ସୁନ୍ଦରଗଡ଼ : ୫ ଦିନିଆ ରିମାଣ୍ଡ ଶେଷ ପରେ ପୁଣି ଜେଲ୍ ଗଲେ ବହିଷ୍କୃତ ପ୍ରଶାସକ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଭିଜିଲାନ୍ସ ଆଉ ତାଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ ନ କରିବାରୁ ପ୍ରଶାନ୍ତଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି। ଏଣେ ରିମାଣ୍ଡ ସମୟରେ ଭିଜିଲାନ୍ସ ଜେରା କରି ପ୍ରଶାନ୍ତ ରାଉତଙ୍କ ଆଉ ତିନିଟି ପ୍ଲଟ୍ ଠାବ କରିଛି। ଏଥି ମଧ୍ୟରେ ଭୁବନେଶ୍ୱରରେ ଗୋଟିଏ ଓ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ୍‌ ରହିଛି। ଏହାଛଡ଼ା ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।

Advertisment

ପ୍ରଶାନ୍ତଙ୍କୁ ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ନେଇ କଟକ ଭିଜିଲାନ୍ସ ମୁଖ୍ୟାଳୟରେ ରଖି ଜେରା କରିଥିଲା। ଏ ନେଇ ପ୍ରଶାନ୍ତଙ୍କଠାରୁ ବହୁ ସୁରାକ ମିଳିଥିବା କୁହାଯାଉଛି। ଏହା ପରେ ସୋମବାର ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ। ଜୁନ୍‌ ୨୪ ତାରିଖ ସନ୍ଧ୍ୟାରେ କୋଟିପତି ବାବୁ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଉରକେଲା ଭିଜିଲାନ୍ସ ଡିଭିଜନର ସ୍ୱତନ୍ତ୍ର ଟିମ୍‌ ଗିରଫ କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲେ। କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନ ପାଇଁ ସୁନ୍ଦରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦେଇଛନ୍ତି। ଜୁଲାଇ ୭ ତାରିଖ ଯାଏ ସେ ହାଜତରେ ରହିବେ। ଅନ୍ୟପଟେ ୨୦୧୮ରେ ଶ୍ରୀ ରାଉତ ବିଶ୍ରା ବ୍ଲକ୍‌ରେ ବିଡିଓ ଥିବା ସମୟରେ ଏକ ବିଲ୍‌ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। କୋର୍ଟଙ୍କ ନୋଟିସ ସତ୍ତ୍ବେ ସେ ହାଜର ହେଉ ନଥିବାରୁ ସୋମବାର ତାଙ୍କୁ ସେହି ମାମଲାରେ ମଧ୍ୟ ହାଜର କରିଥିଲା ଭିଜିଲାନ୍ସ। ୭ ତାରିଖରେ ଲାଞ୍ଚ ମାମଲାରେ ଚାର୍ଜଫ୍ରେମ୍‌ ହୋଇପାରେ ବୋଲି କହିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏକକାଳୀନ ୯ଟି ଜାଗାରେ ଚଢ଼ଉ କରି ପ୍ରଶାନ୍ତଙ୍କ ଭୁବନେଶ୍ବରର କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨ କୋଟି ୩ ଲକ୍ଷ ୫୦୦ ଟଙ୍କା ଜବତ କରିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ଜାରି ରହିଥିବାବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ ହୋଇଥିଲା। ସେ ସମୟରେ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା। ବେଆଇନ କାରବାର ପାଇଁ ବାଲିମାଫିଆ, ଖଣି ମାଫିଆ, ଜଙ୍ଗଲ ମାଫିଆ ଓ ଉନ୍ନୟନ କାମ ବାବଦରେ ଠିକାଦାରଙ୍କଠାରୁ ଟଙ୍କା ଠୁଳ କରିଥିବା କୁହାଯାଉଛି। କିନ୍ତୁ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।