ଶେଷ ହେଲା ବଜେଟ୍‌ ଅଧିବେଶନ, ବ୍ୟୟମଞ୍ଜୁରି ବିଲ୍‌ ପାରିତ

ପୁରୁଣା ଟାଇଲ୍‌ ପକାଇ ରଙ୍ଗ ମାରି ସ୍ମାର୍ଟ ସ୍କୁଲ୍‌ ହେଉଛି: ମୋହନ
ଦାରିଦ୍ର୍ୟ ଦୂରୀକରଣ ପାଇଁ ଶିକ୍ଷାକୁ ପ୍ରାଥମିକତା ମିଳୁ: ନରସିଂହ
ରାଜ୍ୟର ଆର୍ଥିକ ପରିଚାଳନାକୁ ବିଜେଡି ସଭ୍ୟଙ୍କୁ ପ୍ରଶଂସା

ଭୁବନଶ୍ବେର : ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ଲେଖାନୁଦାନକୁ ବିଧାନସଭା ଗୁରୁବାର ଦିନ ଅନୁମୋଦନ ଦେଇଛି। ଗୃହରେ ଏ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଛି। ଏହା ସହ ୬ ଦିନ ଅବଧିର ବଜେଟ୍‌ ଅଧିବେଶନ ମଧ୍ୟ ଶେଷ ହୋଇଛି।

ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଲେ ଯେ ରାଜ୍ୟ ବଜେଟରେ ନୂଆ ଯୋଜନା ଉଲ୍ଲେଖ ନାହିଁ। କେନ୍ଦ୍ର ବଜେଟ୍‌ ଆସିଲା ପରେ ସେଥିରୁ କିଛି କପି ପେଷ୍ଟ କରି ରାଜ୍ୟ ବଜେଟ ପ୍ରସ୍ତୁତ କରାଯାଇଛି। କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ଚାଷୀଙ୍କୁ ମାଗଣା ବିଜୁଳି ମିଳୁନି। ଶୀତଳ ଭଣ୍ଡାର ନାହିଁ। ୩୫% ଜଳସେଚନ ପ୍ରତିଶ୍ରୁତି ପୂରଣ ହୋଇପାରିଲାନି। ରାଜ୍ୟରେ ଶିକ୍ଷକ ନ ଥାଇ ସ୍ମାର୍ଟ ସ୍କୁଲ୍‌ କରାଯାଉଛି। ପୁରୁଣା ଟାଇଲ୍‌ ପକାଇ ରଙ୍ଗ ମାରି ସ୍ମାର୍ଟ ସ୍କୁଲ୍‌ ବୋଲି ପ୍ରଚାର କରାଯାଉଛି। ଅଘୋଷିତ ବିଜୁଳି କାଟ ବଢ଼ିବାରେ ଲାଗିଛି। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ ଯେ କିଛି ଲୋକଙ୍କ ରୋଜଗାର ବଢ଼ିଛି। କିନ୍ତୁ ସରକାର ତାହାକୁ ହିସାବକୁ ନେଇ ଲୋକଙ୍କ ମୁଣ୍ଡପିଛା ଆୟଛ ବଢ଼ିଛି ବୋଲି ମିଛ ହିସାବ ଦେଉଛନ୍ତି। । ଗଣେଶରାମ ଖୁଣ୍ଟିଆ ଆଲୋଚନାରେ ଭାଗ ନେଇ ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରିଥିଲେ। ନିତ୍ୟାନନ୍ଦ ଗଣ୍ଡ ଆଦିବାସୀଙ୍କ ବିକାଶ ପାଇଁ କିଛି ହେଉ ନ ଥିବା ଅଭିଯୋଗ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଜଣେ ବି ଲୋକ ଭୋକିଲା ରହିଲେ ଆମେ ସ୍ବରାଜ ହାସଲ କରିନୁ ବୋଲି ଧରିବାକୁ ହେବ। ବର୍ତ୍ତମାନର ବିକାଶକୁ ସମନ୍ବିତ ବିକାଶ କୁହାଯାଇପାରିବ ନାହିଁ। ଧନୀ ଦିନକୁ ଦିନ ଅଧିକ ଧନୀ ହେଉଥିଲା ବେଳେ ଗରିବ ଅଧିକ ଗରିବ ହେଉଛି। ଏହା ହିଁ କେନ୍ଦ୍ର ଓ ରାଜ୍ୟର ଅର୍ଥନୈତିକ ଚିତ୍ର। ମୁଷ୍ଟି‌ମେୟ ଲୋକଙ୍କ ଆୟ ବଢ଼ିଲେ ମୁଣ୍ଡପିଛା ଆୟ ବଢ଼ୁଛି ବୋଲି କୁହାଯାଇପାରିବ ନାହିଁ। ଏ ବଜେଟ୍‌ର ଲକ୍ଷ୍ୟ ବୁଝି ହେଉ ନାହିଁ। ରାଜ୍ୟରୁ ଦାରିଦ୍ର୍ୟ ଦୂର କରିବାର ଆବଶ୍ୟକତା ରହିଛି। କିନ୍ତୁ ସରକାର କେବଳ ନିର୍ବାଚନ ଜିତିବା ଏକମାତ୍ର ଲକ୍ଷ୍ୟ ରଖିଛନ୍ତି। ଗରିବଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପଦକ୍ଷେପ ନିଆଯାଉନି। ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଦିଆଯାଉ। ଏଥିରେ ମନା ନାହିଁ। କିନ୍ତୁ ଏହି ସାମୟିକ ପଦକ୍ଷେପ ଦ୍ବାରା ସେମାନଙ୍କ ସମସ୍ୟା ସମାଧାନ ହେବନି। ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ନମ୍ବର ପ୍ରାଥମିକତା ହେଉଛି ଶିକ୍ଷା। ଏହା ଆମର ମୌଳିକ ଅଧିକାର। ଉଚ୍ଚମାନର ଶିକ୍ଷକ ନିଯୁକ୍ତି କଲେ ଉଚ୍ଚମାନର ଶିକ୍ଷା ପ୍ରଦାନ ହେବ। କିନ୍ତୁ ସରକାର ତାହା କରୁନାହାହାନ୍ତି। ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବି ସମେତ ଡାକ୍ତର, ପାରା ମେଡିକାଲ, ପୁଲିସ ଆଦି‌ରେ ଥିବା ଖାଲି ପଦବି ତୁରନ୍ତ ପୂରଣ କରାଯାଉ। ବାର୍ଦ୍ଧକ୍ୟ ଭତ୍ତାକୁ ସର୍ବନିମ୍ନ ଏକ ହଜାର ଟଙ୍କା କରାଯାଉ। ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧୫୦୦ ଟଙ୍କା ଦିଆଯାଉ। ଏହା ସହ ଚାଷୀଙ୍କ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ୫-ଟି ନିର୍ଦ୍ଦେଶ ନ ହେଲେ କିଛି କରିହେବନି। ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ସିଧାସଳଖ ଲୋକଙ୍କୁ ଟଙ୍କା ଦେଉଛନ୍ତି। ବଦଳରେ ଶାସକ ଦଳକୁ ଭୋଟ୍‌ ମିଳିଯାଉଛି। ୫-ଟି ମାଧ୍ୟମରେ ବ୍ୟୁରୋକ୍ରାଟ ଏବେ ସରକାରଙ୍କ ପକେଟ୍‌ରେ। ମନ୍ତ୍ରୀମାନେ କିଛି କହିପାରିବେନି। କହିଲେ ଦଳରୁ ବିଦା। ଆମ ରାଜ୍ୟରେ ଏତେ ସମ୍ପତ୍ତି ଥାଇ କାହିଁକି ଉଠିପାରୁନୁ, ତାହା ଚିନ୍ତା କରିବାର ସମୟ ଆସିଛି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ରାଜ୍ୟରେ ନିଯୁକ୍ତି ସୁଯୋଗ ନାହିଁ। ସେଥି ପାଇଁ ଯୁବ ପିଢ଼ି ହତାଶ ହେଉଛନ୍ତି। ଏବେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ ବାଧ୍ୟ କରାଯାଉଥିବାରୁ ସେ ପ୍ରତିବାଦ କରିଥିଲେ।
ଶାସକ ଦଳ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ବିଧାୟକ ଦେବୀ ମିଶ୍ର କହିଲେ, ଅର୍ଥନୈତିକ ଶୃଙ୍ଖଳା ଓ ଠିକ ପରିଚାଳନା ଯୋଗୁ ରାଜ୍ୟରେ ଦାରିଦ୍ର୍ୟ କମିଛି।

ଭିତ୍ତିଭୂମି, କୃଷି, ଜଳସେଚନର ଆଖିଦୃଶିଆ ଉନ୍ନତି ହୋଇଛି। ଶିଳ୍ପ କ୍ଷେତ୍ରରେ ବିକାଶ ଯୋଗୁ ଓଡ଼ିଶା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି। ଶଶିଭୂଷଣ ‌ବେହେରା କହିଥିଲେ, କେନ୍ଦ୍ରର ସହଯୋଗ ନ ମିଳିବା ସତ୍ତ୍ବେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହୋଇଛି। ଜନସାଧାରଣଙ୍କ ଭିତରେ ସରକାରଙ୍କ ପ୍ରତି ବିଶ୍ବସନୀୟତା ସୃଷ୍ଟି ହୋଇଛି। ପ୍ରତାପ ଦେବ କହିଲେ, ବଜେଟରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଇଛି। ଯଦି ସରକାର କାମ ନ କରୁଥା’ନ୍ତେ, ତେବେ ୫ ଥର କେମିତି ଜିତିଥା’ନ୍ତେ? ପ୍ରୀତିରଞ୍ଜନ ଘଡ଼େଇ ଓ ରାଜକିଶୋର ଦାସ ମଧ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର