କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ୨୦୨୪, ଜାନୁଆରି ୧୭ ପର୍ଯ୍ୟନ୍ତ ବଢିଛି। ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହା ଅଧାରେ ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୭କୁ ଧାର୍ଯ୍ୟ କରାଯାଇଛି। ଏଥିସହିତ ପୂର୍ବରୁ ଶ୍ରୀ ଜେନାଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ। ଡିସେମ୍ବର ୧୯ ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନଭେମ୍ବର ୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତରେ ପ୍ରୋଟେଷ୍ଟ୍‌ ପିଟିସନ ଦାଖଲ କରିଥିଲେ।

ଅଦାଲତ ଏହି ପିଟିସନର ଶୁଣାଣି କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫୋନ୍ ବାର୍ତ୍ତାଳାପର ରେକର୍ଡ (ସିଡିଆର) ଯାଞ୍ଚ କରିବାକୁ ଅଦାଲତ କହିଥିଲେ। ଏହାପରେ ପୁଲିସ ପୁଣି ତଦନ୍ତ କରିଥିଲା। କିନ୍ତୁ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ଓ ପୁଲିସ ଫାଇନାଲ ଫର୍ମ ଦାଖଲ କରିଥିଲା। ଏହାପରେ ପୁଣି ଅଦାଲତରେ ପ୍ରୋଟେଷ୍ଟ୍‌ ପିଟିସନ ଦାଖଲ କରାଯାଇଥିଲା। ଏହି ପ୍ରୋଟେଷ୍ଟ୍‌ ପିଟିସନର ଅଦାଲତ ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଜେନାଙ୍କ ଆବେଦନରେ ଦର୍ଶାଯାଇଛି। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପି.କେ.ଭୂୟାଁ, ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।