ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନକୁ ନେଇ ଲୋକେ ବ୍ୟସ୍ତ ଥିବାବେଳେ ଅନେକଙ୍କ ଅଲକ୍ଷ୍ୟରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ଗତ କିଛିମାସ ହେଲା ଡାଲି ଦର ଲଗାତାର ବୃଦ୍ଧି ପାଇ ଆସୁଛି। ଏବେ ଏଥିରେ ଚାଉଳ, ତେଲ ଏବଂ ଗହମ ଜାତୀୟ ଉତ୍ପାଦ ଯଥା ଅଟା, ସୁଜି ଏବଂ ମଇଦା ଆଦି ଯୋଡ଼ି ହୋଇଯାଇଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋପିଛା ୩ରୁ ୪ ଟଙ୍କା ବଢ଼ିଯାଇଛି। ସାଧାରଣ କିସମ ଚାଉଳର ପାଇକାରୀ ମୂଲ୍ୟ ପୂର୍ବରୁ ଯାହା କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲା ଏବେ ତାହା ୩୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‌ କ୍ବିଣ୍ଟାଲ ପିଛା ୩୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସୋରିଷ ତେଲ ଦାମ ଗତ କିଛି ଦିନ ଭିତରେ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଯାଇଛି। ସୋରିଷ ତେଲର ଦାମ ପୂର୍ବରୁ ଲିଟର ପିଛା ଯାହା ୧୨୦ ଟଙ୍କା ଥିଲା ବର୍ତ୍ତମାନ ତାହା ୧୩୨ରୁ ୧୩୩ ଟଙ୍କା ହୋଇଛି।

Advertisment

ସା‌ଧାରଣ କିସମ ଚାଉଳ କ୍ବିଣ୍ଟାଲ୍‌ ୩୫୦୦ ଟଙ୍କା
ପାମୋଲିନ୍‌, ସୋରିଷ ତେଲ ବି ବଢ଼ିଛି
ହରଡ଼, ବୁଟ, ବିରି ଡାଲି ଦାମ୍‌ ଗରିବଙ୍କୁ ବୋଝ

ସେହିଭଳି ପାମୋଲିନ ଦର ‌ପୂର୍ବରୁ କିଲୋପିଛା ୮୩ରୁ ୮୪ ଟଙ୍କା ରହିଥିଲାବେଳେ ବର୍ତ୍ତମାନ ତାହା ୮୬ରୁ ୮୭ ଟଙ୍କାରେ ପହଞ୍ଚିଛି। ହରଡ଼, ବୁଟ ଏବଂ ବିରି ଡାଲି ଏବେ ଅଧିକ ଦରରେ ବିକ୍ରି ହେଉଛି। ବିଭିନ୍ନ କିସମ ହରଡ଼ ଡାଲିର ପାଇକାରୀ ମୂଲ୍ୟ ଏବେ କିଲୋପିଛା ୧୬୫ ଟଙ୍କା ୧୮୦ ଟଙ୍କାରେ ବିକ୍ରି ହେଉଛି। ଗତ ୩ରୁ ୬ ମାସର ଦର ଉପରେ ନଜର ପକାଇଲେ କିଲୋପିଛା ହରଡ଼ ଡାଲି ଦର ପ୍ରାୟ ୨୦ରୁ ୩୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ଏବେ କିଲୋପିଛା ୧୨୦ ଟଙ୍କାରୁ ୧୩୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ଗତ ୩ ମାସ ଭିତରେ କିଲୋପିଛା ୧୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ଏହାର ଦାମ୍‌ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୭୦ ଟଙ୍କା ଥିବାବେଳେ ଏବେ ୮୦ ଟଙ୍କାରେ ବିକ୍ରି ହେଉଛି। ତେବେ ମୁଗ, ମଟର, ମସୁର ଡାଲି ମୂଲ୍ୟ ସ୍ବାଭାବିକ ରହିଛି। ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଯାଇଛି। ଏହାଫଳରେ ଗହମଜାତୀୟ ଉତ୍ପାଦ ଯଥା ସୁଜି, ଅଟା, ମଇଦା ଆଦି ଦାମ କ୍ବିଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଖୁଚୁରା ବଜାରରେ ଏସବୁ ସାମଗ୍ରୀର ଦାମ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି।

ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରାଯିବା ନେଇ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାର ପ୍ରଭାବରେ ଚାଉଳ ଦାମ୍‌ ବଢ଼ିଯାଇଛି। ଆଗକୁ ମଧ୍ୟ ଏହା କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବୃଦ୍ଧି ଘଟିବା ଆଶଙ୍କା ରହିଛି ବୋଲି ସେମାନେ ମତ ଦେଇଛନ୍ତି। ଡାଲି ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଜାରରେ ଯେଉଁଦିନ ଠାରୁ କର୍ପୋରେଟ ହାଉସ୍‌ ପ୍ରବେଶ କଲେଣି ସେହିଦିନ ଠାରୁ ଦରରେ ମାତ୍ରାଧିକ ଅସ୍ଥିରତା ଦେଖାଦେଇଛି। ରାତିରେ ଦର କ୍ବିଣ୍ଟାଲ ପିଛା ୧୦୦୦ ଟଙ୍କା ବଢ଼ିଯାଉଥିବା ଦେଖିବାକୁ ମିଳୁଥିବାବେଳେ ସକାଳେ ୫୦୦ ଟଙ୍କା କମିଯାଉଛି। ଦରକୁ ଜାଣିଶୁଣି ଅସ୍ଥିର କରାଯାଉଛି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ହେ‌ଉଛି ବର୍ତ୍ତମାନ ଯେଉଁ ଛୋଟ ଏବଂ ମଧ୍ୟମ ବ୍ୟବସାୟୀ ଅଛନ୍ତି ସେମାନଙ୍କର କ୍ଷତି ପହଞ୍ଚାଇବା। ଏମାନେ କିଭଳି ବ୍ୟବସାୟ ନକରି ପାରିବେ ତାହା ହେଉଛି ସେମାନଙ୍କର ଉଦ୍ଦେଶ୍ୟ। ସରକାର ମଧ୍ୟ ସେମାନଙ୍କୁ ଏଥିରେ ସମର୍ଥନ କରୁଛନ୍ତି। ତେଣୁ ଦରଦାମରେ ଯେଉଁ ବୃଦ୍ଧି ଘଟୁଛି ତାହାକୁ ନିୟନ୍ତ୍ରଣ କରିବା ପରିସ୍ଥିତିରେ ନାହାନ୍ତି ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି।