ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଜଳବାୟୁ ଠିକ୍ ଥିବାରୁ ଓ ଖାଦ୍ୟ ପ୍ରଚୁର ମିଳୁଥିବାରୁ ବିଦେଶୀ ପକ୍ଷୀମାନେ ଭିଡ଼ ଜମାଇଛନ୍ତି। ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଭିଡ଼ ଜମାଇଥିବାରୁ ପକ୍ଷୀ ଶିକାର କରିବା ପାଇଁ ଶିକାରୀମାନେ ସେମାନଙ୍କ ଜାଲ ବିଛାଇଛନ୍ତି। ବିଦେଶୀ ପକ୍ଷୀମାନେ ଓଦା ଥିବା ବିଲରୁ ଧାନ ଖାଇବାକୁ ଆସୁଥିବାରୁ ସେଠାରେ ନିଶା ଦେଇ ଏବେ ପକ୍ଷୀ ଶିକାର ଆରମ୍ଭ ହୋଇଯାଇଛି। ଆଜି ସକାଳେ ନିଶା ଦେଇ ପକ୍ଷୀ ଶିକାର କରାଯାଉଥିବା ଖବର ପାଇ ବନବିଭାଗର କର୍ମଚାରୀମାନେ ଚଢ଼ଉ କରି ୧୪ଟି ବିଦେଶୀ ପକ୍ଷୀ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି।

Advertisment

ଭିତରକନିକା ଜାତୀୟ ଉଦ୍ୟାନର ଭିତରକନିକା ଫରେଷ୍ଟ ବ୍ଲକ୍‌ ନିକଟ ଈଶ୍ବରପୁର ପଞ୍ଚାୟତ ମାହାଲା ଗାଁ ନିକଟରେ ନିଶାଦେଇ ବିଦେଶୀ ପକ୍ଷୀ ଶିକାର ହୋଇଥିବା କନିକା ରେଂଜ ଅଫିସର ମାନସ କୁମାର ଦାସଙ୍କୁ ସୂଚନା ମିଳିଥିଲା। ରେଂଜ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ପ୍ରଶାନ୍ତ କୁମାର ସିଂ, ଫରେଷ୍ଟଗାର୍ଡ ଶ୍ରୀରାମ ମୁର୍ମୁ ଆଜି ଏହି ଗାଁ ଜଙ୍ଗଲ ନିକଟରେ ପହଞ୍ଚିବା ବେଳକୁ ଜଣେ ମହିଳା ରାଜବିଜୟନଗର ଗାଁର ରାଧିକା ମାଇତି (୩୮) ୫ଟି ବିଦେଶୀ ପକ୍ଷୀ ନିଜ ଟୋକେଇରେ ପୂରାଇଥିଲେ। ବନବିଭାଗ କର୍ମଚାରୀ ରାଧିକାଙ୍କୁ ଧରିବା ସହ ତାଙ୍କଠାରୁ ମୃତ ପକ୍ଷୀ ଜବତ କରିଥିଲେ। ବନବିଭାଗ କର୍ମଚାରୀଙ୍କୁ ଦେଖି ଅନ୍ୟ ୨/୩ଜଣ ପକ୍ଷୀ ଫୋପାଡି ଦୌଡି ପଳାଇଥିଲେ। ବନବିଭାଗର କର୍ମଚାରୀମାନେ ଅଜଗରପାଟିଆ ଗାଁର ମୁକ୍ତିପଦ ଦାସଙ୍କ ଘରୁ ଦୁଇଟି ପକ୍ଷୀ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ସେହି ଅଂଚଳରୁ ବନବିଭାଗ କର୍ମଚାରୀମାନେ ଲେସର୍‌ ହୁଇସିଲିଂ ଡକ୍ ପ୍ରଜାତିର ୧୦ଟି ପକ୍ଷୀ ଓ ରୁଡି ସେଲଡକ ପ୍ରଜାତିର ୪ଟି ପକ୍ଷୀ ଜବତ କରିଥିଲେ। ଜବତ ପକ୍ଷୀଗୁଡିକଙ୍କ ଦେହରେ କ୍ଷତ ଚିହ୍ନ ରହିଛି। ଅଧିକାଂଶ ପକ୍ଷୀଙ୍କ ଦେହର ବିଭିନ୍ନ ସ୍ଥାନରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି।

ବନବିଭାଗଠାରୁ ମିଳିଥିବା ସୂଚନା ମୁତାବକ, ବଳଭଦ୍ରପୁର ଗାଁର ଚଗୁଲୁ ଦଳାଇ ବିଷଦେଇ ବିଦେଶୀ ପକ୍ଷୀ ଶିକାର କରି ବିକ୍ରି କରୁଥିବା ଅଭିଯୋଗ ମିଳିଥିଲା। ବନବିଭାଗ ଟିମ୍ ସୂଚନା ଆଧାରରେ ସେଠାରେ ପହଞ୍ଚିବା ବେଳକୁ ଚଗଲୁ ଫେରାର ହୋଇଯାଇଥିବା ବେଳେ ମୁକ୍ତିପଦ ଓ ରାଧିକା ଧରା ପଡିଛନ୍ତି। ଏହି ଦୁଇ ପ୍ରଜାତିର ବିରଳ ପକ୍ଷୀ ଆଦ୍ରଭୂମି, କାଦୁଆ ବିଲ ଓ ନଦୀ କୂଳରେ ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହି ପକ୍ଷୀ ଅକ୍ଟୋବର ଶେଷ ବେଳକୁ ଭିତରକନିକାରେ ପହଞ୍ଚି ଏପ୍ରିଲ ସୁଦ୍ଧା ଫେରିଯାଇଥାନ୍ତି। ଜଙ୍ଗଲ ନିକଟରେ ଥିବା ଗାଁର ଧାନ କ୍ଷେତକୁ ଧାନ ଖାଇବାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଧାନରେ ନିଶା ମିଶାଇ ଶିକାର କରୁଛନ୍ତି। ପକ୍ଷୀଗୁଡିକ ଏହି ନିଶାମିଶା ଧାନ ଖାଇବା ପରେ ତାଙ୍କୁ ନିଶା ହେବା ପରି ଘୁମାଇଥାନ୍ତି। ଏହାର ସୁଯୋଗ ନେଇ ଛକି ରହିଥିବା ଶିକାରୀମାନେ ଢେଙ୍ଗା ଓ ଲୁହାରଡ ମାଧ୍ୟମରେ ସେହି ପକ୍ଷୀଙ୍କୁ ବାଡାଇ ମାରିଥାନ୍ତି। ଏହାକୁ ନିଜେ ଶିକାର କରି ଖାଇବା ସହ ବିକ୍ରି କରିଥାନ୍ତି। ଅନ୍ୟପଟେ କନିକା ରେଂଜ୍‌ ଅଫିସର ମାନସ କୁମାର ଦାସ କହିଛନ୍ତି ଯେ, ଜବତ ପକ୍ଷୀର ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ପରେ ତାଙ୍କୁ କେଉଁ ପ୍ରଜାତିର ନିଶା ଦିଆଯାଉଛି ତାହା ସ୍ପଷ୍ଟ ହେବ। ମୁଖ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।