ଗୃହରେ ବ୍ୟୟ ମଞ୍ଜୁରି ବିଲ୍ ଆଲୋଚନା
ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଆନ୍ତରିକତା ନାହିଁ: କଂଗ୍ରେସ
ପୁଲିସ ବିଭାଗରେ ୧୨ ହଜାର ପଦବି ଖାଲି
ଆଲୋଚନାରେ ଭାଗ ନେଲାନି ବିଜେପି
କେସିସି ବ୍ୟାଙ୍କରେ ୧୦୦ କୋଟି ଦୁର୍ନୀତି
ଯୋଜନା ପାଇଁ ବଜେଟ୍ ଅର୍ଥ ମିଳୁନି
ଭୁବନେଶ୍ବର : ରାଜ୍ୟର ଆୟ ବୃଦ୍ଧି ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ପୁଲିସ ବିଭାଗରେ ହଜାର ହଜାର ପଦବି ଖାଲି ପଡ଼ିଛି। ସାଧାରଣ ପ୍ରଶାସନ ବିଭାଗର ଇଚ୍ଛାଧୀନ କୋଟାରୁ ହୋଟେଲ ଶିଳ୍ପ ପାଇଁ ବିଜେଡି ନେତା ଜମି ହାତେଇଛନ୍ତି। କିନ୍ତୁ ଅବ୍ୟବହୃତ ହୋଇ ବର୍ଷ ବର୍ଷ ଧରି ଜମି ପଡ଼ିରହିଲେ ବି ସମ୍ପୃକ୍ତ ଜମି ଆଉ ସରକାରୀ ଖାତାକୁ ଫେରୁନାହିଁ। ଆଜି ଗୃହରେ ବ୍ୟୟ ମଞ୍ଜୁରି ବିଲ୍ ଆଲୋଚନା ବେଳେ ଏପରି ଅଭିଯୋଗ କରି ସରକାରଙ୍କୁ ଘେରିଛି କଂଗ୍ରେସ। ଏହାସହିତ କୋରାପୁଟ ସମବାୟ ବ୍ୟାଙ୍କରେ ୧୦୦ କୋଟିର ଦୁର୍ନୀତି, ପଞ୍ଚାୟତରେ ପିସି କାରବାର, ଖରିଆରରେ ଜଣେ ପୂର୍ବତନ ଡିଏଫଓ ୧୦୦ କୋଟି ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ହୋଇଛି। ପରୀ ହତ୍ୟାକାଣ୍ଡ ଘଟଣାରେ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ବିଜେପି ସଦସ୍ୟମାନେ ଗୃହରେ ନାରାବାଜି କରିବା ସହ ବ୍ୟୟ ମଞ୍ଜୁରି ଆଲୋଚନାରେ ଭାଗ ନେଇ ନଥିଲେ।
ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଏ ରାଜ୍ୟର ଆୟ ବୃଦ୍ଧି କରିବା ପାଇଁ ଅତୀତରେ ସଞ୍ଜୀବ ହୋତା କମିସନ ସବୁ ଖଣିର ଲିଜ୍ ସରକାରୀ ସଂସ୍ଥା ଅଧୀନରେ ରଖିବାକୁ ସୁପାରିସ କରିଥିଲେ। ମିନେରାଲ୍ ବିୟରିଂ ଏରିଆ କର ଆଇନ ପ୍ରଣୟନ କରିବାକୁ ବହୁବାର ଗୃହରେ ଦାବି କରାଯାଉଥିଲେ ବି ଏ ସରକାର ଶୁଣୁନାହାନ୍ତି। ଯଦି ଏପରି ଆଇନ ଆସନ୍ତା ତାହେଲେ ସରକାର ବାର୍ଷିକ ୪୦ ହଜାର କୋଟି ରାଜସ୍ବ ପାଆନ୍ତେ। ଏହି କଥା ପ୍ରତି ଅଧିବେଶନରେ ଦାବି କରାଯାଉଛି। ଗତ ବର୍ଷ ଅର୍ଥମନ୍ତ୍ରୀ ଏ ନେଇ ପଦକ୍ଷେପ ନେବେ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଗଲାନି। ଶ୍ରୀ ମିଶ୍ର ପ୍ରସ୍ତାବ ଦେଇ କହିଥିଲେ, ସରକାର ସୁପ୍ରିମକୋର୍ଟରେ ଥିବା ମାମଲାକୁ ପ୍ରତ୍ୟାହାର କରି ଆଣନ୍ତୁ। ପଶ୍ଚିମବଙ୍ଗ ସରକାରଙ୍କ ଆଇନ ପରି ଗୋଟିଏ ବିଲ୍ ଆଣନ୍ତୁ କିମ୍ବା ନିଜେ ଆଉ ଗୋଟିଏ ବିଲ୍ ଆଣନ୍ତୁ। କିନ୍ତୁ ଦୁର୍ଭାଗ୍ୟ ଏ ସରକାର ଗଭୀର କୋମାରେ ଅଛନ୍ତି। ୯ଟି ଖଣି ଲିଜ୍ଧାରୀ ୩,୬୦୦ କୋଟିର ଦୁର୍ନୀତି କରିଛନ୍ତି। ଏହି ଘଟଣାରେ ଲୋକାୟୁକ୍ତ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବିଜେଡିର ଉପସଭାପତି ଥିବା ଜଣେ ନେତା ଭୁବନେଶ୍ବରରେ ହୋଟେଲ ଶିଳ୍ପ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗର ଜମି ନେଇ ପକାଇ ରଖିଛନ୍ତି। କିନ୍ତୁ ସରକାର ତାକୁ ଫେରେଇ ଆଣୁନାହାନ୍ତି। ୨୦୧୪ରୁ ଏହି ଗୃହରେ ଏହି ପ୍ରସଙ୍ଗକୁ ଲଗାତାର ଉଠାଉଥିଲେ ବି ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜିଛନ୍ତି।
କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରି ଶ୍ରୀ ମିଶ୍ର କହିଥିଲେ, ଖଣି ଦୁର୍ନୀତିରେ ଶାହା କମିସନ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି। ଅଥଚ ଏ ଗୃହରେ ସିବିଆଇ ତଦନ୍ତ ନେଇ ଦାବି ଜୋର ହେଉଛି। ଏହି ଅବସରରେ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କରେ ଅବତାରଣା କରିଥିଲେ।
ଗୃହ ବିଭାଗ ସମ୍ପର୍କରେ ଆଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ, ଗତ ୨୩ ତାରିଖରେ ଲିଖିତ ପ୍ରଶ୍ନର ଉତ୍ତରରେ ନିଜେ ଗୃହ ବିଭାଗ ମନ୍ତ୍ରୀ ଉତ୍ତର ରଖିଛନ୍ତି, ପୁଲିସ ବିଭାଗରେ ଗ୍ରୁପ୍ ଏ, ବି, ସି ଓ ଡି ବର୍ଗରେ ୧୧ ହଜାର ୬୯୮ ପଦବି ଖାଲି ପଡ଼ିଛି। ସେହିପରି ଗୁଇନ୍ଦା ବିଭାଗରେ ୪୪୩ ପଦବି ଖାଲି ପଡ଼ିଛି। ପୁଲିସ ବିଭାଗରେ ନିଯୁକ୍ତି ନାହିଁ। ଏ ବିଭାଗ ଚାଲିବ କେମିତି ଓ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ କିପରି। ନୂଆ ଥାନ ଖୋଲୁ ନାହିଁ। ପୁଲିସ ବିଭାଗରେ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଥିଲେ ବି ସେହି ବିଭାଗରେ କିଛି ସଚ୍ଚୋଟ ଅଧିକାରୀ ବି ଅଛନ୍ତି। ଉଚ୍ଚପଦସ୍ଥ ଅଧିକାରୀ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ତେଣୁ ଏପରି ସରକାର ହାତରେ ଟ୍ରେଜେରି ଚାବି କାଠି ଦେବା ଉଚିତ୍ ନୁହେଁ ବୋଲି ଗୃହରେ ଶ୍ରୀ ମିଶ୍ର କହିଥିଲେ।
ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, କୋଭିଡ ମୁକାବିଲା, ଫନି ପରବର୍ତ୍ତୀ ଭିତ୍ତିଭୂମି ନିର୍ମାଣ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି କରୋନା ମହାମାରୀ ପୂର୍ବରୁ ୩ଟି ସରକାର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲା। କିନ୍ତୁ କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ତ୍ବରିତ୍ ବେଗରେ ଏହି ମେଡିକାଲ୍ ସଂଖ୍ୟାକୁ ୭କୁ ବୃଦ୍ଧି କରିଛନ୍ତି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ରାଜ୍ୟ ସରକାର ଜିଲ୍ଲା ସ୍ତରରେ ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ବାବଦରେ ଯେତିକ ଅର୍ଥ ବଜେଟ୍ରେ ଦେଉଛନ୍ତି ସେସବୁ ଅର୍ଥ ମିଳୁନାହିଁ। ଫଳରେ ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ବଲାଙ୍ଗୀରରେ ଜିଜିଓ୍ବାଇ ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯେତିକି ବ୍ୟୟବରାଦ ହୋଇଥିଲା ସେ ବାବଦରେ ଟଙ୍କାଟିଏ ମିଳିନାହିଁ। ସେହିପରି ବିଜୁ କେବିକେ ଯୋଜନାରେ ବି ଜିଲ୍ଲାକୁ ଟଙ୍କାଟିଏ ଆସିନାହିଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ସ୍ବର୍ଗବାସ ହେବା ୫ ମାସ ବିତିଲାଣି। କିନ୍ତୁ ଏଯାଏ ସେ ପଦବି ପୂରଣ ହୋଇନାହିଁ। ଖରିଆରରେ ଜଣେ ପୂର୍ବତନ ଡିଏଫଓ ବନୀକରଣ ଯୋଜନା ଅର୍ଥ ଆତ୍ମସାତ କରି ପ୍ରାୟ ୧୦୦ କୋଟିର ଦୁର୍ନୀତି କରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଏବେ ବି ପଞ୍ଚାୟତଗୁଡ଼ିକରେ ୨୨% ପିସି କାରବାର ହେଉଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ସବୁ ସରକାରୀ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି। କୋରାପୁଟ ସମବାୟ ବ୍ୟାଙ୍କରେ ୧୦୦ କୋଟିର ଦୁର୍ନୀତି ସାମନାକୁ ଆସିଥିଲେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସ୍ବାଧୀନତା ପୂର୍ବରୁ ଏ ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ଗୋଟିଏ ବିକ୍ରମ ଦେବା କଲେଜ୍କୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି ସରକାର କର୍ଣ୍ଣପାତ କରୁନାହନ୍ତି। ଗୃହରେ ବ୍ୟୟ ମଞ୍ଜୁରି ବିଲ୍ ଉପରେ ଆଲୋଚନା ଚାଲିଥିବାବେଳେ ବିଜେପି ସଦସ୍ୟାମାନେ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି ନେଇ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ଜାରି ରଖିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଗ ନେଇଥିଲେ।