ଚର୍ଚ୍ଚାରେ କଟକରେ ତିଆରି ବିଦେଶୀ ମଦ, ଭେଜାଲ୍!

ପଶ୍ଚିମବଙ୍ଗରୁ ଆସୁଛି ମଦ ପାଇଁ ରଙ୍ଗ

କଟକ: କଟକରେ ବି ‘ଭାରତ ତିଆରି ବିଦେଶୀ ମଦ’(ଆଇଏମ୍‌ଏଫ୍‌ଏଲ୍) ବ୍ରାଣ୍ଡ ନାଁରେ ନକଲି ମଦ କାରବାର ହେଉଛି। ଅବିକଳ ବିଦେଶୀ ମଦ ବୋତଲରେ ଷ୍ଟିକର୍‌ ଲଗାଇ ନକଲି ମଦ ଭର୍ତ୍ତି କରି ବଜାରକୁ ଛଡ଼ାଯାଉଛି। ଏହି ମଦରେ ପଶ୍ଚିମବଙ୍ଗ ବଡ଼ବଜାରରୁ ଆମଦାନୀ ହେଉଥିବା ଏକ ରଙ୍ଗ ମିଶାଇ ପ୍ରସ୍ତୁତ କରାଯାଉଛି। ଏହି କାରବାରରେ ସାମିଲ ଥିବା ନୟାଗଡ଼ର ୪ ଜଣ ମାଫିଆ ଜିଲ୍ଲା ଅବକାରୀ ବିଭାଗ ସ୍କାନର୍‌ରେ ରହିଛନ୍ତି। ଏହି ମାଫିଆ ଗୋଷ୍ଠୀ ଭେଜାଲ୍‌ ବିଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବାବେଳେ କଟକକୁ ଚାଲାଣ କରୁଥିବା ବିଶ୍ବସ୍ତ ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଛି। ସୂଚନା ଅନୁସାରେ, ନୟାଗଡ଼ରୁ ଆମଦାନି ହେଉଥିବା ନକଲି ଭାରତ ତିଆରି ବିଦେଶୀ ମଦ ନୟାଗଡ଼ ଜିଲ୍ଲା ସିଦ୍ଧମୂଳ ବ୍ରିଜ୍‌ ଦେଇ କଟକ ଜିଲ୍ଲା କାନପୁର ପାଇକ ବାରବାଟୀ ରାସ୍ତାରେ ଜିଲ୍ଲାକୁ ପ୍ରବେଶ କରୁଛି। ସେଠୁ ନରସିଂହପୁର, ବଡ଼ମ୍ବା, ତିଗିରିଆ ଓ ସହରକୁ ଚାଲାଣ ହେଉଛି। ସେହିପରି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଆମଦାନି ଏହିଧରଣର ନକଲି ବିଦେଶୀ ମଦ ନରସିଂହପୁର ଦେଇ ଜିଲ୍ଲାକୁ ପ୍ରବେଶ କରୁଛି।

ଅବକାରୀ ବିଭାଗ ସ୍କାନର୍‌ରେ ନୟାଗଡ଼ର ୪ ମାଫିଆ
ଜାତୀୟ ରାଜପଥ କଡ଼ରେ ବେଧଡ଼କ କାରବାର

ଢେଙ୍କାନାଳରୁ ଚୌଦ୍ବାର ଓ ଖୁଣ୍ଟୁଣିକୁ ବି ଚାଲାଣ ହେଉଛି। କଟକ ଜିଲ୍ଲା କାନପୁରରେ ଅସଲି ବ୍ରାଣ୍ଡ ନାଁରେ ନକଲି ମଦ ପ୍ରସ୍ତୁତ ହେଉଛି। ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ପଶ୍ଚିମବଙ୍ଗ ବଡ଼ବଜାରରେ ବିକ୍ରି ହେଉଥିବା କାରାମେଲ୍‌ ରଙ୍ଗ ମିଶାଯାଉଛି। ଅସଲି ମଦ ବୋତଲରେ ଲାଗୁଥିବା ଲେବଲ୍, ଠିପି, ଏସେନ୍ସ, ଏକ୍ସଟ୍ରା ନ୍ୟୁଟ୍ରିଆଲ୍ ଆଲକହ୍‌ଲ ବି ସେହି ବଡ଼ବଜାର ଅଞ୍ଚଳରୁ ଆମଦାନୀ ହେଉଛି। ମଦ ବୋତଲ କଟକ ଜିଲ୍ଲା ମଙ୍ଗୁଳି, ଚୌଦ୍ବାର, ଜଗତପୁର ଅଞ୍ଚଳରେ ଥିବା କବାଡ଼ିଆ ଦୋକାନରୁ କିଣାଯାଉଛି। ନିର୍ଦ୍ଦିଷ୍ଟ ଭାବେ ବହୁଳ ବିକ୍ରି ହେଉଥିବା ୪ଟି ଭାରତ ତିଆରି ବିଦେଶୀ ମଦକୁ ନକଲି କରାଯାଉଛି। ଏହି ବ୍ରାଣ୍ଡ୍‌ର ଅସଲି ମଦ ଲିଟର ପିଛା ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନକଲି ମଦ ଅଧାମୂଲ୍ୟରେ ମିଳିଯାଉଥିବାରୁ ସହଜରେ ବଜାରରେ ପ୍ରବେଶ କରୁଥିବା କୁହାଯାଉଛି।

ଅବକାରୀ ବିଭାଗ ହସ୍ତଗତ କରିଥିବା ଗୁଇନ୍ଦା ତଥ୍ୟ ଅନୁସାରେ, ଆଠଗଡ଼, ବଡମ୍ବା, ମଙ୍ଗୁଳି-ଟାଙ୍ଗୀ, ଫୁଲନଖରା ଆଖପାଖରେ ଥିବା ଢାବାରେ ଏହି ନକଲି ମଦ ବିକ୍ରି କରାଯାଉଛି। ତେଣୁ ଜାତୀୟ ରାଜପଥରେ ଫୁଲନଖରାରୁ ଟାଙ୍ଗୀ ଯାଏ ରାସ୍ତାପାର୍ଶ୍ବରେ ଥିବା ଢାବାକୁ ସ୍କାନର୍‌ରେ ରଖାଯାଇଛି। କଟକ ଜିଲ୍ଲା ବାଦ୍ ଏହି କାରବାର ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ ଜିଲ୍ଲା ଭୁବନ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଡ଼କୁ ବି ମାଡ଼ି ଗଲାଣି। ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ‌ଯେ ୨୦୨୧ ଜୁନ୍‌ ୨୭ରେ ନୟାଗଡ଼-କଟକ ସୀମା ପାଇକ ବାରବାଟୀରେ ଏକ ଜଙ୍ଗଲିଆ ଅଞ୍ଚଳରେ ଚାଲିଥିବା ନକଲି ବିଦେଶୀ ମଦ କାରବାର ଠାବ ହେବା ସହିତ କାର୍ପଟ୍‌ଦାର୍‌ ବିଭୂତି ଭୂଷଣ ବିଶ୍ବାଳ ଓ ସହଯୋଗୀ ବଡ଼ମ୍ବାର ମନୋଜ ରାଉତକୁ ଗିରଫ କରାଯାଇଥିଲା। ସେବେଠାରୁ ଏହି ମାଫିଆ ଜିଲ୍ଲା ବାହାରେ ରହି କାରବାର ଚଳାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବକାରୀ ଏସ୍‌ପି ଦେବାଶିଷ ପଟେଲ୍‌ଙ୍କ କହିବା ଅନୁଯାୟୀ, ନୟାଗଡ଼ରୁ ଏହି ନକଲି ବିଦେଶୀ ମଦ କାରବାର ହେଉଥିବା ଖବର ମିଳୁଛି। ମୁଖ୍ୟତଃ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ତେବେ ଧରାପଡ଼ୁଥିବା ମଦ ଅସଲି କି ନକଲି ଜାଣିବାପାଇଁ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇ ଅନୁଧ୍ୟାନ କରାଯାଉଛି। ଖୁବ୍‌ଶୀଘ୍ର ଏହି କାରବାର ମୂଳରେ ଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟେଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର