ବ୍ୟୟ ମଞ୍ଜୁରି ବିଲ୍ ପାରିତ, ରାଜ୍ୟ ଅର୍ଥନୀତି ସଫଳତା ଗାଇଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର : ୨୦୦୫-୦୬ ମସିହାରୁ ରାଜସ୍ବ ବଳକା ସ୍ଥିତି ବଜାୟ ରହିଛି। ଋଣ ଭାର ରାଜ୍ୟର ସକଳ ଘରୋଇ ଉତ୍ପାଦର ଅନୁପାତ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ମହାଲେଖାକାର ୨୦୧୯-୨୦ ପାଇଁ ଯେଉଁ ତଥ୍ୟ ଦେଇଛନ୍ତି, ଏହି ହାର ୧୭.୮% ରହିଛି। ସେହିପରି ସୁଧ ଦେୟ ଓ ରାଜସ୍ବ ଆଦାୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ଦରକାର। ଏହା ୫.୯୭% ମଧ୍ୟରେ ରହିଛି।

ରାଜ୍ୟ ଅର୍ଥନୀତି ସଂପର୍କରେ ଏଭଳି ସକାରାତ୍ମକ ଚିତ୍ର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଦାବି କରିଛନ୍ତି ଯେ ୨୦୨୧-୨୨ରେ ରାଜସ୍ବ ଆୟ ୧ଲକ୍ଷ ୨୫ ହଜାର ୬୦୦ କୋଟି ଏବଂ ରାଜସ୍ବ ବଳକା ପରିମାଣ ୬୦୩୨ କୋଟି ହେବ। ଯଦିଓ ବିତ୍ତୀୟ ନିଅଣ୍ଟ ପରିମାଣ ୨୦ ହଜାର ୪୬୫ କୋଟି ଆକଳନ ହୋଇଛି, ଏହା କିନ୍ତୁ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୩.୪୯%; ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅନ୍ତର୍ଗତ ବିତ୍ତୀୟ ନିଅଣ୍ଟ ପାଇଁ ଧାର୍ଯ୍ୟ ସୀମା ମଧ୍ୟରେ ରହିଛି। ଅର୍ଥମନ୍ତ୍ରୀ ବିଧାନସଭାକୁ ଆହୁରି ଆଶ୍ବାସନା ଦେଇଛନ୍ତି, ବଜେଟ୍‌ ଅର୍ଥରେ କରୋନାର ସଠିକ୍ ମୁକାବିଲା ହୋଇପାରିବ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ବି। ଅର୍ଥମନ୍ତ୍ରୀ କହିଥିଲେ, ରାଜ୍ୟର ଆର୍ଥିକ ପରିଚାଳନାକୁ ପଞ୍ଚଦଶ ଅର୍ଥ କମିସନ ଭୂୟଶୀ ପ୍ରଶଂସା କରିଛନ୍ତି। ଏହାଛଡ଼ା ରିଜର୍ଭ ବ୍ୟାଙ୍କ ବି ଓଡ଼ିଶାର ବିତ୍ତୀୟ ବିପତ୍ତି ପରିଚାଳନାକୁ ସର୍ବୋତ୍ତମ ବୋଲି ବର୍ଣ୍ଣନା କରିଛନ୍ତି।

ମନ୍ତ୍ରୀଙ୍କ ଏଭଳି ଉତ୍ତର ପରିପ୍ରେକ୍ଷୀରେ ୨୦୨୧-୨୨ ବର୍ଷ ଲାଗି ୧ଲକ୍ଷ ୭୫ହଜାର ୮୯୦ କୋଟି ୨୩ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟ ଲାଗି ବିଧାନସଭା ସରକାରଙ୍କୁ ଅନୁମତି ଦେଇଛି। ଅର୍ଥାତ୍ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ େହାଇଛି।

ଅର୍ଥମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଏଥର ବଜେଟ୍‌ରେ ମହାମାରୀ ମୁକାବିଲା ସହିତ ଉତ୍ତମ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା, ଜୀବନ ଓ ଜୀବିକାର ବ୍ୟବସ୍ଥା, ଜନସାଧାରଣଙ୍କୁ ସେବା ଯୋଗାଇ ଦେବାର ମାନ ବଜାୟ ରଖିବା, ଭିତ୍ତିଭୂମି ବିକାଶ ଏବଂ ପୁଞ୍ଜିନିବେଶ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଅନେକ ସଂସ୍କାରମୂଳକ ପଦକ୍ଷେପ ବି ସରକାର ନେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ଏଥର ବଜେଟ୍ ୨୬ ପ୍ରତିଶତ ଅଧିକ। ସ୍ବାସ୍ଥ୍ୟ କ୍ଷେତ୍ରରେ ସମୁଦାୟ ୧୩ ହଜାର କୋଟି ଖର୍ଚ୍ଚହେବ।ଏମ୍‌ସ ପ୍ଲସ ପାଇଁ ଏବର୍ଷ ୫୦୦ କୋଟି ଖର୍ଚ୍ଚ ବରାଦ ହୋଇଛି। କୃଷି ବଜେଟ୍ ୧୭ ହଜାର ୪୬୮ କୋଟି ଛୁଇଁଛି। ୨୦୧୩-୧୪ରେ ଏହା ୭୧୬୨ କୋଟି ଥିଲା।ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି ନିବେଶ ହେବ। ସୁନିଶ୍ଚିତ କାମ ଲାଗି ୪୦୯୨ କୋଟି ବ୍ୟବସ୍ଥା ହୋଇଛି। ୫ଲକ୍ଷ ପକ୍କା ଘର ଲାଗି ୩୦୦୦ େକାଟି ବ୍ୟୟ ବରାଦ ହୋଇଛି। ଓଡ଼ିଶା ସହରାଞ୍ଚଳ ବାସଗୃହ ମିସନ ଲାଗି ୩୦୦କୋଟି ରଖାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ମଜୁରୀ ବାବଦରେ ୫୦୦ କୋଟିର କର୍ପସ ଫଣ୍ଡ ପ୍ରସ୍ତାବ ରହିଛି। ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୪ ହଜାର ୩୭୦ କୋଟିର ପ୍ରସ୍ତାବ ରହିଛି। ପୁରୀର ବିକାଶ ପାଇଁ ୫୪୨ କୋଟି, ଲିଙ୍ଗରାଜ ମନ୍ଦିର ଓ ସମଲେଇ ଯୋଜନା ପାଇଁ ୨୦୦କୋଟି ଲେଖାଁଏ ଖର୍ଚ୍ଚ ଲାଗି ବଜେଟ୍‌ରେ ବରାଦ ହୋଇଛି।

ସମ୍ବନ୍ଧିତ ଖବର