କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ରହସ୍ୟଜନକ ମୃତ୍ୟୁ ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେଉଛି। ଗତକାଲି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ କୁମାର ନାୟକଙ୍କୁ ବିଜେଡି ନିଲମ୍ବିତ କରିବା ପରେ ଆଜି ଥାନାକୁ ଡାକି ଶରତଙ୍କୁ ଜେରା କରିଛି ପୁଲିସ। ଜେରା ସମୟରେ ଶରତଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୁଲିସ। ହେଲେ କୌତୂହଳର କଥା ହେଲା, ଯେଉଁ ମୋବାଇଲରୁ ସେ କ୍ରୀଡା ଶିକ୍ଷକଙ୍କ ମାଆଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ଯାହାର ଅଡିଓ ଭାଇରାଲ ହୋଇଥିଲା, ସେହି ମୋବାଇଲ ହଜି ଯାଇଥିବା ଶରତ ପୁଲିସକୁ ସୂଚନା ଦେଇଛନ୍ତି। ଫଳରେ ପୁଲିସ ତାଙ୍କ ମୋବାଇଲରୁ ତଥ୍ୟ ହାସଲ କରିବାରେ ବିଫଳ ହୋଇଛି। ଏପଟେ କିନ୍ତୁ ଖେଳ ଶିକ୍ଷକଙ୍କ ମୋବାଇଲ ଫୋନ ଜବତ୍ କରି ଭାଇରାଲ ହେଉଥିବା ଅଡିଓର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଜି ଶରତଙ୍କ ସମେତ ମୃତ ଛାତ୍ରୀ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ୩ଜଣ ସହପାଠୀଙ୍କୁ ବି ପୁଲିସ ପଚରାଉଚୁରା କରିଛି। ଗୋଟିଏ ପଟେ ତଦନ୍ତ ଆଗକୁ ବଢ଼ୁଥିବା ପୁଲିସ କହୁଥିବା ବେଳେ କାହିଁକି ଏବଂ କାହା ଚାପରେ ପୁଲିସ ଏଯାଏ ଏହି ମାମଲାରେ ଏତଲା ରୁଜୁ କରୁନାହିଁ, ତାହା ବୁଝାପଡ଼ୁନାହିଁ।
ହଜିଗଲା ଶରତଙ୍କ ମୋବାଇଲ; ଖେଳ ଶିକ୍ଷକଙ୍କ ଫୋନ୍ ଜବତ
ମୂଳ ଚିଠି ଖୋଜୁଛି ପୁଲିସ; ପ୍ରଧାନଶିକ୍ଷକ, ଶିକ୍ଷକ ଓ ସହପାଠୀଙ୍କୁ ବି ଜେରା
ଅପପ୍ରଚାର ବୋଲି ଅଭିଯୋଗ କଲେ ମୃତ ନାବାଳିକାଙ୍କ ବାପା
କାବୁଆ ମୃତ୍ୟୁ ସହିତ ସାଲେପୁର ଏସ୍ଡିପିଓଙ୍କ ସଂପର୍କ ନାହିଁ
ଅନ୍ୟପଟେ ମୃତ ନାବାଳିକା ଛାତ୍ରୀଙ୍କ ବାପା ତାଙ୍କ ଝିଅ ମୃତ୍ୟୁକୁ ନେଇ ଅପପ୍ରଚାର ଚାଲିଥିବା ଅଭିଯୋଗ କରିଛନ୍ତି। ଏହା ତାଙ୍କୁ ମାନସିକ ଦୁଶ୍ଚିନ୍ତା ଦେଉଛି, ମିଛରେ ବଦନାମ୍ କରାଯାଉଛି। ସେଥିପାଇଁ ଯଦି କିଛି ଅଘଟଣ ଘଟେ ତାହେଲେ ପରିବାର ଆତ୍ମହତ୍ୟା କରିବେ ବୋଲି ମାହାଙ୍ଗା ଥାନାରେ ଲିଖିତଭାବେ ସେ ଜଣାଇଛନ୍ତି। ଆହୁରି ବଡ଼ କଥା ହେଲା, ଭାଇରାଲ ହେଉଥିବା ନାବାଳିକା ଛାତ୍ରୀଙ୍କ ମୂଳ ଚିଠି ବା ହାତଲେଖା ଚିଠିକୁ ଖୋଜିଖୋଜି ନୟାନ୍ତ ହେଲାଣି ପୁଲିସ। ସେହି ମୂଳ ଚିଠି ମିଳୁ ନଥିବାରୁ ପୁଲିସ ତଦନ୍ତ ଆଗେଇପାରୁନି। ଗତକାଲି ତଦନ୍ତ ଦାୟିତ୍ବ ନେଇଥିବା ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଜଗତ୍ସିଂହପୁର ଯାଇ ଖେଳ ଶିକ୍ଷକ ଓ ତାଙ୍କ ପରିବାରବର୍ଗଙ୍କୁ ପଚରାଉଚୁରା କରିଥିଲେ। ଏଥିସହ ଶିକ୍ଷକଙ୍କ ଯେଉଁ ମୋବାଇଲ ଫୋନ୍ରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଖେଳ ଶିକ୍ଷକଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂ ରହିଛି, ତାକୁ ଜବତ୍ କରିଥିଲେ। ତିନି ଦିନରେ ଏହି ଘଟଣାରେ ପୁଲିସ ମୃତ ନାବାଳିକାଙ୍କ ପରିବାରବର୍ଗ, ସାହିପଡିଶାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ପଚାରାଉଚୁରା କରିସାରିଲାଣି ପୁଲିସ।
ଅନ୍ୟପଟେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ବାଳ ଓରଫ୍ କାବୁଆଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମୟରେ ତଦନ୍ତ ପ୍ରକ୍ରିୟାରେ ବର୍ତ୍ତମାନର ସାଲେପୁର ଏସ୍ଡିପିଓ ବିମଳ ବାରିକଙ୍କ କୌଣସି ସଂପର୍କ ନଥିଲା। ଟାଙ୍ଗୀଠାରେ କାବୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ବାରିକ୍ ସେହି ସମୟରେ କଟକ ଏସ୍ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ସେହି ସମୟରେ ଟାଙ୍ଗୀ ଥାନାରେ ପଦାରବିନ୍ଦ ତ୍ରିପାଠୀ ଥାନା ଅଧିକାରୀ ରହିଥିଲେ।