ଭୁବନେଶ୍ବର : ରାଜ୍ୟର ଚାଷୀକୂଳଙ୍କ ଉନ୍ନତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ୨୪୮୨୯କୋଟି ଟଙ୍କାର କୃଷି ବଜେଟ୍ ହୋଇଛି। ଯାହା ଚାଷୀକୂଳଙ୍କ ଉନ୍ନତି ପାଇଁ ପ୍ରତିବଦ୍ଧତା। ହେଲେ କେନ୍ଦ୍ର ସରକାର କୃଷି ବଜେଟ୍ରେ ଖର୍ଚ୍ଚ କାଟ କରିଥିବାରୁ ଚାଷୀକୂଳ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ, କେନ୍ଦ୍ରୀୟ କୃଷି ବଜେଟ୍ରେ ଚଳିତ ଆର୍ଥିକ ବର୍ଷର ବଜେଟ୍ର ୩.୩୬% ତୁଳନାରେ ୨୦୨୩-୨୪ ପାଇଁ ବଜେଟର ୨.୭% ପ୍ରାବଧାନ କରାଯାଇଛି। ସେହିପରି ସାର ଯୋଗାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା, ଧାନ କିଣା, ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ, ଏମ୍ଆଇଏସ୍-ପିଏସ୍ଏସ୍, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କୃଷି ଭିତ୍ତିଭୂମି ପାଣ୍ଠି ଇତ୍ୟାଦିରେ ବଡ଼ ଧରଣର ଖର୍ଚ୍ଚ କାଟ କରାଯାଇଛି। ଯାହା ନିଶ୍ଚିତ ଭାବେ ଚାଷୀକୂଳକୁ ପ୍ରଭାବିତ କରିବ।
ଉଦାହରଣ ସ୍ବରୂପ, ସାର ସବ୍ସିଡିରେ ୪୦ହଜାର କୋଟି ଟଙ୍କାର କାଟ କରାଯାଇଛି। ଯାହା ଦେଶରେ ସାର ଯୋଗାଣରେ ବ୍ୟାଘାତ ସୃଷ୍ଟି କରିପାରେ। ଖାଲି ଚାଷ ନୁହେଁ, ମନରେଗାରେ ମଧ୍ୟ ପ୍ରାୟ ୨୯,୪୦୦କୋଟି ଟଙ୍କାର ଖର୍ଚ୍ଚ କାଟ ହୋଇଛି। ଗ୍ରାମୀଣ ବିକାଶରେ ମଧ୍ୟ ଖର୍ଚ୍ଚ କାଟ ହୋଇଛି।
ଚଳିତବର୍ଷ ରାଜ୍ୟ ବଜେଟ୍ରେ ୧୦.୪୭% କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ପ୍ରାବଧାନ କରାଯାଇଛି। ଯାହା ଗତବର୍ଷ ତୁଳନାରେ ୨୦% ଅଧିକ। ରାଜ୍ୟ ସରକାର ବିଶ୍ବାସ କରନ୍ତି ଯେ, ସରକାର ଯେତେ ଅଧିକ ଖର୍ଚ୍ଚ କରିବେ, ଚାଷୀ ସେତେ ଅଧିକ ଲାଭ ପାଇବେ। ତେଣୁ ରାଜ୍ୟ ବଜେଟ୍ ବଢ଼ାଯାଉଛି। ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ଉତ୍ପାଦିତ ହେଉଥିବା ପରିବା ସଂରକ୍ଷଣ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର ଅଛି। କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଯୋଜନା। ଏହାଦ୍ବାରା କୃଷକଙ୍କୁ ସଶକ୍ତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗର ବିଭିନ୍ନ ଯୋଜନା ବିଷୟରେ କହିଥିଲେ।