ଭୁବନେଶ୍ବର/ କଟକ: ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ଅନର କିଲିଂ ମାମଲାରେ ରୋଚକ ତଥ୍ୟ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି େହାଇଛି। ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ତୁରନ୍ତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କ ଉପରୁ ହାତ କାଢ଼ି ନେଇଛନ୍ତି। ତାଙ୍କୁ ଆଜି ବିଜେଡି ନିଲମ୍ବିତ କରିଥିବା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି। ହେଲେ ଶରତଙ୍କ ଉପରେ ଆଶୀର୍ବାଦ ରଖିଥିବା ନେତାଙ୍କ ପର୍ଯ୍ୟନ୍ତ ବିଜେଡି ଏଯାଏ ପହଞ୍ଚିପାରିନାହିଁ। କେବଳ ସେତିକି ନୁହେଁ, ଅଡିଓରେ ଶରତ କହୁଥିବା ମନ୍ତ୍ରୀ କିଏ, ସେ କେଉଁ ବିଭାଗ ଦାୟିତ୍ବରେ ଅଛନ୍ତି, ତାହା ଉପରୁ ପରଦା ହଟିନାହିଁ। ସରକାର ମଧ୍ୟ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।

Advertisment

ଅନ୍ୟପଟରେ ଏହି ମାମଲାକୁ ନେଇ ଯେତେ ଅଧିକ ଖୋଳତାଡ଼ ହେଉଛି, ସେତିକି ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ସବୁଠୁ ବଡ଼ କଥା ହେଲା, ମାହାଙ୍ଗା ପୁଲିସର ଭୂମିକା ପୁଣି ଥରେ ବିବାଦ ଘେରକୁ ଆସିଛି। ଏଯାଏ ପୁଲିସ ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ଏତଲା ଦାୟର କରିନାହିଁ। ମୋ ସରକାର ଓ ୫-ଟି କଥା କହୁଥିବା ପୁଲିସ କାହାକୁ ସୁରକ୍ଷା ଦେବାକୁ ଯାଇ ଏତଲା ରୁଜୁ କରିବାକୁ କୁନ୍ଥ କୁନ୍ଥ ହେଉଛି, ସର୍ବୋପରି ଏହାକୁ ପ୍ରଶୟ ଦେଇ ଖୋଦ୍ ପୁଲିସ ମହାନିର୍ଦ୍ଦେଶକ ରାଜ୍ୟର ଅବଶିଷ୍ଟ ଥାନାଧିକାରୀଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହେଲାଣି। ଏପରିକି ଶାସକ ଦଳ ଶରତଙ୍କୁ ତଡ଼ିଦେଲା ପରେ ବି ପୁଲିସ ତାଙ୍କୁ ଥାନାକୁ ଡାକି ଅଡିଓ ସଂପର୍କରେ ପଚରାଉଚରା କରିନାହିଁ। ଚାଞ୍ଚଲ୍ୟକର କଥା ହେଲା, ଏହି ପ୍ରସଙ୍ଗରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ୍‌ଙ୍କ ଭୂମିକା ବିବାଦ ଘେରକୁ ଆସିଛି। ଭାଇରାଲ୍ ଅଡିଓରେ ଶରତ ନିଜେ ଏସ୍‌ଡିପିଓଙ୍କ ନାମ ନେଇଛନ୍ତି। ଏବେ ଖୋଳତାଡ଼ରୁ ଜଣାପଡ଼ୁଛି ଯେ ମାହାଙ୍ଗାର ଡବଲ ମର୍ଡର ଘଟଣାରେ ବି ବିମଳଙ୍କ ଭୂମିକା ବିବାଦ ମୁକ୍ତ ନଥିଲା। ସେବେ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ବାଳ ଓରଫ୍‌ କାବୁଆର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଅପମୃତ୍ୟୁ ମାମଲା କରି ଉଡ଼ାଇ ଦେଇଥିଲେ ବିମଳ। ସେ ସମୟରେ ସେ ଟାଙ୍ଗୀ ଥାନା ଅଧିକାରୀ ଥିଲେ। ଇତିମଧ୍ୟରେ ତାଙ୍କର ପଦୋନ୍ନତି ହୋଇଛି ଏବଂ ତାଙ୍କୁ ପୁଲିସ ମୁଖ୍ୟାଳୟ ସାଲେପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରିଛି। ଏହି ନିଯୁକ୍ତିଟି କାହାକୁ ଖୁସି କରିବା ପାଇଁ ହେଲା? ତାହା ଏବେ ଆଲୋଚନା କେନ୍ଦ୍ର ବିନ୍ଦୁ ହେଲାଣି। ଏଥିସହିତ ଶାସକ ଦଳର ଇସାରାକୁ ମାନି ପୁଲିସ କିଭଳି ମାହାଙ୍ଗାରେ ବାରମ୍ବାର ବିବାଦକୁ ଆସୁଛି ଏବଂ ସ୍ଥାନୀୟ ଅଞ୍ଚଳ ବଦନାମ୍‌ ହେଉଛି, ତାହାକୁ ବି ବୁଦ୍ଧିଜୀବୀ ନିନ୍ଦା କଲେଣି।

ଶରତଙ୍କୁ ନିଲମ୍ବନ କଲା ବିଜେଡି, ଶିଶୁ ଆୟୋଗଙ୍କ ତଦନ୍ତ ନିର୍ଦ୍ଦେଶ
ଡବଲ୍ ମର୍ଡର ଅଭିଯୁକ୍ତ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ଥିଲେ ଏସ୍‌ଡିପିଓ
ସେବେ ଟାଙ୍ଗି ଥାନାଧିକାରୀ ଭାବେ ଅପମୃତ୍ୟୁ ମାମଲା କରିଥିଲେ

ଉଲ୍ଲେଖଥାଉକି, ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଅଡିଓ ଓ ଚିଠି ଭାଇରାଲ ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ହେଲେ ତଦନ୍ତ ଚାଲିଛି ବୋଲି କହି ସମୟ ଟାଳିଚାଳିଛି ପୁଲିସ। ପୁଲିସ ନିଜ ପକ୍ଷରୁ ଏଯାଏ ମାମଲା ରୁଜୁ କରିନାହିଁ। ମିଳିଥିବା ସୂଚନା ଅନୁସାରେ, ଆଜି ପୁଲିସ ଜଗତ୍‌ସିଂହପୁର ଯାଇ ସେଠାରେ ରହୁଥିବା ଗୋକନ ବିଦ୍ୟାଳୟର ଖେଳ ଶିକ୍ଷକ ଓ ତାଙ୍କ ପରିବାରକୁ ପଚରାଉଚୁରା କରିଫେରିଛନ୍ତି। କିନ୍ତୁ ଭାଇରାଲ ଅଡିଓ ଓ ଚିଠି ମୋବାଇଲରୁ ମୋବାଇଲ ଘୂରିବୁଲୁଥିଲେ ହେଁ, ସେ ସଂକ୍ରାନ୍ତରେ ତଦନ୍ତ ଅଗ୍ରଗତି ଜଣାପଡୁନାହିଁ। ଏହି ଅଡିଓରେ ଶରତ ସ୍ପଷ୍ଟ ଭାବେ ଖେଳ ଶିକ୍ଷକଙ୍କ ମାଆଙ୍କୁ କହିଥିଲେ ଯେ ପୋଷ୍ଟମର୍ଟମ ହୋଇଥିଲେ ହଇରାଣ ହୋଇଥାନ୍ତ। ଶବ ବ୍ୟବଚ୍ଛେଦ ପୂର୍ବରୁ ଶବକୁ ପୋଡିଦେଲୁ। ଝିଅର ମୋବାଇଲରେ ତୁମ ପୁଅର ନମ୍ବର ‘ମାଇଁ ହାର୍ଟ’ ନାଁରେ ସେଭ୍ ହୋଇଛି। ଏଣୁ ତୁରନ୍ତ ପଇସା ବ୍ୟବସ୍ଥା କର ନହେଲେ ନାନା ସମସ୍ୟା ହେବ। ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ଚାପିଦେବା ପାଇଁ ଏମିତି ଟଙ୍କା ମାଗୁଥିବା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଶରତ ନାଏକଙ୍କୁ ପୁଲିସ ଜେରା କରୁନି କାହିଁକି? ଥାନା ଅଧିକାରୀ ୫୦ହଜାର,ଏସ୍‌ଡିପିଓ, ସାମ୍ବାଦିକ ୧୫ହଜାର ଟଙ୍କା ନେବେ। ଏଣୁ ଶୀଘ୍ର ୭୦ହଜାର ଟଙ୍କା ପଠାଅ ବୋଲି ଅଡିଓ ଭାଇରାଲ ପରେ ବି କଣ ପାଇଁ ପୁଲିସ ଚୁପ୍‌ ବସିଛି? ଘଟଣାକୁ ଦେଢ଼ମାସ ବିତିଯାଇଥିବା ବେଳେ ଘଟଣାର ଭାଇରାଲ୍‌ ଅଡିଓ ଓ ଚିଠି କଣ ପୁଲିସ ପାଇଁ ପ୍ରମାଣ ହୋଇପାରିବନି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହୋଇଛି। ଇତିମଧ୍ୟରେ ମାହାଙ୍ଗା ନାବାଳିକା ରହସ୍ୟଜନକ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ।‘ସମ୍ବାଦ’ରେ ପ୍ରକାଶିତ ‘ହତ୍ୟାକୁ ନେଇ ଚର୍ଚ୍ଚାରେ ପୁଣି ମାହାଙ୍ଗା’ ଅନରକିଲିଂର ଶିକାର ହେଲା ନାବାଳିକା, ନେତାଙ୍କ ଚାପରେ ଚାପିଥିଲେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ କଟକ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏଥିସହ ଏଭଳି ସମ୍ବେଦନଶୀଳ ମାମଲାରେ ଯେଉଁମାନଙ୍କ ସଂପୃକ୍ତି ରହିଛି ଓ ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଓ ନାବାଳିକାର ମୃତ୍ୟୁ ରହସ୍ୟ ଉନ୍ମୋଚନ କରି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କରେ ଅଗଷ୍ଟ ୨୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଏସ୍‌ପିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କାହାରି ପାଖରୁ ଅଭିଯୋଗ ନଥିବା ଦର୍ଶାଇ ପୁଲିସ ମାମଲା ରୁଜୁ କରୁନଥିବାବେଳେ ତଦନ୍ତ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କଟକ ଏସ୍‌ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କର ସମର୍ଥକ। ମାହାଙ୍ଗା ଡବଲ ମର୍ଡର ଘଟଣା ହେଉ ବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ଓରଫ କାବୁଆ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା,ସବୁଠି ଶ୍ରୀ ନାୟକଙ୍କ ଭୂମିକା ବିବାଦ ଘେରକୁ ଆସିଥିଲା। ଏପରିକି ମୃତ କାବୁଆଙ୍କ ସହିତ ସେ ଡବଲ ମର୍ଡର ପରେ ବାରମ୍ବାର କଥାବାର୍ତ୍ତା ହେଉଥିବାର ସିଡିଆର ରିପୋର୍ଟ ବି ପୁଲିସ କୋର୍ଟରେ ଦାଖଲ କରିଛି। ଗୋକନ ହାଇସ୍କୁଲର ଶ୍ରୀ ନାୟକ ସଭାପତି ଥିବାବେଳେ ତାଙ୍କ ସ୍ତ୍ରୀ ସେଠାରେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି।