ଖଣି ଓ ଶିଳ୍ପ ବିଭାଗର ଖର୍ଚ୍ଚଦାବି ପାରିତ: ଖଣିରୁ ରାଜସ୍ୱ ଅଧିକ, ଦୁର୍ନୀତି ବି ଅଧିକ

ଭୁବନେଶ୍ୱର : ରାଜ୍ୟରେ ଖଣିରୁ ଅଧିକ ରାଜସ୍ବ ମିଳୁଛି। ଖଣି କ୍ଷେତ୍ରରେ ହିଁ ସର୍ବାଧିକ ଦୁର୍ନୀତି ହେଉଛି। ଦୁର୍ନୀତିକୁ ରୋକିଲେ ରାଜସ୍ବ ଆହୁରି ବଢ଼ିବ। କିନ୍ତୁ ଅସାଧୁ ଅଧିକାରୀ ଓ ଖଣି ମାଫିଆଙ୍କ ମେଣ୍ଟ ଚାଲିଥିବାରୁ ସରକାର ଦୁର୍ନୀତି ପ୍ରତି ଆଖିବୁଜି ଦେଇଛନ୍ତି। ଶିଳ୍ପ, ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଦଳ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଖଣି ବିଭାଗକୁ କିଛି ଖଣି ମାଫିଆ ନିୟନ୍ତ୍ରଣରେ ରଖିଛନ୍ତି। ବହୁ ବଡ଼ ବଡ଼ ଶିଳ୍ପ ସଂସ୍ଥା ସରକାରଙ୍କ ସହ ଏମ୍ଓୟୁ କଲା ପରେ ବି ଅଧାରୁ ଫେରିଯାଇଛନ୍ତି। ଏହାର କାରଣ ସରକାର କହିପାରୁ ନାହାନ୍ତି। ରାଜ୍ୟରେ ଗଢ଼ିଉଠୁଥିବା ଶିଳ୍ପାନୁଷ୍ଠାନରେ ଓଡ଼ିଶାର କେତେ ପିଲା ନିଯୁକ୍ତି ପାଇଛନ୍ତି, ସେ ନେଇ ସରକାର ଠିକ୍ ତଥ୍ୟ ଦେଇପାରୁ ନାହାନ୍ତି। ଖଣି ଅଞ୍ଚଳରେ ଡିଏମ୍ଏଫ୍ କରାଯାଇଥିଲା। କିନ୍ତୁ ସେଥିରେ ସ୍ଥାନୀୟ ଅଞ୍ଚଳର ବିକାଶ ହେଉନାହିଁ। ନାଉରୀ ନାୟକ କହିଥିଲେ, ୨୨ ବର୍ଷର ଶାସନ ଭିତରେ ଯେତିକି ଶିଳ୍ପାୟନ ହେବା କଥା ହୋଇନାହିଁ। ଜିଲ୍ଲା ସ୍ତରରେ ଆର୍‌ପିଡିଏସି ବୈଠକ ବସୁନି। ବିଜେପି ପକ୍ଷରୁ କୁସୁମ ଟେଟେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

ଖଣି ଦୁର୍ନୀତି ନେଇ ବିରୋଧୀଙ୍କ ଟାର୍ଗେଟ୍
ଚଳିତ ବର୍ଷ ୧୨ ବଡ଼ ଖଣି ନିଲାମ ହେବ: ମନ୍ତ୍ରୀ

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ଖଣି ବିଭାଗରୁ ତଳୁ ଉପର ଯାଏ ସମସ୍ତେ ଦୁର୍ନୀତିରେ ଲିପ୍ତ। ଖଣିରୁ ଅଧିକ ରାଜସ୍ବ ଆଦାୟ ହେଉଛି ସତ। ସେହି ଖଣିରୁ ଅଧିକ ଦୁର୍ନୀତି ବି କରାଯାଉଛି। ତାରାପ୍ରସାଦ ବାହିନୀପତି କହିଲେ, ରାଜ୍ୟ ସରକାର ମନଇଚ୍ଛା ଖଣି ବିକ୍ରି କରିଚାଲିଛନ୍ତି। ଆଉ ୩୦ ବର୍ଷରେ ରାଜ୍ୟରେ ଖଣି ନ ଥିବ। କଳକାରଖାନା ବି ବନ୍ଦ ହୋଇଯିବ।

ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ରାଜ୍ୟରେ ଶିଳ୍ପାୟନ ବଢ଼ିଛି। ଖଣିଜ ସମ୍ପଦର ସୁବିନିଯୋଗ କରାଯାଉଛି। ଖଣି କାରବାରରେ ସରକାର ସ୍ବଚ୍ଛତା ଅବଲମ୍ବନ କରୁଥିବାରୁ ଖଣି ରାଜସ୍ବ ବଢ଼ିଛି। ଯେଉଁମାନେ ଖଣି ଦୁର୍ନୀତି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାର କୋଇଲା ରୟାଲିଟି ବଢ଼ାଉ ନ ଥିବାରୁ ଶାସକ ଦଳ ସଭ୍ୟମାନେ ସମାଲୋଚନା କରିଥିଲେ। ପଦ୍ମନାଭ ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ ଓ ସମ୍ବିତ ରାଉତରାୟ ଆଲୋଚନାରେ ଭାଗ ନେଇଥିଲେ।

ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ୨୦୨୨-୨୩ ରେ ଇସ୍ପାତ ଓ ଖଣି ବିଭାଗ ପାଇଁ ୧୮୨ କୋଟି ୮୨ ଲକ୍ଷ ୪୩ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଏ ପର୍ଯ୍ୟନ୍ତ ୩୭ଟି ଖଣିଜ ବ୍ଲକ୍ ନିଲାମ କରାଯାଇଛି ଓ ତାହା ମଧ୍ୟରୁ ୨୩ଟି କାର୍ଯ୍ୟକ୍ଷମ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୧୨ଟି ବଡ଼ ଖଣିଜ ବ୍ଲକ୍ ଓ ୧୨ଟି ଲଘୁ ଖଣିଜ ବ୍ଲକ୍ ନିଲାମ ହେବାର ଯୋଜନା କରାଯାଇଛି। ଖଣିଜ ପଦାର୍ଥ ବେନିୟମ ଖନନ ଓ ଚୋରା ଚାଲାଣକୁ ରୋକିବା ପାଇଁ ଚଢ଼ାଉ ଜୋର୍‌ଦାର କରାଯାଉଛି। ଓଡ଼ିଶାରେ ମହଜୁଦ୍ ଥିବା ଖଣିଜ ସମ୍ପଦ ୫୦ ବର୍ଷ ମଧ୍ୟରେ ସରିଯିବ ବୋଲି ବିଭିନ୍ନ ମହଲରେ ଆଶଙ୍କା କରାଯାଉଛି। କିନ୍ତୁ ମହଜୁଦ୍ ଥିବା ଖଣିକୁ ବଜାର ଚାହିଦା ମୁତାବକ ଉତ୍ତୋଳନ କରିବା ସହ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷଣକୁ ଆଖିରେ ରଖି ବିଭାଗ ଯୋଜନା ପ୍ରସ୍ତୁତ କରୁଛି।

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ଶିଳ୍ପ ବିଭାଗ ପକ୍ଷରୁ ତିନିଟି ନୂଆ ଯୋଜନା ପାଇଁ ବ୍ୟୟବରାଦ ରଖାଯାଇଛି। ଏଗୁଡ଼ିକ ହେଲା ଧାମରାରେ ମେଗା ଟେକ୍ସଟାଇଲ୍ ପାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା, ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କର ସମ୍ପ୍ରସାରଣ ଏବଂ ଗୋପାଳପୁରରେ ୟୁଟିଲିଟି କରିଡର୍‌ର ବିକାଶ। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣର ଆୟୋଜନକୁ ଦୃଷ୍ଟିରେ ରଖି ନିବେଶ ପ୍ରୋତ୍ସାହନ ଓ ପ୍ରଚାର ଉଦ୍ଦେଶ୍ୟରେ ଇପିକଲ୍‌କୁ ୯୦ କୋଟି ୧୭ ଲକ୍ଷ ଟଙ୍କା ଦିଆଯିବ। କଳିଙ୍ଗ ଷ୍ଟୁଡିଓର ଉନ୍ନତୀକରଣ ନିମନ୍ତେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର