ଅନୁଗୁଳ: ୧୦୦ ଟଙ୍କିଆ ନୋଟ୍ ନେଇ ୫୦୦ଟଙ୍କିଆ ନୋଟ୍‌ର ଅଦଳବଦଳ। ୧୦ ଲକ୍ଷ ଟଙ୍କାରେ ଦୁଇ ଲକ୍ଷ ଟଙ୍କାର ହାତାହାତି ଲାଭ। ଏହି କୌଶଳ ଆପଣାଇ ତିନି ଜଣ ଠକ ଅନୁଗୁଳ ଟାଉନ୍‌ ଥାନା ତୁରଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ସର୍ବସ୍ବାନ୍ତ କରିଛନ୍ତି। ନକଲି କାଗଜ ନୋଟ୍ ଦେଇ ନଗଦ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଯୁବକ ଜଣକ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କଲା ପରେ ଘଟଣା ପଦାକୁ ଆସିଛି।

Advertisment

ସୂଚନା ମୁତାବକ, ଏ ଘଟଣା ଘଟିଥିଲା ଗତ ୧୭ତାରିଖରେ। ଯୁବକଙ୍କ ମାମୁଙ୍କ ସହିତ ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମର ମାର୍ବଲ୍‌ ମିସ୍ତ୍ରି ବିନୋଦ କୁମାର ସାହୁ ତାଙ୍କ ଘରକୁ ଆସିଥିଲେ। ନୋଟ୍ ଅଦଳ ବଦଳରେ ଭଲ ଲାଭ ହେବାର ପ୍ରସ୍ତାବ ଦେଇଥିଲେ। କହିଥିଲେ, ଅନୁଗୁଳରେ ଗୋଟିଏ ପାର୍ଟି ଅଛି ଯିଏ ୧୦୦ଟଙ୍କା ବଦଳରେ ୫୦୦ଟଙ୍କିଆ ନେବ। ଏକ ଲକ୍ଷ ଟଙ୍କାର ଟଙ୍କା ଅଦଳବଦଳରେ କୋଡ଼ିଏ ହଜାର ଟଙ୍କାର ଲାଭ ଦେବ ବୋଲି ମାର୍ବଲ ମିସ୍ତ୍ରି ପ୍ରସ୍ତାବ ଦେଇଥିଲା। ଟଙ୍କା ସବୁ ହାତାହାତି ଦିଆଯିବ। ଏହା ପୂର୍ବରୁ ସେ ଏମିତି ଚାରି ଜଣ ପାର୍ଟି ଯୋଗାଡ଼ କରି ସେମାନଙ୍କର ଟଙ୍କା ଅଦଳବଦଳ କରାଇଛି। ସେମାନେ ବି ଭଲ ରକମର ଲାଭ କରିଛନ୍ତି କହି ମାର୍ବଲ ମିସ୍ତ୍ରି ବିଶ୍ବାସ ଜନ୍ମାଇଥିଲା। ତା କଥାରେ ପଡ଼ି ଯୁବକ ଜଣକ ହଠାତ୍‌ ରାଜି ହୋଇ ପଡ଼ିଥିଲେ। ୧୦ଲକ୍ଷର ୫୦୦ଟଙ୍କିଆ ନୋଟ୍ ଅଦଳ ବଦଳ କରିବାକୁ ହଁ ମାରିଥିଲେ। ତେଣୁ, ମାର୍ବଲ ମିସ୍ତ୍ରି ପାର୍ଟି ସହିତ କଥାବାର୍ତ୍ତା ହୋଇ ଅନୁଗୁଳ ରୋଟାରି ପବ୍ଲିକ୍‌ ସ୍କୁଲ୍ ନିକଟକୁ ଡାକିଥିଲା। ତତ୍‌ ମୁତାବକ, ଯୁବକ ଜଣକ ଅସଲି ଟଙ୍କା ବ୍ୟାଗ୍‌ ନେଇ ସେଠାକୁ ଯାଇଥିଲେ। ସେଠାରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ପରସ୍ପର ମଧ୍ୟରେ କଥାବାର୍ତ୍ତା ଚାଲିଲା। ସେଠାରୁ ଉଭୟ ପକ୍ଷ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଗଲେ। ସେଠାରେ ଠକ ଗ୍ୟାଙ୍ଗ୍‌ ସମାନ ରଙ୍ଗର ଆଉ ଏକ ବ୍ୟାଗ୍‌ ଆଣିଥିଲେ।

ଯେଉଁଥିରେ ୧୨ଲକ୍ଷ ଟଙ୍କାର ୧୦୦ଟଙ୍କିଆ ନୋଟ୍‌ ଅଛି ବୋଲି କହିଥିଲେ। ଠକ ଗ୍ୟାଙ୍ଗ୍‌ କଥାକୁ ବିଶ୍ବାସ କରି ଅସଲି ଟଙ୍କା ବ୍ୟାଗ୍‌କୁ ଠକଙ୍କ ହାତକୁ ଟେକି ଦେଇଥିଲେ। ତା’ ବଦଳରେ କାଗଜ ନୋଟ୍‌ ଥିବା ଟଙ୍କା ବ୍ୟାଗ୍‌କୁ ଧରିଥିଲେ। ଠକ ଗ୍ୟାଙ୍ଗ୍‌ ଘଟଣାସ୍ଥଳରୁ ଗଲା ପରେ ସେ ଠକେଇର ଶିକାର ହୋଇଥିବା କଥା ଜାଣିବାକୁ ପାଇଥିଲେ। ଠକ ଗ୍ୟାଙ୍ଗ୍‌ ତାଙ୍କୁ ୧୨ଲକ୍ଷ ବଦଳରେ କାଗଜନୋଟ୍ ସବୁ ଧରାଇଛନ୍ତି ବୋଲି ସେ ଦେଖିବାକୁ ପାଇଥିଲେ। ଏତେଗୁଡ଼ାଏ ଟଙ୍କା ସେ ହରାଇବା ପରେ ଅନୁଗୁଳ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମାର୍ବଲ୍‌ ମିସ୍ତ୍ରି ହିଁ ଏ ପ୍ରକାର ମଧ୍ୟସ୍ଥତା କରି ଠକେଇ କରାଇଛି ବୋଲି ସେ ନିଜ ଏତଲାରେ ଦର୍ଶାଇଛନ୍ତି। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଶିଳ୍ପ ସମୃଦ୍ଧ ଏବଂ ଟଙ୍କା ବହୁଳ ଅନୁଗୁଳ ଜିଲ୍ଲାରେ ଏ ପ୍ରକାର ଠକେଇ ନୂଆ ନୁହେଁ। କିଛି ବର୍ଷ ତଳେ ସମାନ କୌଶଳରେ ଠକ ଗ୍ୟାଙ୍ଗ୍‌ ଅନୁଗୁଳ ହାଟଛକ ସ୍ଥିତ ଜଣେ ଦୋକାନୀଙ୍କୁ ସର୍ବସ୍ବାନ୍ତ କରି ଦେଇଥିଲେ। କିଛି ବର୍ଷର ବ୍ୟବଧାନରେ ପୁଣି ଅନୁରୂପ ଗ୍ୟାଙ୍ଗ୍‌ ଅନୁଗୁଳ ସହରକୁ ଫେରିଛନ୍ତି।