ବିଜେପି ଅଧିନରେ ଢେଙ୍କାନାଳ ଲୋକସଭା ଆସନ, ୭ ବିଧାନସଭା ଆସନରୁ ୬ଟିରେ ଜିତିପାରେ ବିଜେଡି

ଭୁବନେଶ୍ୱର: ଶେଷ ହେଲା ୧୯ ମହାଯୁଦ୍ଧ। ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ଭୋଟରଙ୍କ ମୁଡ୍‌ କହୁଛି ଏଥର ଢେଙ୍କାନାଳ ଲୋକସଭା ଆସନରେ ବଦଳିପାରେ ରାଜନୈତିକ ସମୀକରଣ। ଆଉ ବାଜିମାରି ନେଇପାରେ ବିଜେପି। ୨୦୦୪ରୁ ବିଜେଡି ଗଡ ବୋଲାଉଥିବା ଏହି ସଂସଦୀୟ କ୍ଷେତ୍ରରେ ପ୍ରଥମଥର ପାଇଁ ବିଜେପି ପଦ୍ମ ଫୁଟାଇପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ଅନୁମାନ କରାଯାଉଛି।

ଅନ୍ୟପଟେ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ। ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୬ଟି ଆସନକୁ ନିଜ ଦଖଲକୁ ନେଇପାରେ ବୋଲି ସମ୍ଭାବନା ରହିଛି। ସେହିଭଳି ଗୋଟିଏ ସିଟ୍‌ରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ଢେଙ୍କାନାଳ ସଦର ଆସନ ଯିବ ବିଜେଡି ହାତକୁ
ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଢେଙ୍କାନାଳ ବିଧାନସଭା ଆସନକୁ ପୁଣି ନିଜ ଦଖଲକୁ ନେଇପାରେ ବିଜେଡି। ଗତ ୪ଟି ନିର୍ବାଚନରେ ପ୍ରତି ଦଳକୁ ସୁଯୋଗ ଦେଇଥିବା ଢେଙ୍କାନାଳବାସୀ ଏଥର କିନ୍ତୁ ପୁଣି ବିଜେଡିକୁ ଭରସି ବିଜୟ ଟୀକା ପିନ୍ଧାଇ ପାରନ୍ତିି ବୋଲି ପୂର୍ବାନୁମାନ କରାଯାଉଛି।

ହିନ୍ଦୋଳରେ ରିପିଟ କରିବ ବିଜେଡି
ଅନ୍ୟପଟେ ବିଜେଡି ଜନ୍ମ ନେବା ପରଠାରୁ ହିନ୍ଦୋଳ ଆସନକୁ ଅଭେଦ୍ୟ ଦୁର୍ଗ କରି ରଖିଥିବାବେଳେ ଏଥର ମଧ୍ୟ ସେହି ଅଙ୍କ ରିପିଟ୍‌ କରିପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି। ଆଉ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୫ ଥର ପାଇଁ ନିଜର ଆଧିପତ୍ୟ ବିସ୍ତାର କରିପାରେ ବିଜେପି ବୋଲି ବୁଥ୍‌ ବାହୁଡ଼ା ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

କାମାକ୍ଷାନଗରରେ ବି ପୁଣି ଶଙ୍ଖ ବାଜିବ
ସେହିପରି ଦୀର୍ଘ ଦୁଇ ଦଶନ୍ଧି ଧରି ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା କାମାକ୍ଷାନଗର ଆସନର ଶିରିକୁ ପୁଣି ବଜାୟ ରଖିପାରେ ବିଜେଡି। ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଗତ ୨ ଦଶନ୍ଧିର ଫଳାଫଳକୁ ପୁଣି ରିପିଟ୍‌ କରିପାରନ୍ତି ଢେଙ୍କାନାଳବାସୀ ବୋଲି ପୂର୍ବାନୁମାନ କରାଯାଉଛି।

ପର୍ଜଙ୍ଗରେ ପରଂପରା ଜାରି ରଖିବ ବିଜେଡି
ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏହି ବୁଥ୍‌ ବାହୁଡ଼ା ମତ ଅନୁସାରେ, ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ପର୍ଜଙ୍ଗ ବିଧାନସଭା ଆସନରେ ବିଜୟ ବାନା ଉଡ଼ାଇ ଆସିଥିବା ବିଜେଡି ଏଥର ମଧ୍ୟ ନିଜର ଦବଦବା ଜାହିର କରିପାରେ। ଆଉ ବିଜେପି ଓ କଂଗ୍ରେସକୁ ପୂର୍ବଭଳି ପର୍ଜଙ୍ଗବାସୀ ପ୍ରତ୍ୟାଖାନ କରିପାରନ୍ତି ବୋଲି ରିପୋର୍ଟରୁ ଆଶଙ୍କା କରାଯାଉଛି।

ପାଲଲହଡାରେ ନିରାଶ ହେବେ ବିଜେପି-କଂଗ୍ରେସ
ସେହିଭଳି ବିଗତ ନିର୍ବାଚନ ଗୁଡ଼ିକରେ ବିଜେଡିକୁ ଭରସିଥିବା ପାଳଲହଡ଼ାବାସୀ ଏଥର ପୁଣି ବିଜେଡି ହାତରେ କ୍ଷମତା ଡ଼ୋରୀ ଦେଇପାରନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି। ଆଉ ପୁର୍ନବାର ନିରାଶ ହୋଇପାରନ୍ତି ଉଭୟ ବିଜେପି ଓ କଂଗ୍ରେସ ବୋଲି ଏକଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି।

ତାଳଚେରରେ ୩ୟ ବିଜୟ ଅପେକ୍ଷାରେ ବିଜେଡି
ତାଳଚେର ବିଧାନସଭା କ୍ଷେତ୍ରରେ ଲଗାତାର ତୃତୀୟ ବିଜୟ ହାସଲ କରିପାରେ ବିଜେଡି। ଆଉ ବିଗତ ଦୁଇଟି ନିର୍ବାଚନରେ ନିରାଶ ହୋଇଥିବା ବିଜେପି ଓ କଂଗ୍ରେସ ଦଳ ପୁଣି ଥରେ ନିରାଶ ହୋଇପାରନ୍ତି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଅନୁମାନ କରାଯାଉଛି।

ଅନୁଗୁଳରେ ବିଜୟ ପାଇଁ ସଂଘର୍ଷ କରିବ ବିଜେଡି
ସେପଟେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ଅନୁଗୁଳ ବିଧାନସଭା ଆସନରେ କେବଳ କଡ଼ା ମୁକାବିଲା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଗତ ୪ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସିଥିବା ବିଜେଡି ପାଇଁ ଏଥର ବିଜୟ ଏଠାରେ ସହଜ ହୋଇନପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ସମ୍ବନ୍ଧିତ ଖବର