ଜିଲ୍ଲାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ କାହାର ଚିନ୍ତା ନାହିଁ 

ବୌଦ୍ଧ : ପ୍ରାକୃତିକ ବୈଭବରେ ଭରା ବୌଦ୍ଧ ଜିଲ୍ଲା। ଏହାର ବାୟୁ ମଣ୍ଡଳରେ ଆଦ୍ରତା ଥିବାରୁ ଜଳାଶୟଗୁଡ଼ିକରେ ପାଣି ଜମା ରହିଥାଏ। ଜଳାଶୟରେ ବିଭିନ୍ନ ଗୁଳ୍ମ ରହୁଥିବାରୁ ପକ୍ଷୀଙ୍କ ରହିବା ଓ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ବିଦେଶୀ ପକ୍ଷୀଙ୍କୁ ଆକର୍ଷିତ କରି ଆସୁଛି। ଫଳରେ ପ୍ରତିବର୍ଷ ଶୀତ ଋତୁ ଆସିବା ମାତ୍ରେ ବିଭିନ୍ନ ଜଳାଶୟରେ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳେ। ଜିଲ୍ଲାରେ ପ୍ରବାହିତ ମହାନଦୀ, ତେଲନଦୀ, ସାଲୁଙ୍କ ଓ ବାଘନଦୀ ସହ ବିଭିନ୍ନ ଅଞ୍ଚଳର ପୋଖରୀରେ ଏମାନଙ୍କ ବସତି ଆରମ୍ଭ ହୁଏ।

ଗ୍ରୀଷ୍ମ ଆସିବା ପୂର୍ବରୁ ସେମାନେ ସାଇବେରିଆ ଅଞ୍ଚଳକୁ ଫେରି ଯାଆନ୍ତି। ଏହି ସମୟ ମଧ୍ୟରେ ବସା ତିଆରି କରି ଅଣ୍ଡା ଦେବା ଓ ତହିଁରୁ ଛୁଆ ଫୁଟି ଉଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ଶୀତୁଆ ସକାଳରେ ବିଭିନ୍ନ ଶବ୍ଦ କରି ଏମାନେ ଖାଦ୍ୟ ଅନ୍ବେଷଣରେ ବାହାରନ୍ତି। ମଧ୍ୟାହ୍ନରେ ସେମାନଙ୍କ ଜଳ କ୍ରୀଡ଼ା ପକ୍ଷୀ ପ୍ରେମୀଙ୍କୁ ବିମୋହିତ କରେ। ସଂଧ୍ୟାରେ ପୁଣି ଜଳାଶୟ ନିକଟ ଅଞ୍ଚଳରେ ଏମାନଙ୍କ କଳରବ ଗୁଞ୍ଜରିତ ହୁଏ। ସାରା ଦିନର ସେମାନଙ୍କ କ୍ରିୟାକଳାପ ପକ୍ଷୀ ପ୍ରେମୀଙ୍କୁ ଆକୃଷ୍ଟ କରେ।

ଗତବର୍ଷର ପକ୍ଷୀ ଗଣନାରେ ୨୧୬୧ ବିଦେଶୀ ପକ୍ଷୀ ଜିଲ୍ଲାକୁ ଆସିଥିବା ଜଣାଯାଇଥିଲା। ସେମାନଙ୍କ ମଧ୍ୟରେ ଗ୍ରେଟ କର୍ମରେଣ୍ଟ ପକ୍ଷୀ ୫୦୫ଟି, ଲିଟିଲ କର୍ମରେଣ୍ଟ ୨୬୨ଟି, ଇଣ୍ଡିଆନ ଫଣ୍ଡ ହେରାନ ୨୩୦ଟି, କମନ କୁଣ୍ଡୁ ୨୪୧, ଲିଟିଲ ଇଗ୍ରେଟ ୧୭୭ଟି, ଇଣ୍ଡିଆନ କଟନ୍‌ ଟେଲ୍‌ ୧୩୦ ଓ ନର୍ଦର୍ଣ୍ଣ ସୋଭଲର ୧୧୮ଟି ରହିଥିଲେ। ଆମ ଅଞ୍ଚଳର ଶୋଭା ବଢ଼ାଉଥିବା ଏହି ଅତିଥିମାନେ ଚଳିତ ବର୍ଷ ବିପଦରେ ରହିଛନ୍ତି। ବିଭିନ୍ନ ଜଳାଶୟ ଅଞ୍ଚଳରେ ଶିକାରୀମାନେ ବିଭିନ୍ନ ଉପାୟରେ ଏମାନଙ୍କୁ ଧରୁଛନ୍ତି। ନିଜେ ଭୋଜିଭାତ କରି ଖାଇବା ସହ ଚଢ଼ା ଦରରେ ବିକ୍ରି କରୁଥିବା ଜଣାଯାଇଛି। ଏଥିପ୍ରତି ବନ ବିଭାଗର ନଜର ନାହିଁ। ବର୍ଷକୁ ଥରେ କେବଳ ପକ୍ଷୀ ଗଣନା କରି ବିଭାଗ ତା’ର ଦାୟିତ୍ବ ସଂପାଦନ କରୁଥିବା ପକ୍ଷୀପ୍ରେମୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ ଏବେଠୁ ସେମାନଙ୍କୁ ସୁରକ୍ଷା ନଦେଲେ ବଂଶ ବୃଦ୍ଧି କରିବା ବଦଳରେ ବଂଶ ବିନାଶ ହୋଇ କମ ସଂଖ୍ୟକ ପକ୍ଷୀ ନିଜ ସ୍ଥାନକୁ ଫେରିବେ। ଏଭଳି ପ୍ରକ୍ରିୟା ଲାଗି ରହିଲେ କ୍ରମେ ଏମାନଙ୍କ ଆଗବନ ବନ୍ଦ ହେବା ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର