ମହମ୍ମଦ ହିଫ୍‌ଜୁର ରହେମାନ୍‌
ଭୁବନେଶ୍ବର: ଏଥର ସାଧାରଣ ନିର୍ବାଚନ ସହିତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଉତ୍କଣ୍ଠା ଲାଗି ରହିଥିଲା। ବିଭିନ୍ନ ସଂସ୍ଥା ଜନମତ ସର୍ଭେ ଏବଂ ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ସର୍ଭେ କରିଥିଲେ। ସେମାନେ ଯେଉଁ ଆକଳନ କରିଥିଲେ ତାକୁ ନେଇ ଗଣମାଧ୍ୟମରେ ତିନି ଦିନ ଧରି ବିତର୍କ ଚାଲିଲା। କିନ୍ତୁ ଜୁନ୍ ୪ ତାରିଖରେ ଗଣତି ପରେ ଫଳାଫଳକୁ ନେଇ ଯେଉଁ ସଂଖ୍ୟା ସାମ୍‌ନାକୁ ଆସିଲା, ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ବିଭିନ୍ନ ସଂସ୍ଥାର ଆକଳନ ଫେଲ୍ ମାରିଲା। ଆକଳନ କରାଯାଇଥିବା ସଂଖ୍ୟା ଏବଂ ପ୍ରକୃତ ଫଳାଫଳ ମଧ୍ୟରେ ଢେର ତାରତମ୍ୟ ଦେଖାଗଲା। ଫଳରେ ପୋଲ୍ କରିଥିବା ସଂସ୍ଥାମାନଙ୍କର ବିଶ୍ବସନିୟତା ନେଇ ଏବେ ପ୍ରଶ୍ନ ଉଠିଲାଣି। ବିରୋଧୀ ଦଳ ଏହାକୁ ନେଇ ନିରାଶା ପ୍ରକଟ କରିବା ସହିତ ସଂସ୍ଥାମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି।

Advertisment

ବଡ଼ ବଡ଼ ସଂସ୍ଥାମାନଙ୍କର ଆକଳନ ଓ ନିର୍ବାଚନ ପରବର୍ତ୍ତୀ ଫଳାଫଳ ରିପୋର୍ଟ ଶହେ ପ୍ରତିଶତ ନ ହେଲେ ବି ପାଖାପାଖି ରହେ। ଏଥର କିନ୍ତୁ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଭଳି ନିର୍ଭରଯୋଗ୍ୟ ସଂସ୍ଥା ଫେଲ୍ ମାରିଛି। ଅତୀତରେ ବିଶ୍ବାସଯୋଗ୍ୟ ଆକଳନ କରିଥିବା ଏହି ସଂସ୍ଥା ଏଥର ଏନ୍‌ଡିଏକୁ ୩୬୧ରୁ ୪୦୧ ଆସନ ଦେଇଥିଲା। ଭବିଷ୍ୟବାଣୀ କରିଥିଲା ଯେ ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ୧୩୧ରୁ ୧୬୬ରେ ସୀମିତ ରହିବ। ସେହିଭଳି ଟୁଡେଜ୍ ଚାଣକ୍ୟ-ନ୍ୟୁଜ୍ ୨୪ ଆକଳନ କରିଥିଲା ଯେ ଏନ୍‌ଡିଏକୁ ୩୮୫ରୁ ୪୧୫ ପର୍ଯ୍ୟନ୍ତ ଆସନ ମିଳିପାରେ। ଇଣ୍ଡିଆ ମେଣ୍ଟ ୯୬ରୁ ୧୧୮ ଭିତରେ ସୀମିତ ରହିବ। ରିପବ୍ଲିକ୍‌ ଭାରତ କହିଥିଲା ଯେ ଏନ୍‌ଡିଏକୁ ୩୫୩ରୁ ୩୬୮ ପର୍ଯ୍ୟନ୍ତ ଆସନ ମିଳିବ। ଇଣ୍ଡିଆ ମେଣ୍ଟ ପାଇଁ ସର୍ବାଧିକ ସଂଖ୍ୟାର ଆକଳନ କରିଥିଲା ଏବିସି ଭୋଟର। ସଂସ୍ଥା ପୂର୍ବାନୁମାନ କରିଥିଲା ଯେ ବିରୋଧୀ ମେଣ୍ଟକୁ ୧୫୨ରୁ ୧୮୨ ପର୍ଯ୍ୟନ୍ତ ଆସନ ମିଳିପାରେ। ହେଲେ ୪ ତାରିଖରେ ଭୋଟ୍‌ ଗଣତି ପରେ ପ୍ରକୃତରେ ଏନ୍‌ଡିଏକୁ ୨୯୩ ଏବଂ ଇଣ୍ଡିଆକୁ ୨୩୩ ଆସନ ମିଳିଛି। ଏଥିସହିତ ଏକଜିଟ୍ ପୋଲ୍ ଓ ଏକଜାଟ୍ ପୋଲ ଭିତରେ ଥିବା ଯୋଜନ ଯୋଜନ ଦୂରତା ସାମ୍ନାକୁ ଆସିଛି।

କେବଳ ସର୍ଭେ ସଂସ୍ଥା ନୁହେଁ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆକଳନ ମଧ୍ୟ ଠିକ୍ ବୋଲି କୁହାଯାଇପାରିବ ନାହିଁ। ସେ କହିଥିଲେ ଯେ ବିଜେପି ଏକାକୀ ୩୦୩ରୁ ଟିକିଏ ଅଧିକ ଆସନ ପାଇବ ଏବଂ କଂଗ୍ରେସ ଆସନ ସଂଖ୍ୟା ଶହେ ତଳକୁ ରହିବ। ଉତ୍ତର ଏବଂ ପଶ୍ଚିମ ଭାରତରେ ବିଜେପିକୁ ଐତିହାସିକ ସଫଳତା ମିଳିବ ବୋଲି କହିଥିଲେ। ପଶ୍ଚିମ ବଙ୍ଗ ନେଇ ମଧ୍ୟ ତାଙ୍କର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି। କେବଳ ଯୋଗେନ୍ଦ୍ର ଯାଦବଙ୍କ ଆକଳନ ପ୍ରକୃତ ସଂଖ୍ୟା ପାଖାପାଖି ରହିଲା। ‌ସେ କହିଥିଲେ ଯେ ବିଜେପି ଆସନ ସଂଖ୍ୟା ୨୪୦ରୁ ୨୬୦ ଭିତରେ ରହିବ ଏବଂ ଏନ୍‌ଡିଏ ସଂଖ୍ୟା ୨୭୫ରୁ ୩୦୦ ଭିତରେ ରହିବ। ସେହିଭଳି ତାଙ୍କ ଆକଳନ ଥିଲା ଯେ କଂଗ୍ରେସ ଆସନ ସଂଖ୍ୟା ୮୫ରୁ ୧୦୦ ଏବଂ ଇଣ୍ଡିଆ ମେଣ୍ଟ ଆସନ ସଂଖ୍ୟା ୨୦୫ରୁ ୨୩୫ ଭିତରେ ରହିବ।

ସ୍ମରଣଥାଉକି, ୨୦୦୪ ନିର୍ବାଚନ ବେଳେ ମଧ୍ୟ ଏକଜିଟ୍ ପୋଲ୍ ଆକଳନ ଫେଲ୍ ମାରିଥିଲା। ବାଜପେୟୀ ସରକାର ଜିତିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଥିଲେ। ସରକାର ଗଠନ ପାଇଁ ଦଳ ମାନସିକ ରୂପେ ପ୍ରସ୍ତୁତି ଚଳାଇଥିବା ବେଳେ ଫଳାଫଳ ପୂରା ଓଲଟା ବାହାରିଲା। ବାଜପେୟୀ ସରକାର ପରାଜୟର ସମ୍ମୁଖୀନ ହୋଇଥିଲେ ଏବଂ ୟୁପିଏ ସରକାର ଦାୟିତ୍ବ ଗ୍ରହଣ କରିଥିଲା। ତେବେ ପ୍ରଶ୍ନ ଉଠିଲାଣି ଏକଜିଟ୍ ପୋଲ୍ ଆକଳନ ଏଥର ଭୟଙ୍କର ରୂପେ ଫେଲ୍ ମାରିଲା କାହିଁକି? ଏହାପଛରେ ରହସ୍ୟ କଣ? ମତଦାନ ପରେ ଏକଜିଟ୍ ପୋଲ୍ ସର୍ଭେ ନାମରେ ଏହି ସଂସ୍ଥାମାନେ ଜାଣିଶୁଣି ଏଭଳି ଆକଳନ କରୁଛନ୍ତି କି? ‌ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଥିବାର କାରଣ କଣ ‌ହୋଇପାରେ? ଏକଜିଟ୍ ପୋଲ୍ ନାମରେ ଏହା ଏକ ସ୍କାମ୍ ନୁହେଁ ତ?

ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ସେୟାର ବଜାର‌କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏକଜିଟ୍ ପୋଲ୍ କରାଯାଉଛି। ଏକଜିଟ୍ ପୋଲ୍ ପରେ ସେୟାର ମାର୍କେଟରେ ଯେଉଁ ବେପାର ହେଲା, ସେଥିରେ କିଛି ବ୍ୟବସାୟୀ ଲାଭବାନ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବ‌ା ପରେ ସେୟାର ମାର୍କେଟ କେମିତି ଖସିଲା, ତାହା ବି ସମ‌ସ୍ତେ ଦେଖିଲେ। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅନେକ ଅର୍ଥନୀତି ବିଶେଷଜ୍ଞ ଅଭିଯୋଗ କରିଛନ୍ତି ଯେ କ୍ଷମତାସୀନ ଦଳ ସପକ୍ଷରେ ହାୱା ସୃଷ୍ଟି ଲାଗି ଏଭଳି ଏକ୍‌ଜିଟ୍ ପୋଲ୍ କରାଯାଇଛି। ଷ୍ଟକ୍ ମାର୍କେଟରେ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଫାଇଦା ଦେବାପାଇଁ ଏକଜିଟ୍ ପୋଲ୍ ଆକଳନରେ ଜାଣିଶୁଣି ଅତିରଞ୍ଜିତ କରାଯାଇଛି। ତେବେ ‌ସର୍ଭେ କରିଥିବା ସଂସ୍ଥାମାନେ ଏଭଳି ଅଭିଯୋଗକୁ ଅବାସ୍ତବ କହି ଖଣ୍ଡନ କରିଛନ୍ତି। ସେମାନଙ୍କର ଯୁକ୍ତି ହେଲା ‌ଯେ ମତଦାନ କରି ବୁଥ୍‌ରୁ ଫେରୁଥିବା ଭୋଟର୍‌ମାନଙ୍କ ମତାମତକୁ ଭିତ୍ତି କରି ଆକଳନ କରାଯାଇଥାଏ। କିନ୍ତୁ ସେମାନେ ଭୁଲ ତଥ୍ୟ ଦେଲେ ସଠିକ୍‌ ଆକଳନ କରିବା କଷ୍ଟସାଧ୍ୟ।