ବାଲେଶ୍ୱର/ବାହାନଗା : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ବ୍ଲକ ପଣପଣା ସେବା ସମବାୟ ସମବାୟ ସମିତିର ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସ (୩୪)ଙ୍କ ମୃତଦେହ ଗୁରୁବାର ସକାଳେ ନିଧିପଣ୍ଡା ରେଳକ୍ରସିଂ ନିକଟରୁ ରେଳବାଇ ଥାନା ପୁଲିସ ଜବତ କରିଛି। ପ୍ରଦୀପ୍ତଙ୍କ ଘର ବାହାନଗା ବ୍ଲକ ସରସତିଆ ଗାଁରେ। ଟ୍ରେନ୍ ଆଗକୁ ଡେଇଁ ପ୍ରଦୀପ୍ତ ଆତ୍ମହତ୍ୟା କରିଥିବା ସଂପର୍କରେ ଟ୍ରେନର ଲୋକୋ ପାଇଲଟ୍ (ଚାଳକ) ହଳଦୀପଦା ଷ୍ଟେସନ୍ ମାଷ୍ଟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଯଦିଓ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି, ତେବେ କେଉଁ ପୃଷ୍ଠଭୂମିରେ ପ୍ରଦୀପ୍ତ ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ସନ୍ଦେହ ବଢ଼ିଛି। କାରଣ ପଣାପଣା ସେବା ସମବାୟ ସମିତି ଦୁର୍ନୀତି ମାମଲାରେ ପ୍ରଦୀପ୍ତ ଥିଲେ ମୁଖ୍ୟ ଅଭିଯୁକ୍ତ। ପାଖାପାଖି ଦେଢ କୋଟିରୁ ଅଧିକ ଅର୍ଥ ହେରଫେର ଅଭିଯୋଗରେ ତାଙ୍କ ନାଁରେ ଏକାଧକ ମାମଲା ରୁଜୁ ହେବା ସହ ତାଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରାଯାଇଛି। ଯାହାର ଭିଜିଲାନ୍ସ ତଦନ୍ତ ଏବେ ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଦୀପ୍ତଙ୍କ ଆକସ୍ମିକ ମୃତ୍ୟୁ ପଛର କାରଣ ମାନସିକ ଚାପ ନା ଆଉ କିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ମୁତାବକ, ଦୀର୍ଘ ୪ ମାସ ହେଲା କାର୍ଯ୍ୟରୁ ବହିଷ୍କାର ପରେ ପ୍ରଦୀପ୍ତ ଘୋର ମାନସିକ ଅବସାଦରେ ଥିଲେ। ସରସତିଆରେ ନିଜ ଘର ଥିଲେ ବି ସେଠାରୁ ଚାଲିଆସି ବାଲେଶ୍ବର ପୁଲିସ ଲାଇନ୍ ଅଞ୍ଚଳରେ ପତ୍ନୀ ଓ ଝିଅ ସହ ଭଡ଼ାଘରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇବା କାରଣରୁ ପ୍ରଦୀପ୍ତ ଗତ କିଛିଦିନ ହେଲା ସକାଳୁ ସକାଳୁ ସ୍କୁଟର ଧରି ଘରୁ ବାହାରକୁ ଚାଲିଯାଉଥିଲେ ଏବଂ ବିଳମ୍ବରେ ଫେରୁଥିଲେ। ଗୁରୁବାର ସକାଳ ତାଙ୍କ ପାଇଁ ଶେଷ ସକାଳ ଥିଲା। ଘରୁ ସିଧା ହଳଦୀପଦା ଷ୍ଟେସନ୍ଠାରୁ ୨ କିମି ଦୂରରେ ଥିବା ରେଳ ଧାରଣା ନିକଟକୁ ଆସି ସେଠାରେ ଠିଆ ହୋଇ ରହିଥିଲେ। ସକାଳ ୮ଟା ୨୦ ସମୟରେ ଏକ ମାଲ୍ବାହୀ ଟ୍ରେନ୍ ଅତିକ୍ରମ କରୁଥିବା ସମୟରେ ସେ ଆଗକୁ ଡେଇଁ ପଡ଼ିଥିବା କୁହାଯାଉଛି। ଟ୍ରେନର ଲୋକୋ ପାଇଲଟ୍ ଏ ନେଇ ହଳଦୀପଦା ଷ୍ଟେସନରେ ଲିଖିତ ରିପୋର୍ଟ ଦେବା ପରେ ବାଲେଶ୍ବର ଷ୍ଟେସନ୍ ମାଷ୍ଟରଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ପରେ ରେଳବାଇ ଥାନା ପୁଲିସ ଘଟଣାସ୍ଥଳରୁ ପ୍ରଦୀପ୍ତଙ୍କ କ୍ଷତବିକ୍ଷତ ମୃତଦେହକୁ ଜବତ କରି ବଡ଼ମେଡିକାଲ୍ ପଠାଇଥିଲା। ପ୍ରଦୀପ୍ତଙ୍କ ବାପା ପ୍ରତାପଚନ୍ଦ୍ର ଦାସ, ଭାଇ ଓ ସ୍ଥାନୀୟ ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ପୁଲିସ ବ୍ୟବଚ୍ଛେଦ କରି ଶବ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନ୍ୟ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/railway-3.jpg)