ଘୁ ଉଦୟଗିରି: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରୋତ୍ସାହନ ରାଶି ଯୋଗେଇ ଦେଉଛନ୍ତି ।କ୍ରୀଡାବିତଙ୍କୁ ଦେଶ ପାଇଁ ଖେଳିବାକୁ ଦେଶର ଟେକ ରଖିବାକୁ ବହୁବିଧ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ସ୍ଥାନୀୟ ସହରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ଦୂରେ ଥାଉ ଖେଳିବା ନିମନ୍ତେ ଖେଳପଡ଼ିଆ ଟିଏ ନାହିଁ। ଦୀର୍ଘ ୧୫ବର୍ଷ ହେଲା ସ୍ଥାନୀୟ ସହରର ୪ନଂ ୱାର୍ଡ ଅନ୍ତର୍ଗତ କଳିଙ୍ଗ ମହାବିଦ୍ୟାଳୟ ସମ୍ମୁଖରେ ଏକ ଷ୍ଟାଡିୟମ ନିର୍ମାଣ ଚାଲିଛି। ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି। ହେଲେ ଆଜି ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ଟି ଖେଳାଳିମାନଙ୍କ ନିମନ୍ତ୍ର ଖେଳ ଉପଯୋଗୀ ହୋଇପାରିନି। ଯୋଜନା ବିହୀନ ଖର୍ଚ୍ଚ ଚାଲିଛି। ଏହି ଷ୍ଟାଡିୟମକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ପ୍ରଶାସନର ଅପାରଗତା। ଅପାରଗତା ଯୋଗୁ ଯୋଜନା ବିହୀନ କାର୍ଯ୍ୟ ଯୋଗୁଁ ଖେଳାଳିଙ୍କ କାର୍ଯ୍ୟରେ ଲାଗିପାରୁନି ଷ୍ଟାଡିୟମ।
ଗତ ଦୁଇମାସ ତଳେ ୫ଟି ସଚିବ ଘୁ.ଉଦୟଗିରି ଗସ୍ତ ସମୟରେ ଏହି ଷ୍ଟାଡିୟମରେ ହେଲିକ୍ୟାପ୍ଟରରେ ଆସି ଓଲ୍ହେଇ ଥିଲେ। ସ୍ଥାନୀୟ ସହରବାସୀ ସଚିବଙ୍କୁ ଦାବି କରିଥିଲେ ଏହି ଷ୍ଟାଡିୟମର ବିକାଶ କରିବା ସହ ଖେଳଉପଯୋଗୀ କରିବା ନିମନ୍ତେ ଲିଖିତ ଭାବେ ଜଣେଇଥିଲେ। ସହରବାସୀ ଏବଂ ସମସ୍ତ କ୍ରୀଡ଼ାବିତ ଆଶା ରଖିଥିଲେ ଏହାର ବିକାଶ ନିଶ୍ଚିତ ହେବ ହେଲେ ୫ଟି ଗସ୍ତ ଶେଷ କରି ଫେରିଲେ ହେଲେ ଯେଉଁ ଷ୍ଟାଡିୟମରେ ଓଲ୍ହେଇ ଥିଲେ ତାର ବିକାଶ କଥା ଭୁଲିଗଲେ। ପ୍ରଥମେ ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ପ୍ରସ୍ତୁତ କରି ଚୂଡାନ୍ତ କରି କାର୍ଯ୍ୟ ଆରମ୍ଭ କରିବା ବଦଳରେ ସାହୁ କହିଛି ପାଚିଲା ଧାନରେ ମହି ଦେଇଛି ନ୍ୟାୟରେ ଚାଲିଛି କାର୍ଯ୍ୟ। ପ୍ରଥମେ ଖେଳିବା ନିମନ୍ତେ ସମ୍ପୂର୍ଣ ପଡିଆ ପ୍ରସ୍ତୁତ କରିବା କାର୍ଯ୍ୟ କରିବା ବଦଳରେ ପଡିଆ ଚାରିପଟେ ଖଣ୍ଡିଆ ପାଚେରୀ ଗ୍ୟାଲେରି ପାହାଚ ନିର୍ମାଣ କରାଯାଇଛି, ଯେଉଁ ଗାଲେରିରେ ସନ୍ଧ୍ୟା ହେଲେ ମଦୁଆଙ୍କ ଆସର ଜମେ। ଗ୍ୟାଲେରି ପାଖରେ କୁଢ଼ କୁଢ଼ ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଅଳିଆ ଆବର୍ଜନା ପଡିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଦେଖିଲେ ଅନୁଭବ ହୁଏ ଏହା ଏକ ମୁକ୍ତାକାଶ ବାର। ଖେଳିବା ଅପେକ୍ଷା ଏହି ସ୍ଥାନରେ ବସି ମଦ ପିଇ ତାର ଆନନ୍ଦ ଉଠେଇବା ସ୍ଥାନୀୟ କିଛି ଯୁବକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପଡ଼ିଆରେ ବର୍ତ୍ତମାନ ସୁଦ୍ଧା ବଡ଼ ବଡ଼ ପଥର ପଡ଼ିଛି। ପଡ଼ିଆରୁ ଗୁଡ଼ି ପଥର ସଫା ହୋଇନି। କିନ୍ତୁ କିଛି ଜଣଙ୍କ ଫାଇଦା ପାଇଁ ଅନାବଶ୍ୟକ କାର୍ଯ୍ୟ କରାଯାଇ ଅର୍ଥ ଶ୍ରାଦ୍ଧ କରାଯାଇଥିବା ଜଳ ଜଳ ଦେଖା ଯାଉଛି।
ପ୍ରାପ୍ତ ସୂଚନାନୁସାରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଖେଳ ଉପଯୋଗୀ ଖେଳ ପଡିଆ ନଥିବା ଅନୁଭବ କରି ଏକ ଷ୍ଟାଡିୟମ ଘୁ.ଉଦୟଗିରି ସହରରେ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ଦାୟିତ୍ୱ ଦେବା ସହ ସ୍ଥାନୀୟ ବ୍ଲକକୁ ଦଶଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ସ୍ଥାନୀୟ ସହରର କଲେଜ ସମ୍ମୁଖରେ ଜମି ଚିହ୍ନଟ ହୋଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହେଲା।ଉକ୍ତ ଜମିରେ ପଥର ଗଛ କାଢ଼ିବା ସହ ଜମି ସମତୁଲ କରିବା କାର୍ଯ୍ୟ ଚାଲୁରହିଥିଲା ହେଲେ କିଛି ଦିନ ପରେ ଏହି କାର୍ଯ୍ୟ ବନ୍ଦ ହୋଇଗଲା ବ୍ଲକକୁ ଆସିଥିବା ଅନୁଦାନରୁ କିଛି ଖର୍ଚ୍ଚ ହୋଇ ଆଉ ବାକି ତକ ସେମିତି ପଡ଼ିରହିଲା। ଏହାର କିଛି ବର୍ଷ ପରେ କେଦ୍ର ସରକାରଙ୍କ ବିଆରଜିଏଫ ଯୋଜନାରେ ପୁଣି ପନ୍ଦର ଲକ୍ଷ ଟଙ୍କା ଅନୁଦାନ ଆସିବା ପରେ ଏନଏସି ପକ୍ଷରୁ ପଡ଼ିଆର ପାଚେରୀ ନିର୍ମାଣ କାମ ଚାଲିଲା ତାପରେ ପୁଣି ଅନୁଦାନ ଆସିଲା ଗ୍ୟାଲେରି ନିର୍ମାଣ ହେଲା ତାପରେ ପୁଣି ଅନୁଦାନ ଆସିଲା ପଡ଼ିଆର କିଛି ଅଂଶ ମାଟି କଟା ହେଲା ଏହି ଭଳି ୪୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଗଲା ତଥାପି ଖେଳ ଉପଯୋଗୀ ହୋଇପାରିନି। ଦିଶା ହୀନ ଦିଗ ହରା ଯୋଜନା ସହ କାର୍ଯ୍ୟ କରୁଥିବା ଏବଂ ଏଥିରେ ସମ୍ପୃକ୍ତ ଥିବା ନ୍ୟର୍ଥ ସ୍ୱାର୍ଥ ଅଧିକାରୀମାନଙ୍କ ଯୋଗୁଁ ଷ୍ଟାଡିୟମର ଆଖିଦୃଶିଆ ଉନ୍ନତି ହୋଇପାରିନି। କେବଳ ସ୍ୱାର୍ଥ ସର୍ବସ୍ୱ ନିଜ ନିଜ ଫାଇଦା ଦେଖି କାର୍ଯ୍ୟ କରୁଥିବା ଲାଭ ମନୋଭାବ ଯୋଗୁଁ ଷ୍ଟାଡିୟମରେ ଲକ୍ଷାଧିକ ଟଙ୍କା ବ୍ୟୟ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖେଳାଳିଙ୍କ କାର୍ଯ୍ୟରେ ଲାଗିନୀ। ପ୍ରଶ୍ନ ଉଠୁଛି କେତେ ବର୍ଷ ଲାଗିଲେ ଏହି ଷ୍ଟାଡିୟମ ଖେଳଉପଯୋଗୀ ହେବ?ଜିଲ୍ଲା ପ୍ରଶାସନ ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ସ୍ଥାନୀୟ କ୍ରୀଡ଼ାବିତ ଏବଂ ଖେଳପ୍ରେମୀ ମାନେ ଦାବି କରିଛନ୍ତି।