ବିଧବା ମହିଳାଙ୍କୁ ଘରୁ ବେଦଖଲ ଘଟଣା: ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

‘ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ’, ଅଧିକାରୀଙ୍କ ଠାରୁ ଆଦାୟ ହେବ କ୍ଷତିପୂରଣ ଅର୍ଥ

ବିଂଝାରପୁର : ରାଜ୍ୟ ମାନବାଧିକାର ଆୟୋଗ ଏକ ମାମଲା (ନମ୍ବର-୫୬୭୪/୨୦୧୭)ର ବିଚାର କରି ଅଭିଯୋଗକାରୀ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ସଚିବ ଏ ସଂକ୍ରାନ୍ତ ପତ୍ରକୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଂଝାରପୁର ଥାନା ଅଳକୁଣ୍ଡ ଗ୍ରାମର ଜନୈକା ମହିଳାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଏଥିସହ ତତ୍କାଳୀନ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ମହିଳାଙ୍କୁ ବିବାଦୀୟ ଘରୁ ଉଚ୍ଛେଦ କରିବାରେ ନିଜ ପଦବିର ଅପବ୍ୟବହାର କରିଥିବା ସଂପୃକ୍ତ ଅଧିକାରୀଙ୍କଠାରୁ ଏହି କ୍ଷତିପୂରଣ ରାଶି ଆଦାୟ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦୁଇମାସ ଭିତରେ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗକୁ ମାନବାଧିକାର କମିସନ ଗତ ଜୁନ୍‌ ୧୭ରେ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ ଆବେଦନକାରୀ ହେଲେ ସ୍ବର୍ଗତ ଇନ୍‌ତାଜଙ୍କ ବିଧବା ପତ୍ନୀ ସାଜରା ଅଞ୍ଜୁମ। ଜାହାରା ବେଗମ ଓ ମୁନେରା ଖାତୁନ ଏବଂ ସେମାନଙ୍କ ସ୍ବାମୀ (ଦୁଇ ଭାଇ) ଜିଲୁ ରହେମାନ ଖାନ ଓ ନୌସାଦ ରହେମାନ ଖାନଙ୍କ ନାଁରେ ସେ ଅଭିଯୋଗ କରିଥିଲେ। ସେମାନଙ୍କର ଅନ୍ୟ ଜଣେ ଭାଇ ହେଲେ ଅଞ୍ଜୁମଙ୍କ ସ୍ବାମୀ ତଥା ସ୍ବର୍ଗତ ଇନ୍‌ତାଜ ରହେମାନ ଖାନ। ଅଳକୁଣ୍ଡ ମୌଜା ଖାତା ନମ୍ବର ୪୬୨ ପ୍ଲଟ ନମ୍ବର ୩୦୭ରେ ଇନ୍‌ତାଜଙ୍କ ଘର ରହିଛି। ଉପରୋକ୍ତ ପ୍ଲଟଟି ସାଜ୍‌ରା ଅଞ୍ଜୁମଙ୍କ ବାପାଙ୍କର ଥିଲା। ସେ ୬ ଡେସିମିଲ ଜାଗା ଅଞ୍ଜୁମ ଓ ତାଙ୍କ ସ୍ବାମୀଙ୍କୁ ଦେଇଥିଲେ। ସେଠାରେ ଇନ୍‌ତାଜ ଗୃହ ନିର୍ମାଣ କରିଥିଲେ। ପରେ ଦାମ୍ପତ୍ୟ ବିବାଦ କାରଣରୁ ସ୍ବାମୀଙ୍କୁ ଛାଡ଼ି ଅଞ୍ଜୁମ ନିଜର ଦୁଇ ପୁଅଝିଅ ସହ ସେହି ଗ୍ରାମରେ ଥିବା ତାଙ୍କ ବାପଘରକୁ ଚାଲିଯାଇଥିଲେ। ୨୦୧୬ରେ ଇନ୍‌ତାଜ ସେହି ଘର ସହ ୪ ଡେସିମିଲ ଜାଗା ତାଙ୍କର ଦୁଇ ଭାଇ ଜିଲୁ ରହେମାନ ଖାନ ଓ ନୌସାଦ ରହେମାନଙ୍କୁ ବିକ୍ରି କରି ଦେଇଥିଲେ। ଏହାପରେ ଅଞ୍ଜୁମ ତାଙ୍କ ସନ୍ତାନଙ୍କ ସହ ସେହି ଘରେ ରହିବାକୁ ଚାହିଁଥିଲେ। ମାତ୍ର ସେମାନେ ତାଙ୍କୁ ଘରେ ପୂରାଇ ନଥିଲେ। ଏନେଇ ଅଞ୍ଜୁମ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।

ଏହି ସ୍ଥାବର ସମ୍ପତ୍ତି ପାଇଁ ଅଞ୍ଜୁମ ସିଏସ୍‌ ନମ୍ବର ୨୩/୨୦୧୭ରେ ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ)ଙ୍କ କୋର୍ଟରେ ଆବେଦନ କରିଥିଲେ। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ଦ୍ବାରା ତାଙ୍କୁ ସେଠାରୁ ବଳପୂର୍ବକ ଉଚ୍ଛେଦ କରାଯାଇଥିବା ନେଇ ସେ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୭ ନଭେମ୍ବର ୭ରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଂଝାରପୁର ତତ୍କାଳୀନ ତହସିଲଦାର ଓ ବିଂଝାରପୁର ଥାନା ଆଇଆଇସି ପୁଲିସ ଫୋର୍ସ ନେଇ ବିବାଦୀୟ ଘର ମୁଖ୍ୟ କବାଟ ଭାଙ୍ଗିବା ସହ ତାଙ୍କ ପରିବାରକୁ ସେଠାରୁ ଉଚ୍ଛେଦ କରିଥିଲେ। ମାମଲା କୋର୍ଟରେ ବିଚାରାଧୀନ ଥିବା ସମୟରେ ଏଭଳି ବେଆଇନ ଉଚ୍ଛେଦ କରାଯାଇଥିଲା ବୋଲି ସେ ଦର୍ଶାଇଥିଲେ।

ଉଲ୍ଲେଖଯୋଗ୍ୟ, ସାଜ୍‌ରା ଅଞ୍ଜୁମ ୨୦୦୩ ଡିସେମ୍ବର ୧୨ରେ ଇନ୍‌ତାଜ ରହେମାନ ଖାନଙ୍କୁ ବିବାହ କରିଥିଲେ। ୨୦୧୫ ରେ ଦାମ୍ପତ୍ୟ ବିବାଦ ଆରମ୍ଭ ହୋଇଥିଲା ଏବଂ ସେହି ବର୍ଷ ହିଁ ସ୍ବାମୀଙ୍କୁ ଛାଡ଼ି ଅଞ୍ଜୁମ ବାପଘରକୁ ଚାଲିଯାଇଥିଲେ। ୨୦୧୬ ଡିସେମ୍ବର ୩୦ରେ କିଡନି ରୋଗରେ ସ୍ବାମୀ ଇନ୍‌ତାଜଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଚିକିତ୍ସା ବାବଦରେ ଅର୍ଥ ଅଭାବରୁ ସେ ଘର ସହ ଜାଗାକୁ ତାଙ୍କର ଦୁଇ ଭାଇଙ୍କୁ ବିକ୍ରି କରି ଦେଇଥିଲେ। ଅନ୍ୟପଟେ ଗତ ଜାନୁଆରି ମାସରେ ଅଞ୍ଜୁମ ଅନ୍ୟଜଣେ ଯୁବକଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପୁଅଝିଅ ଅଜାଘରେ ଅଛନ୍ତି। ସେମାନଙ୍କୁ ନ୍ୟାୟ ଦେବାକୁ ସେ ଲଢ଼େଇ କରୁଥିବା ଅଞ୍ଜୁମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର