁ ଚ୍ୟାଲେଞ୍ଜ!

ଅନ୍ୟପଟେ ଗୋପାଳପୁର ବିଧାନସଭା କ୍ଷେତ୍ରରେ ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପାଇଁ ଏଥର ବିଜୟ ସହଜ ହେବନାହିଁ। କାରଣ ଏଥର ଏହି ନିର୍ବାଚନ ମଣ୍ଡଳୀରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍‌ ପୋଲରେ ମତଦାତା ମତ ରଖିଛନ୍ତି।

ବ୍ରହ୍ମପୁର ଆସନକୁ ସୁରକ୍ଷିତ ରଖିପାରେ ବିଜେଡି

ସମ୍ବାଦ ଓ କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ଅନୁସାରେ, ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡି ଦୁର୍ଗକୁ ପୁଣି ସୁରକ୍ଷିତ ରଖିପାରେ ବିଜେଡି। ଉଭୟ ବିଜେପି-କଂଗ୍ରେସ ପୁର୍ନବାର ନିରାଶ ହୋଇପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି।

ଦିଗପହଣ୍ଡିରେ ବିଜେଡିର ଦବଦବା

ସେହିଭଳି ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ନିଜ ଦବଦବା ଜାହିର କରିପାରେ। ଏଥର ବିଜେଡିର ବିଜୟ ରଥରେ ବ୍ରେକ୍‌ ଲଗାଇବା ପାଇଁ ଅଶାବାନ୍ଧଥିବା ବିରୋଧୀ ଶିବିରକୁ ଝଟକା ଲାଗିପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ଚିକିଟିରେ ବିଜେଡିର ଲାଗିପାରେ ବ୍ରେକ୍‌

ଅନ୍ୟପଟେ ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟ ରଥରେ ବ୍ରେକ୍‌ ଲଗାଇପାରେ ବିଜେପି ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି। ଗତ ୪ଟି ନିର୍ବାଚନରେ ଏହି ଆସନର ବିଜେଡି ବିଜୟ ବାନା ଉଡ଼ାଇ ଆସିଥିବାବେଳ ଏଥର ବିଜେପି ଚେକ୍‌ ଦେଇପାରେ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଉଛି।

ମୋହନାରେ ଜିତିପାରେ କଂଗ୍ରେସ

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ କମାଲ କରିପାରେ କଂଗ୍ରେସ। ଆଉ ବିଜେଡି ହାତରୁ କ୍ଷମତା ଭାର ଛଡ଼ାଇ ନେଇ କଂଗ୍ରେସ ଏଥର ଏହି ଆସନକୁ କବଜା କରିପାରେ ବୋଲି ଏକଜିଟ୍‌ ପୋଲରୁ ପୂର୍ବାନୁମାନ କରାଯାଉଛି।

ପାରଳାଖେମୁଣ୍ଡିରେ ତ୍ରିମୁଖୀ ଲଢ଼େଇ

ସେହିପରି ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ବୁଥ୍‌ ବାହୁଡ଼ା ମତ ଅନୁସାରେ, ପାରାଳାଖେମୁଣ୍ଡି ଆସନରେ ତ୍ରିମୁଖୀ ଲଢ଼େଇ ହୋଇପାରେ। ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇଛନ୍ତି। ବିଜେଡି ଓ କଂଗ୍ରେସ । କିନ୍ତୁ ଏଥର ଏହି ଆସନକୁ କିଏ ଦଖଲ କରିବ ସେନେଇ ସସପେନ୍ସ ରହିଛି।

ସମ୍ବନ୍ଧିତ ଖବର