‘ଢେଙ୍କାନାଳ-ଅନୁଗୁଳ ପର୍ଯ୍ୟଟନସ୍ଥଳୀର ବିକାଶ ହେଉ’, ଉନ୍ନୟନ କମିସନରଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର

ଭୁବନେଶ୍ବର : ଆଗାମୀ ଦିନରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ବୃହତ୍‌ ଶିଳ୍ପାୟନ କମ୍ପ୍ଲେକ୍ସରେ ପରିଣତ ହେବାକୁ ଯାଉଛି। ମାତ୍ର, ଏହି ୨ ଜିଲ୍ଲାର ତାଳଚେର, ପାଲଲହଡ଼ା, କାମାକ୍ଷାନଗର ଓ ଆଠମଲ୍ଲିକ ସବ୍‌ଡିଭିଜନ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାଫଳରେ, ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁନାହାନ୍ତି। ଏଥିସହିତ, ବ୍ୟସ୍ତବହୁଳ ଜୀବନ ସହିତ ଛନ୍ଦି ହୋଇଥିବା ସ୍ଥାନୀୟ ଲୋକମାନେ ଅବସର ବିନୋଦନ ପାଇଁ ଭଲ ସ୍ଥାନଟିଏ ଖୋଜି ପାଉନାହାନ୍ତି। ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ଉନ୍ନୟନ କମିସନରଙ୍କୁ ପତ୍ର ଲେଖିଛନ୍ତି ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ।

ପୂର୍ବତନ ବିଧାୟକ ଶ୍ରୀ ଦାସ ଏହି ପତ୍ରରେ ନିର୍ଦ୍ଦିଷ୍ଟ କେତେକ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଉନ୍ନୟନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, କପିଳାସରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରୋପ୍‌-ୱେ ବ୍ୟବସ୍ଥା କରାଯାଉ। ରେଙ୍ଗାଳି ଡ୍ୟାମ୍‌ର ଉଭୟ ପାର୍ଶ୍ବରେ ଦୁଇଟି ମିନାର୍‌ ସହିତ ଏକ ବୋଟାଲିକାନ ଗାର୍ଡେନ ନିର୍ମାଣ କରାଯାଉ। ଏଥିସହିତ, ଏଠାରେ ମଧ୍ୟ ଡ୍ୟାମ୍‌ର ପାର୍ବତ୍ୟ ଶିଖରରେ ଏକ ରୋପ୍‌-ୱେ ବ୍ୟବସ୍ଥା କରାଯାଉ। ଡେରାଜାଙ୍ଗ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଅନୁରୂପ ଭାବେ ଏକ ରୋପ-ୱେ ବ୍ୟବସ୍ଥା ସହିତ ନିମ୍ନ ପାଦ ଦେଶରେ ଏକ ପାର୍କ ପ୍ରତିଷ୍ଠା କରାଯାଉ। ବଣଭୋଜି ପାଇଁ ରାମିଆଲ ଜଳସେଚନ ପ୍ରକଳ୍ପକୁ ବିକଶିତ କରାଯାଉ। ସେହିଭଳି, ଦଦରାଘାଟି ମଧ୍ୟମ ପ୍ରକଳ୍ପଠ‌ାରେ ଏକ ପାନ୍ଥଶାଳା ନିର୍ମାଣ କରାଯିବା ସହିତ ସେଠାରେ ମଧ୍ୟ ରୋପ୍‌-ୱେ ବ୍ୟବସ୍ଥା କରାଯାଉ।

ଶ୍ରୀ ଦାସ ଦୃଷ୍ଟି ଆକର୍ଷଣ କରିବା ସହିତ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମଧ୍ୟମ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଏକ ପାର୍କ ନିର୍ମାଣ କରାଯାଇପାରିବ। ହିନ୍ଦୋଳ ବ୍ଲକ୍‌ର ନନ୍ଦିନିଆଠାରେ ଥିବ‌‌ା ଉଷ୍ମ ପ୍ରସବଣଠାରେ ପର୍ଯ୍ୟଟକଙ୍କ ପାଇଁ ଏକ ବଙ୍ଗଳା ନିର୍ମାଣ କରାଯାଉ। ତା‌ଳଚେରସ୍ଥିତ ପଶ୍ଚିମେଶ୍ବର ମନ୍ଦିର , ଯେଉଁଠି ଅନନ୍ତଶୟନ ଅବସ୍ଥାରେ ପ୍ରଭୁ ବିଷ୍ଣୁଙ୍କ ବିଗ୍ରହ ରହିଛି, ସେଠାରେ ବୈତରଣୀ ନଦୀ ପ୍ରବାହିତ ହେଉଛି। ଏହି ନଦୀ ଉପରେ ଏକ ଝୁଲନ୍ତା ପୋଲ ନିର୍ମାଣ କରାଯାଉ। ଏଥିସହିତ, ବୋଟିଂ ସୁବିଧା ସହିତ ରେଙ୍ଗାଳି ଜଳଭଣ୍ଡାରକୁ ଏକ ବଣଭୋଜି ସ୍ଥଳୀରେ ପରିଣତ କରାଯାଇ ପାରିବ ବୋଲି ଶ୍ରୀ ଦାସ ପତ୍ରରେ ଉ‌େଲ୍ଲଖ କରିଛନ୍ତି। ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌, ଟାଟା, ଜିନ୍ଦଲ, ତାଳଚେର ଥର୍ମାଲ ସହାୟତାରେ ଏହିସବୁ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ ବୋଲି ଶ୍ରୀ ଦାସ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର