ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ

ବାଲୁଗାଁ : ଚିଲିକା ହ୍ରଦକୁ ଏବେ ଅସିଲେଣି ବିଦେଶୀ ପକ୍ଷୀ। ସୁଦୂର କାଜକ୍‌ସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର କିଲୋମିଟର ଉଡ଼ିଆସି ‌ଏହି ବିଦେଶୀ ପକ୍ଷୀ ଏବେଠାରୁ ନୀଳାମ୍ବୁ ଚିଲିକାର ଶୋଭାବର୍ଦ୍ଧନ କଲେଣି।

ସାଧାରଣତଃ ପ୍ରତ୍ୟେକବର୍ଷ ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସିଥା’ନ୍ତି। ଚଳିତବର୍ଷ ମଧ୍ୟ ଇଂରାଜୀ ଅକ୍ଷର ‘ଭି’ ଭଳି ଆକୃତିର ଆକାଶରେ ଉଡ଼ି ଆସୁଥିବା ଦେଖାଯାଇଥିଲା। ଅକ୍ଟୋବର ମାସଠାରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜ ବାସସ୍ଥାନଭାବେ ବାଛିନେଇଥାନ୍ତି। ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ଅଧିକ ବିଦେଶାଗତ ପକ୍ଷୀ ରହିବାକୁ ଭଲ ପାଆନ୍ତି। ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ଏକ ସପ୍ତାହ ବିଳମ୍ବରେ ଏହି ପକ୍ଷୀମାନେ ଆସିଥିବାବେଳେ ବନବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ ,ଗଡ଼ୱାଲ, ଉଇଜନ, ପ୍ରିଣ୍ଟେଲ, ଶୋଭଲର ଆଦି ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି ।

ଗତବର୍ଷ ପକ୍ଷୀ ଚିଲିକାକୁ ୧୧ଲକ୍ଷ ୫ହଜାର ୪୦ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିଲା। ୨୦୨୦ରେ ୧୮୪ ପ୍ରଜାତିର ପକ୍ଷୀମାନଙ୍କର ସମାଗମହୋଇଥିଲା। ଚିଲିକା ହ୍ରଦ ଅଧୀନରେଥିବା ୫ ଟି ରେଞ୍ଜ ଯଥା-ବାଲୁଗାଁ ,ଟାଙ୍ଗୀ , ଚିଲିକା , ରମ୍ଭା ଓ ସାତପଡ଼ାରେ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ବନବିଭାଗ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମଗ୍ର ଚିଲିକା୨୦ ହଜାର ୫୭୮ ବିଦେଶାଗତ ପକ୍ଷୀ ମାନଙ୍କର ସମାଗମ ହୋଇଥିଲା ବେଳେ ୫୫ ପ୍ରଜାତିର ପକ୍ଷୀ ଆସିଥିବା ଚିଲିକା ବନ୍ୟପ୍ରାଣୀ ଏସିଏଫ୍ ଶରତ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଚିଲିକା ପାଇଁ ୨୦ଟି କ୍ୟାମ୍ପ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ୩ ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି ଓ ଚିଲିକା ମଧ୍ୟରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଏସିଏଫ ଶ୍ରୀ ମିଶ୍ର କହିଛନ୍ତି ।

ସମ୍ବନ୍ଧିତ ଖବର